ଖୋଲୁଛି ବଲ୍ ବିକୃତ ପେଡ଼ି, ୩ରୁ ଅଧିକ ଖେଳାଳି ସାମିଲ ଥିବା କ୍ଲାର୍କଙ୍କ ଦାବି

ବନ୍‌କ୍ରଫ୍ଟଙ୍କ ସହ ଯୋଗାଯୋଗ କଲା ସିଏ, ସ୍ମିଥ୍ ଅନ୍ୟମାନଙ୍କୁ ଅଟକାଇବାର ଥିଲା: ଚାପେଲ

ସିଡ୍‌ନି: ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ଠାରେ ୨୦୧୮ ମସିହାରେ ଅଷ୍ଟ୍ରେଲିଆ ଖେଳାଳି ଘଟାଇଥିବା ବଲ୍ ବିକୃତ ଅଘଟଣର ଗୁମର କ୍ରମଶଃ ପଦାକୁ ଆସିବାରେ ଲାଗିଛି। ଏହି ବିବାଦୀୟ ଓ ଲଜ୍ଜାଜନକ ମାମଲାରେ ଦଣ୍ଡିତ ‌ହୋଇଥିବା ଅଷ୍ଟ୍ରେଲୀୟ ବୋଲର କାମେରନ୍ ବନକ୍ରଫ୍ଟ ସର୍ବସାଧାରଣରେ ଏହି ବିଷୟରେ ମୁହଁ ଖୋଲିବା ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ଆଲୋଡ଼ନ ସୃଷ୍ଟି ହୋଇଛି। ୩ ବର୍ଷ ତଳର ଏହି ଘଟଣା ଏବେ ସେଠାକାର କ୍ରୀଡ଼ାଜଗତର ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି।

ମେଲବର୍ଣ୍ଣ: ୨୦୧୮ ବଲ୍‌ ବିକୃତ ବିବାଦର ମୁଖ୍ୟ ଚରିତ୍ର ଥିବା ବ୍ୟାଟ୍ସମ୍ୟାନ୍‌ କାମେରନ୍ ବନକ୍ରଫ୍ଟଙ୍କ ନୂଆ ତଥ୍ୟ ଉନ୍ମୋଚନ ପରେ କ୍ରିକେଟ୍ ଅଷ୍ଟ୍ରଲିଆ (ସିଏ) ଏହାର ପୁରୁଣା ଫାଇଲ୍‌ ଖୋଲିଛି ଏବଂ ତଦନ୍ତ ଆରମ୍ଭ କରିଛି। ବନକ୍ରଫ୍ଟଙ୍କୁ ସିଏ ଯୋ‌ଗାଯୋଗ କରି ଅଧିକ ତଥ୍ୟ ମାଗିଛି। ସିଏର ଜାତୀୟ ଦଳ ମୁଖ୍ୟ ବେନ୍‌ ଓଲିଭର୍‌ ଏବଂ ‌ଇଣ୍ଟେଗ୍ରିଟ୍ ୟୁନିଟ୍ ମୁଖ୍ୟ ରିବେକା ମରେ ତାଙ୍କୁ ଯୋଗାଯୋଗ କରି ତାଙ୍କ ପୂର୍ବ ବକ୍ତବ୍ୟରେ କିଛି ନୂଆ ସଂଯୋଗ କରାଯିବ କି ବୋଲି ତର୍ଜମା କରୁଛନ୍ତି। ୨୦୧୮ ମସିହାର ନ୍ୟୁଲାଣ୍ଡ୍‌ସ ଟେଷ୍ଟ୍ (ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ) ବଲ୍ ବିକୃତ ବିବାଦ ବିଶ୍ବ କ୍ରିକେଟ୍‌ରେ ଚହଳ ପକାଇ ଦେଇଥିଲା। ଏହାର ମୁଖ୍ୟ ଚରିତ୍ର ରହିଥିବା କାମେରନ୍‌ ବନ୍‌କ୍ରଫ୍ଟ ଶନିବାର ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଷ୍ଟିଭେନ୍ ସ୍ମିଥ୍‌, ଡେଭିଡ୍ ୱାର୍ଣ୍ଣର ଓ ମୋ ବ୍ୟତୀତ ଅନ୍ୟ ଅଷ୍ଟ୍ରେଲୀୟ ବୋଲରମାନେ ମଧ୍ୟ ଏ ବିଷୟରେ ଅବଗତ ଥିଲେ ବନ୍‌କ୍ରଫ୍ଟ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଏହି କଳଙ୍କିତ ଅଧ୍ୟାୟ ପାଇଁ ବନ୍‌କ୍ରଫ୍ଟଙ୍କୁ ୯ ମାସ ନିଲମ୍ବିତ କରାଯାଇଥିବା ବେଳେ ସ୍ମିଥ୍ ଓ ୱାର୍ଣ୍ଣରଙ୍କୁ ୧ ବର୍ଷ ଲେଖାଏଁ ବାସନ୍ଦ କରାଯାଇଥିଲା। ସ୍ମିଥଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଏବଂ ୱାର୍ଣ୍ଣରଙ୍କୁ ଆଜୀବନ ନେତୃତ୍ବ ନ ଦେବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏହି ଚର୍ଚ୍ଚିତ ସ୍କାଣ୍ଡାଲ୍ ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ଡାରେନ୍ ଲିମ୍ୟାନ୍ ମଧ୍ୟ ଇସ୍ତଫା ‌ଦେଇଥିଲେ।

