ଦେବାଶିଷ ସୁନ୍ଦରାୟ

Advertisment

 ଓଡ଼ିଶାରେ ଅଭ୍ୟାସ କରି ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣିମ ସଫଳତା ସହ ଆପଣ ନୂଆ ଇତିହାସ ରଚିଥିଲେ। ଭାରତୀୟ କ୍ରୀଡ଼ାର ନୂଆ ନାୟକ ଭାବେ ଉଭା ‌ହୋଇଥିଲେ। ଓଡ଼ିଶା ସହ ଥିବା ନିଆରା ସଂପର୍କକୁ କେମିତି ବ୍ୟାଖ୍ୟା କରିବେ?
ଓଡ଼ିଶା, ବିଶେଷ କରି ଭୁବନେଶ୍ବର ସହ ମୋର ନିବିଡ଼ ସଂପର୍କ ରହିଛି। ଏଠାରେ ଆୟୋଜିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ସ୍ବର୍ଣ୍ଣ ଜିତିବା ପରେ ହିଁ ମୋ ଉପରେ ସମସ୍ତଙ୍କ ଦୃଷ୍ଟି ପଡ଼ିଥିଲା। ଏଥିଲାଗି ମୋତେ ଓଡ଼ିଶା ସରକାର ଆର୍ଥିକ ପୁରସ୍କାର ବି ଦେଇଥିଲେ। ସେହିଭଳି ଟୋକିଓ ଅଲିମ୍ପିକ୍ସର ଠିକ୍ ପୂର୍ବରୁ ମୁଁ କଳିଙ୍ଗ ଷ୍ଟାଡିୟମ୍‌ରେ ରହି ଢେର ଦିନ ଅଭ୍ୟାସ କରିଥିଲି। ଏଠାକାର ପାଣି ପବନରେ ବୁହାଇଥିବା ଝାଳର ଫଳ ଅଲିମ୍ପିକ୍ସ ସ୍ବର୍ଣ୍ଣ ଭାବେ ମିଳିଥିଲା। ଚଳିତବର୍ଷ ଏଠାକୁ ଆ‌ସି ଜାତୀୟ ଦୌଡ଼କୁଦ ବି ଖେଳିଥିଲି। ଯେତେବେଳେ ଏଠାକୁ ଆସେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଥାଏ। ସେଠାକୁ ଯିବାର ଅନୁଭୂତି ସତରେ ନିଆରା ଓ ଅବର୍ଣ୍ଣନୀୟ। ଏବେ ‘ଅଣ୍ଡର୍ ଆର୍ମର’ର ବ୍ରାଣ୍ଡ ଆମ୍ବାସାଡାର ଭାବେ ପୁଣି ଥରେ ଏଠାକୁ ଆସି ବେଶ୍ ଖୁସି ଲାଗୁଛି।

 ଅପଣ ସବୁବେଳେ କୁହନ୍ତି, କିଛି କରିଦେଖାଇବାର ଝୁଙ୍କ୍‌ ଓ ଜିଦ୍ ହିଁ ଜଣକୁ ବଡ଼ କରିଥାଏ। ଏହାର ଗୁରୁତ୍ବ କେବଳ କ୍ରୀଡ଼ା ନା ସାଧାରଣ ଜୀବନରେ ବି ରହିଛି?
ପାଠ ହେଉ କି ସାଠ, ଅପଣଙ୍କୁ ସବୁକ୍ଷେତ୍ରରେ ସ୍ଥିରତା ରଖିବାକୁ ହେବ। ଯେତେ ବାଧାବିଘ୍ନ ଆସୁ ପଛେ ଯେଉଁ କାମରେ ହାତ ଦେଇଛନ୍ତି, ତାକୁ ବନ୍ଦ ନକରିବାର ଜିଦ୍‌ ହିଁ ଜଣକୁ ସଫଳ କରିଥାଏ। ଏଣୁ ଯାହା ବି କରୁଛ ତାହା ଜାରି ରଖିବାକୁ ମୁଁ ସମସ୍ତଙ୍କୁ ଆହ୍ବାନ କରିବି। ଜଣେ କ୍ରୀଡ଼ାବିତ୍‌ ଭାବେ ‌ମୁଁ କହିପାରିବି ଯେ ଅନେକ ସମୟରେ ଶରୀର ଅଭ୍ୟାସ କରିବାକୁ ଚାହି ନଥାଏ। ସେତେବେଳେ ମାନସିକ ଦକ୍ଷତା କାମରେ ଆସିଥାଏ। ଏଭଳି ସମୟରେ ଦୃଢ଼ ମାନସିକ ଦକ୍ଷତା ଥିବା ଖେଳାଳି ହିଁ ଅନ୍ୟମାନଙ୍କଠାରୁ ଆଗକୁ ବଢ଼ି ଯାଇଥାଏ। ସାଧାରଣ ଜୀବନରେ ମଧ୍ୟ ଏହି ମନ୍ତ୍ରର ମହତ୍ତ୍ବ ଓ ଅବଦାନ ରହିଛି ବୋଲି ମୁଁ ହୃଦୟଙ୍ଗମ କରିଛି।

ଜାଭଲିନ୍ ଜଗତର ଉଜ୍ଜ୍ବଳତମ ନକ୍ଷତ୍ର ନୀରଜ ଚୋପ୍ରା ଗୁରୁବାର ନିଜ ଗାରିମାମୟ ଉପସ୍ଥିତିରେ କଳିଙ୍ଗ କ୍ରୀଡ଼ାପ୍ରେମୀଙ୍କୁ ଉଲ୍ଲସିତ କରିଛନ୍ତି। ଏକ ଘରୋଇ କାର୍ଯ୍ୟକ୍ରମରେ ଭୁବନେଶ୍ବର ଆସିଥିଲା ବେଳେ ଓଡ଼ିଶା ସହ ଥିବା ଆବେଗଭରା ସଂପର୍କ ଏବଂ ନିଜ ଭବିଷ୍ୟତ ଯୋଜନା ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସେହିଭଳି ନିଜ ପ୍ରୟାସରେ ସ୍ଥିରତା ଓ ନିରନ୍ତର ପ୍ରଦର୍ଶନ ଜାରି ରଖିଲେ କେବଳ ପାଠ ନୁହେଁ ସାଠରେ ମଧ୍ୟ ସଫଳତା ମିଳିପାରିବ ବୋଲି ଯୁବ ପିଢ଼ିଙ୍କୁ ଉପଦେଶ ଦେଇଛନ୍ତି। ‘ସମ୍ବାଦ’ ସହ କଥା ବେଳେ ଭାରତୀୟ ବ୍ୟବସାୟ ଜଗତର ଅମୂଲ୍ୟ ରତ୍ନ ରତନ ଟାଟାଙ୍କୁ ମଧ୍ୟ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

 ଭାରତୀୟ କ୍ରୀଡ଼ା ପ୍ରତି ଦିବଂଗତ ରତନ ଟାଟାଙ୍କ ଅବଦାନକୁ ନେଇ କ’ଣ କହିବେ?
ଟାଟା ଗ୍ରୁପ୍ ଓ ରତନ ଟାଟା ଭାରତୀୟ କ୍ରୀଡ଼ାର ବିକାଶ ପାଇଁ ଅନେକ କିଛି କରିଛନ୍ତି। ଅର୍ଥନୀତି ଭଳି କ୍ରୀଡ଼ା ଦୁନିଆରେ ଭାରତର ବିକାଶରେ ବ୍ୟକ୍ତିଗତ ଭାବେ ରତନ ଟାଟାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା‌ ରହିଆସିଛି। ତାଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ଅନେକ ଖେଳାଳି ଓ ଖେଳକୁ ଟାଟା ପ୍ରୋତ୍ସାହନ ଦେଇଛି ଓ ଦେଉଛି। ରତନ ଟାଟା କ୍ରୀଡ଼ାକୁ ସବୁବେଳେ ଜୀବନ ଜିଇଁବାର ଏକ ବାଟ ଭା‌ବେ ବିବେଚନା କରୁଥିଲେ। ସମଗ୍ର ଦେଶ ପାଇଁ ପ୍ରେରଣାର ସ୍ରୋତ ଥିଲେ। ତାଙ୍କ ସହ ବିତାଇଥିବା ମାତ୍ର କିଛି ସମୟକୁ  ମୁଁ କେବେବି ଭୁଲି ପାରିବିନ। ତାଙ୍କ ଅବର୍ତ୍ତମାନରେ ଭାରତୀୟ କ୍ରୀଡ଼ା ଜଗତ ଜଣେ ବଡ଼ ଶୁଭାକାଂକ୍ଷୀଙ୍କୁ ହରାଇଲା। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।

 ଅନେକ ଦିନ ଧରି ଆପଣଙ୍କ ପ୍ରଶିକ୍ଷକ ଥିବା ଜର୍ମାନୀର ପ୍ରତିଷ୍ଠିତ ପ୍ରଶିକ୍ଷକ କ୍ଲା‌ଉସ୍ ବାର୍ତୋ‌ନେଜଙ୍କଠାରୁ ନିକଟରେ ଅଲଗା ହୋଇଛନ୍ତି। ଏହାର କାରଣ କ’ଣ? ୨୦୨୫କୁ ନେଇ କିଭଳି ଯୋଜନା ଓ ଲକ୍ଷ୍ୟ ରଖିଛନ୍ତି?
କ୍ଲାଉସଙ୍କ ପ୍ରଶିକ୍ଷଣରେ ମୁଁ ଦୁଇଟି ଅଲିମ୍ପିକ୍ସ ଓ ଦୁଇଟି ବିଶ୍ବ ଚାମ୍ପିଅନସିପ୍ ଖେଳିଛି। ବୟସାଧିକ କାରଣରୁ ସେ ମୋଠାରୁ ଅଲଗା ହେବାକୁ ଇଚ୍ଛା ପ୍ରକାଶ କଲେ। ତାଙ୍କୁ ୭୫ ବର୍ଷ ହେଲାଣି। ଏଣୁ ତାଙ୍କ ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଇଲି। ଖୁବ୍‌ଶୀଘ୍ର ନୂଆ ପ୍ରଶିକ୍ଷକଙ୍କ ନାଁ ଘୋଷଣା କରିବି। ୨୦୨୫କୁ ନେଇ ମୁଁ ଏବେଠୁ କିଛି ଯୋଜନା କରିନି। ଫିଟ୍‌ନେସ୍ ଉପରେ ହିଁ ଅଧିକ ଧ୍ୟାନ ଦେଉଛି। ପୂରା ଫିଟନେସ୍ ପାଇବା ଏବେ ମୋର ଏକମାତ୍ର ଲକ୍ଷ୍ୟ।

 ଓଡ଼ିଶାର କେଉଁ ଦିଗଟି ଆପଣଙ୍କୁ ସବୁଠୁ ଭଲ ଲାଗେ?
ଓଡ଼ିଶାର ଲୋକ, ଏଠାକାର ରକମ ରକମର ଖାଦ୍ୟ ଆଉ ପଥର ମୂର୍ତ୍ତି ମୋର ବେଶ୍ ପସନ୍ଦ। ଓଡ଼ିଶାର ଶିଳ୍ପୀମାନେ ନିଜ ନିହାଣ ମୂନର ଯେଭଳି ଭାବେ ପଥରକୁ ଜୀବନ୍ତ କରିପାରନ୍ତି, ତାହା ସ୍ବତନ୍ତ୍ର ଓ ପ୍ରଶଂସନୀୟ। ମୋତେ ଏହି ମୂର୍ତ୍ତିଗୁଡ଼ିକ ବେଶ୍‌ ପ୍ରଭାବିତ କରନ୍ତି। ମନେ ମନେ ଭାବେ ଏମାନେ ଏହି ମୂର୍ତ୍ତିଗୁଡ଼ିକ ତିଆରି କରିବାକୁ କେତେ ପରିଶ୍ରମ କରୁ ନଥିବେ?  ପୂରୀ ଓ କୋଣାର୍କ ଯିବା ବେଳେ ରାସ୍ତାରେ ଥିବା ଦୋକାନଗୁଡ଼ିକରେ ମୁଁ ଯେବେବି ଏଭଳି ମୂର୍ତ୍ତି ଦେଖେ କିଛି କ୍ଷଣ ସେଠାରେ ରହି ‌ସେଗୁଡ଼ିକୁ ନିକଟରୁ ନିରିଖି ଥାଏ। ଏଣୁ ଏଠାରୁ ଏକ ମୂର୍ତ୍ତି ବରାଦ ଦେଇ ମୋ ଘରେ ରଖିବାକୁ ଯୋଜନା ରଖିଛି। ଏହା ମୋ ପାଇଁ ଓଡ଼ିଶାରୁ ମିଳୁଥିବା ଭଲପାଇବାର ଅଭୁଲା ସ୍ମୃତି ହେବ।