ଉଦ୍‌ଯାପନୀ ଉତ୍ସବ ନାହିଁ

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବ ନୂଆ ଶିଖର ଛୁଇଁଥିଲା। କିନ୍ତୁ ରବିବାର ହେବାକୁ ଥିବା ଉଦ୍‌ଯାପନୀ ଉତ୍ସବରେ ସେଭଳି କିଛି ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବାର ନାହିଁ ବୋଲି ଅନ୍ତର୍ଜାତୀୟ ହକି ସଂଘ (ଏଫ୍‌ଆଇଏଚ୍)ର ସଭାପତି ନରେନ୍ଦ୍ର ବାତ୍ରା ସ୍ପଷ୍ଟ କରି ଦେଇଛି। ଏହି ଉତ୍ସବକୁ ବହୁ ବଲିଉଡ୍ ତାରକା ଏବଂ କିମ୍ବଦନ୍ତୀ କ୍ରିକେଟରଙ୍କ ଆଗମନ ହେବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ସବୁଗୁଡ଼ିକୁ ବାତ୍ରା ଖଣ୍ଡନ୍ କରିଛନ୍ତି ଏବଂ ରବିବାର ଫାଇନାଲ୍‌ ମ୍ୟାଚ୍ ସାଧାରଣ ଭାବେ‌ ହେଉଥିବା ପୁରସ୍କାର ପ୍ରଦାନ ଉତ୍ସବରେ ସୀମିତ ରହିବ ବୋଲି କହିଥିଲେ। ଏଥି ସହିତ ପ୍ରଶଂସକଙ୍କ ମଧ୍ୟରେ ଏହାକୁ ନେଇ ରହିଥିବା ଉତ୍ସାହ ଓ ଉତ୍କଣ୍ଠାର ଅବସାନ ଘଟିଛି। ଭୁବନେଶ୍ବର ଏବେ ହକିର ହୃଦୟ ପାଲଟିଛି ବୋଲି ମଧ୍ୟ କହିଥିଲେ ବାତ୍ରା। ଭାରତ ମ୍ୟାଚ୍ ସମୟ ବଦଳିଲା ଗୁରୁବାର ଭାରତ ଖେଳିବାକୁ ଥିବା ନେଦରଲାଣ୍ଡ୍‌ ବିପକ୍ଷ କ୍ବାର୍ଟରଫାଇନାଲ୍ ସମୟ ନିର୍ଘଣ୍ଟ ବଦଳିଯାଇଛି। ମଙ୍ଗଳବାର ପର୍ଯ୍ୟନ୍ତ ଏହି ମ୍ୟାଚ୍ ଗୁରୁବାର ଅପରାହ୍ନ ୪.୪୫ ମିନିଟରେ ଖେଳାଯିବ ବୋଲି ଧାର୍ଯ୍ୟ ଥିଲା। କିନ୍ତୁ ଏହାକୁ ସଂଧ୍ୟା ୭ଟା ସମୟକୁ ଘୁଞ୍ଚାଇ ଦିଆଯାଇଛି। ଏହି ସମୟରେ ବେଲଜିୟମ୍-ଜର୍ମାନି ଅନ୍ୟ କ୍ବାର୍ଟର ଫାଇନାଲରେ ମୁକାବିଲା କରିବେ। ପ୍ରାଇମ୍ ଟାଇମ୍ ପ୍ରସାରଣ ଦୃଷ୍ଟିରୁ ଏହି ସମୟ ପରିବର୍ତନ ହୋଇଥିବା ବିଶ୍ବାସ କରାଯାଉଛି। ଭାରତ ମଧ୍ୟ ନିଜର ସମସ୍ତ ପୂର୍ବ ୩ ମ୍ୟାଚ୍ ସଂଧ୍ୟା ୭ଟାରେ ଖେଳିଥିଲା।