କେପଟାଉନ୍ ବଲ୍ ବିକୃତ ବିବାଦ ପୁଣି ଥରେ ଚର୍ଚ୍ଚାରେ ରହିଥିଲା ବେଳେ ଏହି ଅଶୋଭନୀୟ ଘଟଣା ଲାଗି ତତ୍‌କାଳୀନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ଦାୟୀ କରିଛନ୍ତି କିଂବଦନ୍ତି କ୍ରିକେଟର ଇଆନ ଚାପେଲ। ଅନ୍ୟ ଖେଳାଳିମାନେ ଯଦି ଏଭଳି କୈଣସି ଷନଯନ୍ତ୍ର କରୁଥିଲେ ଅଧିନାୟକ ଭାବେ ସ୍ମିଥ୍‌ଙ୍କୁ ଏହାକୁ ଅଟକାଇବାର ଥିଲା ବୋଲି ସୋମବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ଚାପେଲ କହିଛନ୍ତି। ‘‘ସ୍ମିଥ୍ ସେତେବେଳେ କିଛି ନ କହି ନିଜ ଗୋଡ଼କୁ ନିଜେ ହାଣିଥିଲେ। ଏବେ ଯଦି ତାଙ୍କୁ ପୁନର୍ବାର ଅଧିନାୟକ ପଦକୁ ଫେରାଇ ଅଣାଯାଏ ତାହାଲେ ଏହା ପଛକୁ ଫେରିବା ସଦୃଶ ହେବ। ମୋ ମତ ଆମକୁ ଆଗକୁ ବଢ଼ିବାର ସମୟ ଆସି ଯାଇଛି। ସ୍ମିଥ୍‌ଙ୍କ ପରିବର୍ତ୍ତେ ବରଂ ପ୍ୟାଟ୍ କମିନ୍ସଙ୍କୁ ସୁଯୋଗ ଦେବା ଭଲ ହେବ’’ ବୋଲି ଚାପେଲ ମତ ରଖିଥିଲେ।

