ବୋଲିଂ ଉପରେ ଏକାଗ୍ର ହେବାକୁ ସ୍ମିଥ୍‌ଙ୍କୁ କହିଥିଲେ କ୍ଲାର୍କ

ସିଡନି: ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ ମେରୁଦଣ୍ଡ ପାଲଟିଥିବା ‌ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ବିଶ୍ବ କ୍ରିକେଟ୍‌ର ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ଆଖ୍ୟା ପାଇଥା’ନ୍ତି। ଏପରିକି କିଂବଦନ୍ତିଙ୍କ ମଧ୍ୟରେ ଗଣା ହେବା ଲାଗି ଦୃଢ଼ ଦାବିଦାର ବି ରହିଛନ୍ତି। ସେ ଏବେ ଟେଷ୍ଟ୍ କ୍ରିକେଟ୍‌ର ବ୍ୟାଟିଂ ବର୍ଗରେ ଏକାଧିକ କୀର୍ତ୍ତିମାନ ବି ନିଜ ନାମରେ କରିସାରିଛନ୍ତି। ସାମ୍ପ୍ରତିକ ଟେଷ୍ଟ୍‌ କ୍ରିକେଟରେ ବି ସର୍ବାଧିକ ହାରାହାରି (୬୨.୦୭) ତାଙ୍କ ନାମରେ ରହିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ବ୍ୟାଟିଂ ତାରକା ଦିନେ ବୋଲିଂ ଦକ୍ଷତା ବଳରେ ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳରେ ସ୍ଥାନ ପାଇଥିଲେ, ଯାହା ଅନେକଙ୍କୁ ଜଣାନଥିବ। ସେହି ପୁରୁଣା ଦିନ କଥାକୁ ପଦାକୁ ଆଣିଛନ୍ତି ସ୍ମିଥଙ୍କ ପୂର୍ବତନ ଦଳୀୟ ସାଥୀ ଷ୍ଟୁଆର୍ଟ କ୍ଲାର୍କ।

ଏବିସି ସ୍ପୋର୍ଟ ପାଇଁ ଭାଷ୍ୟକାର ଦାୟିତ୍ବ ତୁଲାଉଥିବା ବେଳେ କ୍ଲାର୍କ କହିଛନ୍ତି ସ୍ମିଥ୍‌ ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳକୁ ଜଣେ ଲେଗ୍‌ସ୍ପିନର୍‌ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ଆସିଥିଲେ। ଦିନେ ସେ ରେକର୍ଡଧାରି ବ୍ୟାଟ୍ସମ୍ୟାନ୍‌ ହେବେ ବୋଲି କୌଣସି ସୂଚନା ବି ନଥିଲା। ଭାରତ ବିପକ୍ଷ ସିଡନି ଟେଷ୍ଟ୍‌ର ଉଭୟ ପାଳିରେ ଚମତ୍କାର ବ୍ୟାଟିଂ କରିଥିବା (୧୩୧ ଏବଂ ୮୧) ସ୍ମିଥଙ୍କ ସମ୍ପର୍କରେ କ୍ଲାର୍କ କହିଛନ୍ତି କନିଷ୍ଠ ବର୍ଗରେ ସେ ଖେଳୁଥିବା ‌ବେଳେ ସେଭଳି କିଛି ଖାସ୍ ନଥିଲେ। ‘ମୁଁ ଷ୍ଟିଭେନ୍‌ଙ୍କୁ ୧୪/୧୫ ବର୍ଷ ବୟସରୁ ଜାଣିଛି। ଆମେ ଏକାଠି ସଦରଲାଣ୍ଡ୍‌ ଜିଲ୍ଲା କ୍ରିକେଟ୍‌ କ୍ଲବ୍‌ ପାଇଁ ଖେଳୁଥିଲୁ। ତାଙ୍କୁ ନିଜ ଲେଗ୍‌ ସ୍ପିନ୍‌ ଉପରେ ଏକାଗ୍ରତା ଆଣିବାକୁ କହିଥିଲି। ଏହା କଲେ ସେ ଭଲ ସ୍ପିନର୍‌ ଏବଂ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ ଭାବେ ଦଳରେ ସ୍ଥାନ ପାଇପାରିବେ। ଏବେ କିନ୍ତୁ ସେ ୭୬ ଟେଷ୍ଟ ଶେଷ ସୁଦ୍ଧା ୬୨.୦୭ ହାରରେ ବ୍ୟାଟିଂ କରୁଛନ୍ତି, ଯାହାକି‌‌ କେବଳ ଡନ୍ ବ୍ରା‌ଡମ୍ୟାନଙ୍କ ପଛକୁ ଦ୍ବିତୀୟ ରହିଛି। ଆସେସ୍ ଶୃଙ୍ଖଳାରେ ବି ସେ ୧୦୦୦ରୁ ଊର୍ଧ୍ବ ରନ୍‌ କରିପାରୁଛନ୍ତି। ସେ ସର୍ବଦା ଜଣେ କ୍ରିକେଟ୍ ପାଗଳ ଓ କଠିନ ପରିଶ୍ରମୀ। ବିଶ୍ବ ବିଜୟୀ ହେବା ଲାଗି ତାଙ୍କ ମାନସିକତା ବି ଅଛି। ତାଙ୍କ ବ୍ୟାଟିଂରେ ଅସ୍ବାଭାବିକ ଦିଗ ରହିଛି, କିନ୍ତୁ ଦୃଢ଼ ମାନସିକତା ତାଙ୍କୁ ଭିନ୍ନ ଭାବେ ଗଢ଼ି ତୋଳିଛି।’ ବୋଲି ପୂର୍ବତନ ଦ୍ରୁତ ବୋଲର କ୍ଲାର୍କ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର