ସିକେ ନାୟୁଡୁ ଟ୍ରଫି: ପ୍ରୀତ୍‌ସିଂହଙ୍କୁ ୫ ୱିକେଟ୍‌, ଓଡ଼ିଶା ୩୩୨ ବିହାର ୨୨୪

ବଲାଙ୍ଗୀର: ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମରେ ଚାଲିଥିବା ବିହାର ବିପକ୍ଷ ୨୩ ବର୍ଷରୁ କମ୍ କର୍ଣ୍ଣେଲ ସିକେ ନାୟୁଡୁ ଟ୍ରଫି କ୍ରିକେଟ୍‌ ମ୍ୟାଚ୍‌ରେ ଘରୋଇ ଓଡ଼ିଶା ପ୍ରଥମ ପାଳି ଅଗ୍ରଣୀ ପାଇଯାଇଛି। ଓଡ଼ିଶା ୩୩୨ ରନ୍‌ କରି ସମସ୍ତ ୱିକେଟ୍‌ ହରାଇବା ପରେ ପ୍ରୀତ୍‌ସିଂହ ଚୌହାନ୍‌ଙ୍କ ୫ ଓ ଅୟସକାନ୍ତ ସାହୁଙ୍କ ୩ ୱିକେଟ୍‌ ଦଖଲ ଯୋଗୁଁ ବିହାର ପ୍ରଥମ ପାଳିକୁ ୨୨୪ ରନ୍‌ରେ ଅଟକାଇ ଦେଇଥିଲା। ପ୍ରଥମ ଦିବସରେ ୬/୨୬୨ କରିଥିବା ଓଡ଼ିଶା ଶୁକ୍ରବାର ଦ୍ବିତୀୟ ଦିବସରେ ଆଉ ୭୦ ରନ୍ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍‌ ହରାଇଥିଲା। ଅମ୍ରିତ୍‌ ଖଟୁଆ (୯୮), ସୌରଭ ଗୌଡ଼ (୭୪), କାର୍ତିକ ବିଶ୍ବାଳ (୫୮) ଅର୍ଧଶତକ ଜମାଇଥିଲା ବେଳେ ବିନିତ ମହାନ୍ତି ୩୫ ଓ ହର୍ଷିତ ରାଠୋଡ଼ ୩୩ ରନ୍‌ କରିଥିଲେ। ବିହାର ଦଳ ପକ୍ଷରୁ ସଫଳ ବୋଲର ଭାବେ ପ୍ରଶାନ୍ତ କୁମାର ସିଂ ଓ ସଚିନ କୁମାର ସିଂ ୩-୩ ଏବଂ ସବିର ଖାନ ଓ ଅମରଜିତ ରାୟ ୨-୨ ଲେଖାଏଁ ୱିକେଟ ବାଣ୍ଟି ନେଇଥିଲେ। ଜବାବରେ ହର୍ଷ ରାଜ (୧୧୩*)ଙ୍କ ଅପରାଜିତ ଶତକ ସତ୍ତ୍ବେ ବିହାର ପ୍ରଥମ ପାଳି ୨୨୪ ରନ୍‌ରେ ଶେଷ ହୋଇଯାଇଥିଲା। ଓଡ଼ିଶା ଦଳ ପକ୍ଷରୁ ସଫଳ ବୋଲର୍‌ ଭାବରେ ପ୍ରୀତ ସିଂଚୌହାନ ୫/୪୬, ଅୟସକାନ୍ତ ସାହୁ ୩/୬୮ର ବୋଲିଂ ଚିତ୍ର ପାଇଥିଲେ। କ୍ରିକେଟ୍‌ ସମ୍ପାଦକ ଓମପ୍ରକାଶ ଚାନ୍ଦ, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର