ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଉଦ୍‌ଘାଟନୀ ଟିକେଟ

ଭୁବେନଶ୍ବର: ଭୁବନେଶ୍ବର ହକି ବିଶ୍ବକପର ବହୁ ପ୍ରତୀକ୍ଷିତ ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଣିଛନ୍ତି। ଆଜି ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କୁ ଉଦଘାଟନୀ ଉତ୍ସବ ଟିକେଟର ପ୍ରତିଛବି ଉପହାର ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଏହାକୁ ୫୦୦ ଟଙ୍କା ଦେଇ ନେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଏହି ବିଷୟ ନିଜ ଟ୍ବିଟର ପୃଷ୍ଠାରେ ସ୍ଥାନ ଦେଇଥିଲେ। ପୁରୁଷ ହକି ବିଶ୍ବକପ ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ୍ ଗ୍ରହଣ କରି ମୁଁ ବହୁତ ଆନନ୍ଦିତ। ଆଶା କରୁଛି ବିଶ୍ବର ପ୍ରତିଟି କୋଣ ଅନୁକୋଣରୁ ପ୍ରଶଂସକମାନେ ହକି ମହୋତ୍ସବକୁ ଉପଭୋଗ କରିବା ଏବଂ ଓଡ଼ିଶାକୁ ଖୋଜି ଦେଖିବାକୁ ପ୍ରସ୍ତୁତ ଥିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଥିଲେ। ଉଦଘାଟନୀ ଉତ୍ସବରେ ପ୍ରସିଦ୍ଧ ସଂଗୀତଜ୍ଞ ଏଆର ରହମାନ ସଂଗୀତ ପରିବେଷଣ କରିବେ ବୋଲି ଏଲିନା ଏହି ଅବସରରେ ପୁଣି ଦୋହରାଇଥିଲେ। ସେହିଭଳି ସୁପରଷ୍ଟାର ଶାହାରୁଖ ଖାନ୍ ଉଦଘାଟନୀ ଉତ୍ସବରେ ଭାଷଣ ଦେବା ସହ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ ବୋଲି ସେ ମତ ରଖିଥିଲେ। ସୂଚନାଯୋଗ୍ୟ ଯେ ବିଶ୍ବକପ୍ ଉଦଘାଟନୀ ଉତ୍ସବ ଏବଂ ଏହି ଉପଲକ୍ଷେ ବାରବାଟୀରେ ଆୟୋଜିତ ହେବାକୁ ଥିବା ଏଆର ରହମାନ ସୋ’ ଲାଗି ମଙ୍ଗଳବାର ଅପରାହ୍ନ ୧୨ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହେବ। ୨୭ ତାରିଖରେ ହେବାକୁ ଥିବା କଳିଙ୍ଗ ଷ୍ଟାଡିୟମ୍ ଉତ୍ସବ ଲାଗି ଟିକେଟ ଦର ୫୦୦ ଏବଂ ବାରବାଟୀ ଉତ୍ସବ ଲାଗି ଟିକେଟ୍ ମୂଲ୍ୟ ୧୦୦ରୁ ୫୦୦ ମଧ୍ୟରେ ରଖା ଯାଇଥିବା ଜଣାପଡ଼ିଛି। ଉଭୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଶାହାରୁଖଙ୍କ ସଲାମ
ଭୁବନେଶ୍ବର, ଭୁବନେଶ୍ବର ହକି ବିଶ୍ବକପ୍ ସଂଗୀତ ‘ ଜୟ ହିନ୍ଦ ଇଣ୍ଡିଆ’ ଏବଂ ଏହାର ଟିଜରକୁ ସାରା ବିଶ୍ବର କ୍ରୀଡ଼ାପ୍ରେମୀ ପସନ୍ଦ କରୁଛନ୍ତି। ଦିନକୁ ଦିନ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ବିଶ୍ବକପ୍ ସଂଗୀତ ପାଇଁ ପ୍ରସ୍ତୁତ ହୋଇଥିବା ଭିଡିଓରେ ବଲିଉଡ୍‌ ସୁପରଷ୍ଟାର ଶାହା‌ରୁଖ ଖାନ୍ ଅଭିନୟ କରିଥିବାରୁ ଏହା କୋଟି କୋଟି କ୍ରୀଡ଼ାପ୍ରେମୀଙ୍କୁ ଆକର୍ଷିତ କରୁଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଟ୍ବିଟ୍ କରି ତାଙ୍କୁ ଧନ୍ୟବାଦ ଦେଇଥିଲେ। ବିଶ୍ବକପ୍ ଲାଗି ଓଡ଼ିଶା ଆସୁଥିବାରୁ ଶାହାରୁଖଙ୍କୁ ସେ ସାଧୁବାଦ ଦେଇଥିଲେ। ଶାହାରୁଖ ମଧ୍ୟ ତୁରନ୍ତ ଏହାର ଉତ୍ତର ଦେଇଥିଲେ। ଆପଣଙ୍କ ଉଦାରତା ପାଇଁ ଧନ୍ୟବାଦ ସାର୍, ହକି ପାଇଁ ଏହା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଓଡ଼ିଶା ଯିବା ଲାଗି ମୁଁ ପୂରା ଉତ୍ସାହିତ ବୋଲି ଶାହାରୁଖ ନିଜ ତରଫରୁ ଟ୍ବିଟ୍ କରିଥିଲେ।

ସମ୍ବନ୍ଧିତ ଖବର