ସମ୍ବଲପୁର: ସମ୍ବଲପୁରରେ ଚାଲିଥିବା ସିକ୍କିମ୍ ବିପକ୍ଷ ୨୩ ବର୍ଷରୁ କମ୍ କର୍ନେଲ୍ ସିକେ ନାୟୁଡୁ ଟ୍ରଫି ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍କୁ ଓଡ଼ିଶା ଏକ ପାଳି ଓ ୯୮ ରନ୍ରେ ଜିତିନେଇଛି। ଏଥିସହ ଓଡ଼ିଶା ଦଳ ପ୍ରତିଯୋଗିତାରେ ଲଗାତାର ଚତୁର୍ଥ ବିଜୟ ଓ ଦ୍ବିତୀୟ ପାଳି ବିଜୟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ସୌରଭ ଗୌଡ଼ଙ୍କ ଅପରାଜିତ ଦ୍ବିଶତକ ପରେ ଦ୍ରୁତ ବୋଲର୍ ପ୍ରୀତ୍ ସିଂହ ଚୌହାନଙ୍କ ୧୧ ୱିକେଟ୍ ସଫଳତା ବଳରେ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ରେ ଘରୋଇ ଦଳ ଗୋଟିଏ ଦିନ ପୂର୍ବରୁ ସହଜରେ ମ୍ୟାଚ୍ ଜିତି ନେଇଛି। ଫଳରେ ବୋନସ୍ ସହ ପୂରା ୭ ପଏଣ୍ଟ ହାସଲ କରି ଓଡ଼ିଶା ନିଜ ପଏଣ୍ଟ ସଂଖ୍ୟା ୨୬କୁ ବୃଦ୍ଧି କରିଛି। ବ୍ୟାଟିଂ ସହାୟକ ପିଚ୍ରେ ପ୍ରଥମ ପାଳିରେ ୪ ଓ ଦ୍ବିତୀୟ ପାଳିରେ ୭ ୱିକେଟ୍ ନେଇଥିବା ପ୍ରୀତ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି।
ସୋମବାରର ଅସମାପ୍ତ ସ୍କୋର ୩୯୦/୨ରୁ ଖେଳ ଆରମ୍ଭ କରି ଓଡ଼ିଶାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ସୌରଭ ଗୌଡ଼ ଏବଂ ଅଧିନାୟକ ସ୍ବସ୍ତିକ ସାମଲ ଆଉ ଏକ ଶତକୀୟ ଭାଗୀଦାରି କରିଥିଲେ। ପୂର୍ବଦିନ ୧୭୬*ରେ ବ୍ୟାଟିଂ କରୁଥିବା ସୌରଭ ଆକର୍ଷଣୀୟ ଦ୍ବିଶତକ ହାସଲ କରିଥିଲେ। ସ୍ବସ୍ତିକ ୬୯ ରନ୍ କରି ଆଉଟ୍ ହୋଇଥିଲେ। ଉଭୟ ତୃତୀୟ ୱିକେଟ୍ରେ ୧୨୪ ରନ୍ ଯୋଡ଼ିଥିଲେ। ସୌରଭଙ୍କ ସହ ଯୋଗଦେଇ ଶୁଭମ ଶତ୍ରୁଜିତ ଅର୍ଧଶତକ ଲାଭ କରିବା ପରେ ତୃତୀୟ ଦିନ ଭୋଜନ ବିରତି ପୂର୍ବରୁ ୫୫୫/୩ର ଦଳୀୟ ସ୍କୋର୍ରେ ଓଡ଼ିଶା ପାଳି ଘୋଷଣା କରିଥିଲା। ସୌରଭ ୩୧୨ ବଲ୍ର ସାମ୍ନା କରି ୨୩ ଚୌକା, ୩ ଛକା ବଳରେ ୨୨୫ ରନ୍ କରି ଅପରାଜିତ ରହିଥିଲେ। ହରିତ ମଙ୍ଗଳବାର ଦିନ ସିକ୍କିମ୍ ପକ୍ଷରୁ ଏକମାତ୍ର ୱିକେଟ୍ ନେଇଥିଲେ।