ଭୁବନେଶ୍ବରରେ ଏଫ୍‌ଆଇଏଚ୍ ସିରିଜ୍‌
ଭୁବନେଶ୍ବରରେ ପୁଣି ଏକ ଅନ୍ତର୍ଜାତୀୟ ହକି ମହୋତ୍ସବ ହେବ। ୨୦୧୯ ଜୁନ୍ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ହକି କଂପ୍ଲେକ୍ସରେ ଖେଳାଯିବ ଏଫଆଇଏଚ୍ ହକି ସିରିଜ୍। ତିନିଟି ସ୍ଥାନରେ ହେବାକୁ ଥିବା ଏହି ନୂଆ ଫର୍ମାଟର ସିରିଜ୍‌ ମାଲେସିଆ, ଫ୍ରାନ୍ସ ପରେ ଭାରତରେ ଖେଳାଯିବ। ହକି ଇଣ୍ଡିଆ ଏହାକୁ ଭୁବନେଶ୍ବରରେ କରିବ ବୋଲି ଅନ୍ତର୍ଜାତୀୟ ହକି ସଂଘ ମୁଖ୍ୟ ନରେନ୍ଦ୍ର ବାତ୍ରା ପ୍ରକାଶ କରିଛନ୍ତି। ଭାରତ ସହିତ ଜାପାନ, ମେକ୍ସିକୋ, ପୋଲାଣ୍ଡ, ରୁଷିଆ, ଦକ୍ଷିଣ ଆଫ୍ରିକା, ଆମେରିକା ସହିତ ମୋଟ ୮ ଦଳ ୨୨ ମ୍ୟାଚ୍ ଖେଳିବେ। ପ୍ରଥମ ଦୁଇ ସ୍ଥାନରେ ରହୁଥିବା ଦଳ ଅଲିମ୍ପିକ୍ ଯୋଗ୍ୟତା ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଏହା ବ୍ୟତୀତ ୨୦୧୯ରେ ପ୍ରଥମ ଥର ପାଇଁ ଏଫଆଇଏଚ୍ ସିରିଜ୍ ଫାଇନାଲଲ୍ସ ଉଭୟ ପୁରୁଷ ଏବଂ ମହିଳା ବର୍ଗ ପାଇଁ ଅନୁଷ୍ଠିତ ହେବ। ସମାନ ଦଳ ଏବଂ ମ୍ୟାଚ୍ ବିଶିଷ୍ଟ ମହିଳା ବର୍ଗର ପ୍ରତିଯୋଗିତା ଆୟର୍ଲାଣ୍ଡ, ଜାପାନ ଏବଂ ସ୍ପେନ୍‌ରେ‌ ଖେଳାଯିବ। ୧୪ ମ୍ୟାଚ୍ ବିଶିଷ୍ଟ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ (ଉଭୟ ପୁରୁଷ ଓ ମହିଳା) ସହିତ ପ୍ରଥମ ଥର ପାଇଁ ମଧ୍ୟ ଏଫଆଇଏଚ୍‌ ପ୍ରୋ ଲିଗ୍ ଖେଳାଯିବ।

ଏଫଏମ୍‌ ‌ରେନ୍‌ବୋରେ ବିଶ୍ବକପ୍
କଟକ ଆକାଶବାଣୀର ଏଫ୍‌ଏମ୍ ରେନବୋ ଚ୍ୟାନେଲ୍‌ ମାଧ୍ୟମରେ ବିଶ୍ବକପ୍ ହକି ପ୍ରତିଯୋଗିତାର ଧାରାବିବରଣୀ ପ୍ରଦାନ କରାଯାଉଛି। ଡିସେମ୍ବର ୧୧ ତାରିଖ କ୍ରସ୍ ଓଭରରୁ ଇଂରାଜୀ ଏବଂ ହିନ୍ଦୀରେ ପ୍ରତ୍ୟକ୍ଷ ଧାରାବିବରଣୀ ଦିଆଯାଉଛି। କ୍ବାର୍ଟର ଫାଇନାଲ, ସେମିଫାଇନାଲ, ଫାଇନାଲ୍‌ ମ୍ୟାଚ୍ ପ୍ରସାରିତ ହେବ। ମୋବାଇଲ ସେଟ୍‌ରେ ମଧ୍ୟ ହକି ପ୍ରେମୀମାନେ ଏହାର ଫାଇଦା ନେଇପାରିବେ ବୋଲି ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ତରୁଣକାନ୍ତି ରାଉତ, ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ସୁଜିତ କୁମାର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର