ସରକାରଙ୍କ ସହାୟତା ଲୋଡ଼ିଲେ ପର୍ବତାରୋହୀ

ଭୁବନେଶ୍ବର: ୭ ମହାଦେଶର ୭ ଗିରିଶୃଙ୍ଖ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଥିବା ଓଡ଼ିଶାର ୧୦ ଜଣ ଯୁବ ପର୍ବତାରୋହୀ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଏହି ଉତ୍ସାହୀ ପର୍ବତାରୋହୀମାନେ  ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଖ ମାଉଣ୍ଟ ଏଲବ୍ରୁଜ୍ (୧୮,୫୧୦ ଫୁଟ) ଚଢ଼ିବା‌କୁ ‌ଯୋଜନା କରିଛନ୍ତି। ହେଲେ ପାଖରେ ଆବଶ୍ୟକ ଅର୍ଥ ନଥିବାରୁ ଚିନ୍ତାରେ ରହିଛନ୍ତି। ସେଥିପାଇଁ କୌଣସି ଗିରିଶୃଙ୍ଗ (ସାଧାରଣତଃ ଏଭରେଷ୍ଟ ବିଜୟୀଙ୍କୁ ହିଁ ଓଡ଼ିଶା ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି) ଚଢ଼ିବା ପରେ ସରକାର ଦେଉଥିବା ପ୍ରୋତ୍ସାହନ ରାଶିର କିଛି ଅଂଶ ଅଭିଯାନ ଆରମ୍ଭ ବେଳେ ଦେବାକୁ ସେମାନେ ଦାବି କରିଛନ୍ତି। ସେହିଭଳି  ଦୁଃସାହସିକ କ୍ରୀଡ଼ାକୁ ସ୍ବୀକୃତିପ୍ରାପ୍ତ ଖେଳ ତାଲିକାରେ ସ୍ଥାନ ଦେବାକୁ ମିଳିତ ଭାବେ ସରକାରଙ୍କୁ ଅନୁରୋଧ କରିଛନ୍ତି। ପ୍ରତିଭାବାନ ତଥା ଯୁବ ପର୍ବତାରୋହୀ ନୀଳାଚଳ ପରିଡ଼ାଙ୍କ ନେତୃତ୍ବରେ ୟୁରୋପ ଯାଉଥିବା ଏହି ଦଳରେ ଅଛନ୍ତି ୯ ଜଣ ବାଳକ ଏବଂ ଜଣେ ବାଳିକା। ସେମାନେ ହେଲେ ନୀଳାଚଳ ପରିଡ଼ା (ଭୁବନେଶ୍ବର),  ଶ୍ରୀତମ ନାଗ (ଖୋର୍ଧା), ବବୁଲ ଦାସ (ଭୁବନେଶ୍ବର),  ନାରାୟଣ ବେହେରା ( ଗଞ୍ଜାମ), ମୀନତି ପୃଷ୍ଟି (ଭୁବନେଶ୍ବର, ସାଲିଆ ସାହି),  ମିଥୁନ ସ୍ବାଇଁ ( ଗଞ୍ଜାମ), ବିଶ୍ବପ୍ରକାଶ ସାହୁ (ନୀଳକଣ୍ଠ ନଗର, ଭୁବନେଶ୍ବର),  ରାକେଶ ବେହେରା ( ଭୁବନେଶ୍ବର), ଅଭିଷେକ ବାରିକ ( ଟଙ୍କୋଳ),  ସଞ୍ଜୟ କୁମାର ଗୋଚ୍ଛାୟତ (ପୁରୀ)। ସମସ୍ତେ ଜମ୍ମୁ କଶ୍ମୀରରେ ଥିବା ଜବାହର ପର୍ବତାରୋହଣ ଏବଂ ଶୀତକାଳୀନ କ୍ରୀଡ଼ା ପ୍ରତିଷ୍ଠାନରୁ ପାହାଡ଼ ଚଢ଼ାର ମୈଳିକ ଶିକ୍ଷା ଲାଭ କରିଛନ୍ତି। ନୀଳାଚଳ ଉଚ୍ଚତର ଶିକ୍ଷା ଶେଷ କରିଛନ୍ତି। ସମସ୍ତେ ମନାଲି ଏବଂ ଜମ୍ମୁ କଶ୍ମୀରରେ ଥିବା ଅନେକ ଛୋଟ ବଡ଼ ଗିରିଶୃଙ୍ଗକୁ ସଫଳତାର ସହ ଆରୋହଣ କରି ସାରିଛନ୍ତି।

ସେପ୍ଟେମ୍ବରରେ ଏଲବ୍ରୁଜ୍ ଅଭିଯାନ

ନୀଳାଚଳଙ୍କ ନେତୃତ୍ବରେ ଏବଂ ଗୋ ଇଣ୍ଡିଆ ଆଡଭେଞ୍ଚର ପତାକା ତଳେ ଏହି ପର୍ବତାରୋହୀମାନେ ସେପ୍ଟେମ୍ବର ୩୦ ତାରିଖରେ ଏଲବ୍ରୁଜ୍ ଅଭିଯାନ ଆରମ୍ଭ କରିବେ। ସେମାନେ ପ୍ରଥମେ ଭୁବନେଶ୍ବରରୁ ମନାଲି ଯାଇ ସେଠାକାର ମାଉଣ୍ଟ ୟୁନୋମ (୬୧୧୦ ମିଟର ଉଚ୍ଚ) ଆରୋହଣ କରିବେ। ସେଠାରୁ ଦିଲ୍ଲୀଯାଇ ୟୁରୋପ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏଥିଲାଗି ଗୋ ଇଣ୍ଡିଆ ଆଡଭେଞ୍ଚର ପ୍ରତିଷ୍ଠାନ ପକ୍ଷରୁ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଓଡ଼ିଶା କ୍ରୀଡ଼ା ସଂସ୍କୃତି ଓ ପରମ୍ପରାକୁ ବିଶ୍ବ ଦରବାରରେ ପହଞ୍ଚାଇବା ସହ ଦେଶ ଓ ରାଜ୍ୟ ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ୭ଟି ଯାକ ଶିଖରରେ ସ୍ଥାପନ କରିବା ଅଭିଯାନର ଲକ୍ଷ୍ୟ ବୋଲି କହିଥିଲେ। ଏହି ଅବସରରେ ନୀଳାଚଳଙ୍କ ସହ ସମାଜସେବୀ ରତ୍ନା‌କର ସାହୁ, ମୁଥୁନ ସ୍ବାଇଁ, ବିଶ୍ବ ପ୍ରକାଶ ସାହୁ ଓ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଲବ୍ରୁଜ୍ ଅଭିଯାନ ପାଇଁ ଆମକୁ ପାଖାପାଖି ୨୦ ଲକ୍ଷ ଟଙ୍କା ଦରକାର। ଆମକୁ ଏଥିଲାଗି ସହାୟତାର ହାତ ବଢ଼ାଇବାକୁ ସରକାରୀ ଏବଂ ବେସରକାରୀ ସଂସ୍ଥାକୁ ଆମେ ଅନୁରୋଧ କରୁଛୁ। ଆମେ ପବ୍ଲିକ୍ ଫଣ୍ଡିଂ ଆରମ୍ଭ କରିଥିବାରୁ ସାଧାରଣ ଜନତାଙ୍କୁ ମଧ୍ୟ ସହାୟତା ଲାଗି ଆଗେଇ ଆସିବାକୁ ଆହ୍ବାନ କରୁଛୁ ବୋଲି ନୀଳାଚଳ କହିଥିଲେ।

ସମ୍ବନ୍ଧିତ ଖବର