ପ୍ରଥମ ପାଳିରେ ୨୦୮ ରନ୍ କରିଥିବା ସିକ୍କିମ୍ ପାଇଁ ପାଳି ପରାଜୟ ଏଡ଼ାଇବାକୁ ୩୪୭ ରନ୍ ଆବଶ୍ୟକ ହେଉଥିଲା। ହେଲେ ପ୍ରୀତ୍ ଚମତ୍କାର ବୋଲିଂ କରି ଦ୍ବିତୀୟ ପାଳିରେ ମଧ୍ୟ ଭ୍ରମଣକାରୀ ଦଳକୁ ବିପର୍ଯ୍ୟୟକୁ ଠେଲି ଦେଇଥିଲେ। ସେ ପ୍ରଥମ ତିନି ବ୍ୟାଟ୍ସମ୍ୟାନ୍ଙ୍କୁ ମାତ୍ର ୩୬ ରନ୍ ମଧ୍ୟରେ ପ୍ୟାଭିଲିୟନ୍ ଫେରାଇବା ପରେ ୩୯ର ଦଳଗତ ସ୍କୋର୍ରେ କାର୍ତିକ ବିଶ୍ବାଳ ସିକ୍କିମ୍ର ଚତୁର୍ଥ ୱିକେଟ୍ ନେଇଥିଲେ। ଶୀଘ୍ର ମ୍ୟାଚ୍ ଶେଷ ହେବା ଭଳି ପ୍ରତୀତ ହେଉଥିଲା। କିନ୍ତୁ ପରବର୍ତ୍ତୀ ଭାଗୀଦାରିରେ ପି ପାର୍ଥ ଏବଂ ଅଧିନାୟକ ମହମ୍ମଦ ସାହାବାଜ ଲଢ଼ୁଆ ବ୍ୟାଟିଂ କରି ଓଡ଼ିଶା ବୋଲର୍ଙ୍କ ଧୈର୍ଯ୍ୟର ପରୀକ୍ଷା କରିଥିଲେ। ଉଭୟ ପଞ୍ଚମ ୱିକେଟ୍ରେ ୧୭୯ ରନ୍ ଯୋଡ଼ିଥିଲେ। ତେବେ ଦିନର ଶେଷ ଭାଗରେ ପୁଣି ପଶା ପଲଟିଥିଲା। ଅଧିନାୟକ ସାହାବାଜ (୮୭)ଙ୍କୁ ଶୁଭମ ଶତ୍ରୁଜିତ ରନ୍ଆଉଟ୍ କରାଇବା ପରେ ପରବର୍ତ୍ତୀ ୱିକେଟ୍ଗୁଡ଼ିକୁ ପ୍ରୀତ୍ ପୋଛି ନେଇଥିଲେ। ସେ ସିକ୍କିମ୍ ପକ୍ଷରୁ ଶତକ ହାସଲ କରିଥିବା ପାର୍ଥ (୧୧୫)ଙ୍କ ସମେତ ମୋଟ ୭ ଜଣଙ୍କୁ ଆଉଟ୍ କରିଥିଲେ। ଅମ୍ରିତ ଖଟୁଆଙ୍କୁ ଗୋଟିଏ ସଫଳତା ମିଳିଥିଲା।
ଉଦ୍ଯାପନୀ ଉତ୍ସବରେ ଓଡ଼ିଶା କ୍ରିକେଟ୍ ସଂଘର ଯୁଗ୍ମସଂପାଦକ ମେହେତାବ୍ ଖାନ୍, ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ସାଧାରଣ ସଂପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ପ୍ରୀତ୍ଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦଳର ପ୍ରବନ୍ଧକ ସୁବୋଧ ସାହୁ, କାଉନ୍ସିଲ ସଦସ୍ୟ ବିକାଶ ମିଶ୍ର, ସୁନୀଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।