ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ମଣିପୁରଗ୍ରାମ ଜେନାସାହୁପାଟଣା ନିବାସୀ ପରମାନନ୍ଦ ରାଉତ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋକୁ ସଫଳତାର ସହ ଆରୋହଣ କରିଛନ୍ତି। ଗତ ୯ ତାରିଖରେ ଭୁବନେଶ୍ୱରରୁ ମୁମ୍ବାଇ ଦେଇ ତାଞ୍ଜାନିଆର କିଲିମାଞ୍ଜାରୋ ବିମାନବନ୍ଦରରେ ଓହ୍ଲାଇଥିଲେ। ସେଠାରେ ଗୋଟିଏ ଦିନ ବିଶ୍ରାମ ନେଇ ପରଦିନ ତାଞ୍ଜାନିଆ ନ୍ୟାସନାଲ ପାର୍କର ‘ମୋରାଙ୍ଗୋ’ ଗେଟ୍ ଦେଇ ତାଞ୍ଜାନିଆ ପାର୍କ ମଧ୍ୟକୁ ପଶିଥିଲେ। ଦ୍ୱିତୀୟ ଦିନ ମାଣ୍ଡରା ହଟ୍ (୧୮୬୦ମି), ତୃତୀୟ ଦିନ ହରମ୍ବୋ ହଟ୍ (୨୭୦୦ମି), ଚତୁର୍ଥଦିନ ଲିବୋ ହଟ୍ (୩୭୦୦ମି), ପଞ୍ଚମ ଦିନ କିବୋ ହଟ୍ରୁ ବେସ୍ କ୍ୟାମ୍ପଠାରେ ପହଞ୍ଚିଥିଲେ। ବୁଧବାର ସକାଳ ୭ଟାରେ ପରମାନନ୍ଦ କିଲିମାଞ୍ଜାରୋ ଶିଖରରେ ସାଥୀ ପର୍ବତାରୋହୀଙ୍କ ସହ ପହଞ୍ଚିଥିଲେ। ସାଙ୍ଗରେ ଗାଇଡ୍ଙ୍କ ସହ ଜାତୀୟ ପତାକା ଉଡ଼ାଇ କିଛିସମୟ ଶିଖରରେ ରହିବା ସହ ପୁନର୍ବାର ବେସ୍ କ୍ୟାମ୍ପ ଦେଇ ତଳକୁ ଓହ୍ଲାଇଥିଲେ। ପିତା ଧୋଇଆ ରାଉତ ଓ ମାତା କାଞ୍ଚନ ରାଉତଙ୍କ ସାନ ପୁଅ ପରମାନନ୍ଦ। ୨ବର୍ଷ ପୂର୍ବରୁ ପର୍ବତାରୋହଣ ପାଇଁ ମନ ବଳାଇଥିବା ପରମାନନ୍ଦ ଉତ୍ତରାଖଣ୍ଡର କେଦାରକଣ୍ଟରେ ଟ୍ରେକିଂ କରି କିଛି ଅଭିଜ୍ଞତା ହାସଲ କରିଥିଲେ। ଏହି ଅଭିଜ୍ଞତା ଓ ଦୃଢ଼ ମନୋବଳ ୨୩ ବର୍ଷୀୟ ଏହି ଯୁବକଙ୍କୁ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ ଚଢ଼ିବା ଲକ୍ଷ୍ୟରେ ବାହାରିଥିଲେ।
ଓଡ଼ିଶାର ପ୍ରଥମ ପର୍ବତାରୋହୀ ତଥା ପ୍ରଥମ ଏଭରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ଜିଲ୍ଲା ଢେଙ୍କାନାଳକୁ ପରମାନନ୍ଦ ଗୌରବାନ୍ୱିତ କରିଛନ୍ତି। ଆଗକୁ ଆହୁରି ଯୁବକ ଯୁବତୀ ଢେଙ୍କାନାଳ ଜିଲ୍ଲାରୁ ପର୍ବତାରୋହଣ ପାଇଁ ବାହାରି ଜିଲ୍ଲା ଓ ରାଜ୍ୟକୁ ଗୌରବାନ୍ୱିତ କରିବେ ବୋଲି ପରମାନନ୍ଦଙ୍କ ପଥ ପ୍ରଦର୍ଶକ ପର୍ବତାରୋହୀ ନୃସିଂହ ସାହୁ କହିଛନ୍ତି। ଏଥିସହ ଏଭରେଷ୍ଟ ଆରୋହୀ ସ୍ୱର୍ଣ୍ଣଲତା ପ୍ରଧାନ, ସିଦ୍ଧାର୍ଥ ରାଉତରାୟ, ପର୍ବତାରୋହୀ ଚିନ୍ମୟ ମହାରଣା, ମଧୁସ୍ମିତା ପାତ୍ର, ସଲିମ ଜାରକା, ଭବାନୀ, ଶ୍ରୀନିବାସ ନାଥ, ଲିପିକା ସେଠ୍, କୁଶ ଆର୍ଲଟ, ଆଦିତ୍ୟ ଖାଡ଼ଙ୍ଗା, ନୀଳାଚଳ ପରିଡ଼ା ଓ ଓଡ଼ିଶାର ଜଣାଶୁଣା ପାରାଗ୍ଲାଇଡିଂ ତଥା ଆଡ୍େଭଞ୍ଚର କମ୍ପାନୀ ‘ଗ୍ରିନ ସ୍କେପ୍’ ଆଡ଼ଭେଞ୍ଚର ପ୍ରା ଲିଃ ଏମ୍ଡି ଶଶାଙ୍କ ଶେଖର ରଥ ଓ ସିଇଓ କମାଣ୍ଡର ଡିକେ ମିଶ୍ର ଏହି ସଫଳତା ପାଇଁ ପରମାନନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରମାନନ୍ଦ ଶୁକ୍ରବାର ସନ୍ଧ୍ୟା ୫ ଘଟିକା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାର କାର୍ଯ୍ୟକ୍ରମ ରହିଛି।