ପ୍ୟାରିସ୍‌: ଚଳିତ ପାରାଲିମ୍ପିକ୍ସରେ ଭାରତକୁ ଦୌଡ଼କୁଦର ପୁରୁଷ କ୍ଲବ୍‌ ଥ୍ରୋ (ଏଫ୫୧)ରେ ସ୍ବର୍ଣ୍ଣ-ରୌପ୍ୟ ସଫଳତା ମିଳିଛି। ଦୁଇ ଭାରତୀୟ ଯୋଡ଼ି ଧରମବୀର (୩୪.୯୨ ମିଟର୍‌) ଏବଂ ସୁରମା ପ୍ରଣବ (୩୪.୫୯ ମିଟର୍‌) ପ୍ରଥମ ଦୁଇ ସ୍ଥାନରେ ରହି ଏହି ସଫଳତା ଅର୍ଜନ କରିଛନ୍ତି। ଏଥି ସହିତ ଭାରତ ୫ ସ୍ବର୍ଣ୍ଣ ସହ ମୋଟ ୨୪ ପଦକ ଜିତିଛି। ମିଶନ୍ ୨୫ ପଦକର ଲକ୍ଷ୍ୟ ହାସଲ କରିନେଇଛି  ଭାରତୀୟ ଦଳ।

Advertisment

ଦୌଡ଼କୁଦରୁ ବୁଧବାର ତୃତୀୟ ପଦକଟି ଜିତିଥିଲେ ସଚିନ୍‌ ଖିଲାରି। ୨୦୨୩ ଓ ୨୦୨୪ ବିଶ୍ବ ବିଜେତା ସଚିନ୍‌ ପୁରୁଷ ସଟ୍‌ପୁଟ୍‌ (ଏଫ୍‌୪୬) ରେ ରୌପ୍ୟ ପଦକ ଜିତିଛନ୍ତି। ସଚିନ୍‌ ୧୬.୩୨ ମିଟର ସଟ୍‌ପୁଟ୍‌ ଫିଙ୍ଗିପାରିଥିଲେ। ଏଫ୍‌୪୬ ବିଭାଗରେ ଏହା ଏସୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ହୋଇପାରିଛି। ଭାରତରୁ ୩ଜଣ ଭାଗ ନେଇଥିଲେ। କିନ୍ତୁ ମହମଦ ୟାସେର ଓ ରୋହିତ କୁମାର ପୋଡିୟମ୍‌ ଫିନିସ୍ କରିପାରି ନଥିଲେ। ବିଶ୍ବ ଓ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତି ପ୍ୟାରିସ୍‌ ଆସିଥିବା ସଚିନ୍‌ ବୁଧବାର ସମସ୍ତ ୬ଟି ଥ୍ରୋରେ ସ୍ଥିର ପ୍ରଦର୍ଶନ ଦେଖାଇଥିଲେ। ତେବେ ତାଙ୍କର ଶ୍ରେଷ୍ଠ ଥ୍ରୋ ଦ୍ବିତୀୟ ପ୍ରୟାସରୁ ଆସିଥିଲା।

ପ୍ୟାରିସ୍‌, ୫/୯: ଚଳିତ ପାରାଲିମ୍ପିକ୍ସରେ ଭାରତକୁ ବୁଧବାର ରାତିରେ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ସପ୍ତମ ଦିନରେ ଅନୁଷ୍ଠିତ ତୀରନ୍ଦାଜି ଇଭେଣ୍ଟ୍‌ରେ ଭାରତର ଶୀର୍ଷ ଖେଳାଳି ହରଭିନ୍ଦର ସିଂହ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ହେଉ ପାରାଲିମ୍ପିକ୍ସ ଇତିହାସରେ ଭାରତ କେବେ ତୀରନ୍ଦାଜିରୁ ସ୍ବର୍ଣ୍ଣ ପଦକ ଜିତିନଥିଲା। ପୁରୁଷ ଇଣ୍ଡିଭିଜୁଆଲ୍‌ ରିକର୍ଭ ଇଭେଣ୍ଟ୍‌ରେ ହରଭିନ୍ଦର କ୍ରମାଗତ ୫ ବିଜୟ ସହ ସେ ଏହି ସଫଳତା ଅର୍ଜନ କରିଛନ୍ତି। ଫାଇନାଲ୍‌ରେ ହରଭିନ୍ଦର ୬-୦ରେ ଏକତରଫା ଭାବେ‌ ପୋଲାଣ୍ଡ୍‌ର ଲୁକାଜ୍‌ ସିଜେକଙ୍କୁ ପରାସ୍ତ କରିଥିଲେ। ଏଥି ସହ ଭାରତର ମୋଟ ପଦକ ୨୨ରେ ପହଞ୍ଚିଛି।