ସି‌ମେନ୍ୟାଙ୍କୁ ପୁରୁଷ ହର୍ମୋନ୍‌ କମାଇବାକୁ ପରାମର୍ଶ

ଲୌସାନ: ମହିଳା ଖେଳାଳିଙ୍କ ‌ଶରୀରରେ ପୁରୁଷ ହର୍ମୋନର ମାତ୍ରାକୁ ନେଇ ଲାଗି ରହିଥିବା ଆଇନଯୁଦ୍ଧର ଚୂଡ଼ାନ୍ତ ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ। ଯାହା ଦକ୍ଷିଣ ଆଫ୍ରିକାର ଚର୍ଚିତ ଧାବିକା କାଷ୍ଟର ସିମେନ୍ୟାଙ୍କ ସହ ପୁରୁଷ ହର୍ମୋନର ଅଧିକ ମାତ୍ରା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ହଜାର ହଜାର ମହିଳା ଖେଳାଳିଙ୍କ ଭାଗ୍ୟ ନିର୍ଧାରଣ କରିବ। ବିଶେଷ କରି ୪୦୦, ୮୦୦ ଓ ୧୫୦୦ ମିଟର ଧାବିକାଙ୍କ ପାଇଁ ଏହି ରାୟ ସର୍ବାଧିକ ଗୁରୁତ୍ବ ବହନ କରିବ। କାସ୍ (କୋର୍ଟ ଅଫ୍‌ ଆର୍ବିଟ୍ରେସନ୍‌ ଫର ସ୍ପୋର୍ଟସ୍‌) ରାୟ ସପକ୍ଷରେ ଆସି‌ଲେ ସିମେନ୍ୟା ଓ ତାଙ୍କ ଭଳି ଅନେକ ଖେଳାଳି ଅଲିମ୍ପିକ୍ସ ସହ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଏହି ସବୁ ବର୍ଗରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇବେ। ଅନ୍ୟଥା ସେମାନଙ୍କ ଖେଳ ଜୀବନ ସେହିଠାରେ ‌ହିଁ ଶେଷ ହୋଇଯିବ। ସ୍ବିଜରଲାଣ୍ଡର ଲୁସାନେଠାରେ ଥିବା କାସ୍ ଗତବର୍ଷ ଏକ ଐତିହାସିକ ରାୟରେ ୧୦୦ ଓ ୨୦୦ ମିଟର ‌ଧାବିକାଙ୍କୁ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ ବା ଆଇଏଏଏଫ୍‌ର ପୁରୁଷ ହର୍ମୋନ ନିୟମରୁ ବାଦ୍‌ ଦେଇଥିଲା ବେଳେ ମଧ୍ୟମ ତଥା ଲମ୍ବ ଦୂର ଦୌଡ଼ ଯଥା ୪୦୦, ୮୦୦ ଏବଂ ୧୫୦୦ ମିଟରରେ ପ୍ରଚଳିତ ନିୟମରେ କୌଣସି ପରିବର୍ତନ କରି ନଥିଲା। ଯାହା ବିରୋଧରେ ସିମେନ୍ୟା ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ସିମେନ୍ୟାଙ୍କ ଶରୀରରେ ପୁରୁଷ ହର୍ମୋନ ମାତ୍ରା ସ୍ବୀକୃତିପ୍ରାପ୍ତ ସ୍ତରଠାରୁ ଅଧିକ ଥିଲେ ମଧ୍ୟ ତାଙ୍କୁ ଧାବକ ଘୋଷଣା କରିବାର କୌଣସି ଯୋଜନା ନଥିବା ଆଇଏଏଏଫ୍ ଗୁରୁବାର କହିଛି। ତେବେ ଶରୀରରେ ଥିବା ପୁରୁଷ ହର୍ମୋନର ସ୍ତର କମାଇବାକୁ ଆଇଏଏଏଫ୍ ତାଙ୍କୁ ଆହ୍ବାନ କରିଛି। ଆଇଏଏଏଫ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଆମେ କୌଣସି ମହିଳା ଖେଳାଳିଙ୍କୁ ପୁରୁଷ ଖେଳାଳି ତାଲିକାରେ ସାମିଲ କରିବୁ ନାହିଁ। ଆମେ ସେମାନଙ୍କ ଆଇନ ସମ୍ମତ ଲିଙ୍ଗକୁ ଗ୍ରହଣ କରିବୁ। ହେଲେ ପ୍ରତିଦ୍ବନ୍ଦ୍ବିତାରେ ନିରପେକ୍ଷତା ରଖିବା ଲାଗି ସେହି ଖେଳାଳିମାନଙ୍କୁ ପୁରୁଷ ହର୍ମୋନର ସ୍ତର କମାଇବାକୁ ହେବ।

ସମ୍ବନ୍ଧିତ ଖବର