୩ରୁ ଅଧିକ ଖେଳାଳି ସାମିଲ ଥିବା କ୍ଲାର୍କଙ୍କ ଦାବି

ସିଡ୍‌ନି: ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ସୋମବାର ବଲ୍‌ ବିକୃତି ବିବାଦରେ ମୁହଁ ଖୋଲିଛନ୍ତି। ୨୦୧୮ ବଲ୍‌ ବିକୃତିରେ କେବଳ ୩ ଜଣ ନୁହେଁ ଏହାଠୁ ଅଧିକ ଖେଳାଳି ସଂପୃକ୍ତ ଥିବା ସେ ଦାବି କରିଛନ୍ତି। ବଲ୍‌ ବିକୃତ କରିଥିବା ଅଭିଯୋଗରେ ୨୦୧୮ରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ କାମେରନ ବନକ୍ରଫ୍ଟ ୯ ମାସ କ୍ରିକେଟ୍‌ରୁ ବାସନ୍ଦ ହୋଇଥିଲେ। ବନକ୍ରଫ୍ଟଙ୍କ ବାଦ୍‌ ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ୱାର୍ଣ୍ଣର ମଧ୍ୟ ଏହି ମାମଲାରେ ଗୋଟିଏ ବର୍ଷ ‌ଲେଖାଏଁ ବାସନ୍ଦ ହୋଇଥି‌ଲେ। ହେଲେ ଏହି ୩ ଜଣଙ୍କ ଛଡ଼ା ଅନ୍ୟ କୌଣସି ଖେଳାଳି ଏହି ମାମଲାରେ ସଂପୃକ୍ତ ନଥିବା ନେଇ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) କରିଥିବା ତଦନ୍ତରୁ ଜଣା ପଡ଼ିଥିଲା। ତେବେ ନିକଟରେ ଏକ ସାକ୍ଷାତକାରରେ କ୍ଲାକ୍‌ କହିଛନ୍ତି ଯେ ବୋଲିଂ ବେଳେ ବୋଲର ତ ବଲ୍‌ ଧରିଥିବେ। ହେଲେ ସେମା‌‌ନେ ଏହି ବିଷୟରେ କିପରି ଜାଣି ପାରିଲେନି।’’

ମୁଁ ଆପଣଙ୍କୁ ଗୋଟିଏ କଥା କହିବି। ଆପଣ ପେନ୍‌ରେ ମୋ ବ୍ୟାଟ୍‌ ହ୍ୟାଣ୍ଡଲ୍‌ର ଉପର ଅଂଶ ହେଉ କି ତଳ ଅଂଶ କି ସମ୍ମୁଖରେ କିମ୍ବା ଗ୍ରିପ୍‌ ତଳେ ଏବଂ ଯେ କୌଣସି ସ୍ଥାନରେ ୧ ଲେଖିବେ ତାହା ମୁଁ ଜାଣିପାରିବି। ଆପଣ ଖେଳର ଉଚ୍ଚ ସ୍ତରରେ ଅଛନ୍ତି। ଆପଣଙ୍କ ଖେଳ ଉପକରଣରେ କିଏ କ’ଣ କଲା ତାହା ନ ଜାଣିବା ଏକ କୌତୁକିଆ କଥା। ଆପଣ ଭାବି ପାରୁଛନ୍ତି କି ବୋଲର ବୋଲିଂ ବେଳେ ବଲ୍‌ ଧରୁଛି ପୁଣି ଏହା ଜାଣି ପାରିବନି।’’ ବୋଲି ୨୦୧୫ ଦିନିକିଆ ବିଶ୍ବ କପ୍‌ ବିଜେତା ଅଷ୍ଟ୍ରେଲିଆ ଦଳର ତତ୍‌କାଳୀନ ଅଧିନାୟକ କହିଛନ୍ତି। ଏଥିରେ ବିସ୍ମୟ ହେବାର କିଛି ନାହିଁ। ୩ରୁ ଅଧିକ ଲୋକ ନିଶ୍ଚିତ ଜାଣିଥିଲେ। ଜଣେ କ୍ରିକେଟ୍‌ ବିଷୟରେ ଟିକେ ବି ଜାଣିଥିବ ସେ ଏହି କଥା କହିବ। ମୁଁ ବି ୩ରୁ ଅଧିକ ଲୋକ ଏଥିରେ ଜଡ଼ିତ ନାହାନ୍ତି ବୋଲି କହିପାରିବିନି ବୋଲି ସେ କହିଛନ୍ତି। କ୍ଲାର୍କଙ୍କ କଥାକୁ ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆକାଶ ଚୋପ୍ରା ବି ସମର୍ଥନ କରିଛନ୍ତି। ଏତେ ବଡ଼ ଷନଯନ୍ତ୍ରରେ ମାତ୍ର ୩ ଜଣ ଖେଳାଳି ସଂପୃକ୍ତ ଥିବା ଖବର ବିଶ୍ବାସଯୋଗ୍ୟ ନୁହେଁ ‌ବୋଲି ମତ ରଖିଛନ୍ତି ସେ।

ସମ୍ବନ୍ଧିତ ଖବର