ସିକେ ନାୟୁଡୁ ଟ୍ରଫି: କାର୍ତ୍ତିକଙ୍କ ଅଲ୍‌ରାଉଣ୍ତ ପ୍ରଦର୍ଶନ ଓଡ଼ିଶା ୫୦୯/୯, ମଣିପୁର ୧୦୫/୯

କଟକ: କାର୍ତ୍ତିକ ବିଶ୍ବାଳଙ୍କ ଅଲରାଉଣ୍ତ ପ୍ରଦର୍ଶନ (୧୧୮ ରନ୍‌ ଓ ୫ ଵିକେଟ୍‌) ସହାୟତାରେ ପଶ୍ଚିମବଙ୍ଗରେ ଚାଲିଥିବା ୨୩ ବର୍ଷରୁ କମ୍‌ ସିକେ ନାୟୁଡୁ ଟ୍ରଫିରେ ମଣିପୁର ବିପକ୍ଷରେ ଓଡ଼ିଶା ବୃହତ୍‌ ବ୍ୟବଧାନର ପାଳି ଅଗ୍ରଣୀ ପାଇବା ନିଶ୍ଚିତ କରିନେଇଛି। ଦ୍ବିତୀୟ ଦିନ କାର୍ତ୍ତିକ ବିଶ୍ବାଳଙ୍କ ଶତକ ସହ ଶୁଭମ୍‌ ଶତ୍ରୁଜିତ ଓ ରାହୁଲ ଚୌଧୁରୀଙ୍କ ଆକର୍ଷଣୀୟ ଅର୍ଧଶତକ ସହାୟତାରେ ଓଡ଼ିଶା ୯ ଵିକେଟ୍‌ ବିନିମୟରେ ୫୦୯ ରନ୍‌ କରିଥିଲା ବେଳେ ପାଳି ଘୋଷଣା କରିଥିଲା। ଜବାବରେ ଦ୍ବିତୀୟ ଦିନର ଷ୍ଟମ୍ସ ଅପସାରଣ ବେଳକୁ ମଣିପୁର ୯ ଵିକେଟ୍‌ ହରାଇ ୧୦୫ ରନ୍‌ କରି ଫଲୋଅନ୍‌ ଦ୍ବାରରେ ପହଞ୍ଚିଛି। ମଣିପୁର ପ୍ରଥମ ପାଳିରେ କାର୍ତ୍ତିକ ୮ ଓଭର ବୋଲି˚ କରିଥିଲା ବେଳେ ୧୪ ରନ୍‌ ବ୍ୟୟରେ ୫ ଵିକେଟ୍‌ ଅକ୍ତିଆର କରିଛନ୍ତି।

ପ୍ରଥମ ଦିନର ଅସମାପ୍ତ ସ୍କୋର୍‌ ୩୦୦/୪ରୁ ଖେଳିଥିବା ଓଡ଼ିଶା ପକ୍ଷରୁ ଶୁଭମ୍‌ ୫୩ ରନ୍‌ (୯୩ ବଲ୍‌, ୬ ଚୌକା, ୧ ଛକା) କରି ଆଉଟ୍‌ ହୋଇଥିଲେ। ତେବେ କାର୍ତ୍ତିକ ରକ୍ଷଣାତ୍ମକ ଖେଳ ଜାରି ରଖିବା ସହ ରନ୍‌ ଗତି ବଢାଇଥିଲେ। ଶୁଭମ୍‌ଙ୍କ ସ୍ଥାନରେ ଆସିଥିବା କ୍ଷମାସାଗର ବଳ ମଧ୍ୟ ଦ୍ରୁତ ଖେଳିବାକୁ ଯାଇ ୪୩ ରନ୍‌ରେ ଵିକେଟ୍‌ ହରାଇଥିଲେ। ନବମ ସ୍ଥାନରେ ଆସିଥିବା ରାହୁଲ ଚୌଧୁରୀ ଅଷ୍ଟମ ଵିକେଟ୍‌ରେ କାର୍ତ୍ତିକଙ୍କ ସହ ମିଶି ୬୦ ରନ୍‌ ଯୋଡ଼ିବା ପରେ ବ୍ୟକ୍ତିଗତ ୭୬ ରନ୍‌ (୧୧୫ ବଲ୍‌, ୭ ଚୌକା, ୩ ଛକା)ରେ ଆଉଟ୍‌ ହୋଇଥିଲେ। ତାରିଣୀ ସ’ (୨୦)ଙ୍କ ଵିକେଟ୍‌ ଯିବା ପରେ ଓଡ଼ିଶା ପାଳି ଘୋଷଣା କରିଥିଲା। ପାଳି ଶେଷ ବେଳକୁ କାର୍ତ୍ତିକ ୨୨୯ ବଲ୍‌ରୁ ୧୪ ଚୌକା ଓ ୧ ଛକା ସହାୟତାରେ ୧୧୮ ରନ୍‌ କରି ଅପରାଜିତ ରହିଥିଲେ। ଜବାବରେ ମଣିପୁର ଭଲ ଆରମ୍ଭ କରିଥିଲା। ଵାଇ କର୍ଣ୍ଣଜିତ ଓ ଏ ରାକେଶ ପ୍ରଥମ ଵିକେଟରେ ୬୪ ରନ୍‌ ଯୋଡ଼ିଥିଲେ। କିନ୍ତୁ ପ୍ରଥମ ଵିକେଟ ଚାଲିଯିବା ପରେ ନିୟମିତ ଅନ୍ତରାଳରେ ଖେଳାଳିଙ୍କ ପାଭିଲିୟନ୍‌ ଫେରିବା ଲାଗି ରହିଥିଲା। ପ୍ରାରମ୍ଭିକ ଖେଳାଳି କର୍ଣ୍ଣଜିତ ୫୪ ରନ୍‌ରେ ଓ ରାକେଶ ୨୨ ରନ୍‌ କରିଥିଲେ। ଫଳରେ ଦଳ ଦ୍ବିତୀୟ ଦିନ ସୁଦ୍ଧା ୩୯ ଓଭର ଖେଳି ୯ ଵିକେଟ କ୍ଷତିରେ ୧୦୫ ରନ୍‌ କରିଛି। ଓଡ଼ିଶା ପାଇଁ କାର୍ତ୍ତିକଙ୍କ ୫ ଵିକେଟ ବାଦ୍‌ ପ୍ରୀତ୍‌ ସି˚ହ ଚୌହାନ ୨, ତାରିଣୀ ସ’, ହର୍ଷିତ ରାଥୋଡ଼ ଗୋଟିଏ ଲେଖାଏ ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର

Comments are closed.