କୋଚ୍ କର୍ନର, କଲିନ ବାଚ୍: ଅଷ୍ଟ୍ରେଲିଆ

ଗତ ଦୁଇ ସଂସ୍କରଣ ଅର୍ଥାତ୍ ୨୦୧୦ ଏବଂ ୨୦୧୪ ପରେ ୨୦୧୮ରେ ହ୍ୟାଟ୍ରିକ୍ ବିଶ୍ବକପ୍ ବିଜୟ ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆ ଭୁବନେଶ୍ବରରେ ଅଭିଜ୍ଞ ପ୍ରଶିକ୍ଷକ କଲିନ୍ ବାଚ୍‌ଙ୍କ ମାର୍ଗଦର୍ଶନରେ ଖେଳିବ। ୨୦୧୬ ଡିସେମ୍ବର ୬ରୁ ବାଚ୍ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଅଷ୍ଟ୍ରେଲିଆ ଦଳର ମଙ୍ଗଧରିବା ପୂର୍ବରୁ ସେ ନ୍ୟୁଜିଲାଣ୍ଡ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ତାଙ୍କର ମଧ୍ୟ ବେଲ୍‌ଜିୟମ ଜାତୀୟ ହକି ଦଳକୁ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ରହିଛି। ଜଣେ ଦକ୍ଷ ଖେଳାଳି ଭାବେ ମଧ୍ୟ ବାଚ୍‌ଙ୍କର ଢେର ସୁନାମ ଥିଲା। ୧୯୭୯ରୁ ୯୦ ମଧ୍ୟରେ ଅଷ୍ଟ୍ରେଲିଆ ପକ୍ଷରୁ ୧୭୫ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବାଚ୍ ତିନିଟି ବିଶ୍ବକପ୍, ୧୦ ଚାମ୍ପିଅନ୍ସ ଟ୍ରଫି ଏବଂ ଦୁଇଟି ଅଲିମ୍ପିକ୍ସ ଖେଳିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ଦ୍ରୁତତମ ହ୍ୟାଟ୍ରିକ୍ ଗୋଲ୍ ଦେବାର କୀର୍ତ୍ତିମାନ ତାଙ୍କ ନାଁରେ ରହିଛି। ୨୦୦୧ରୁ ୨୦୦୮ ମଧ୍ୟରେ ବାଚ୍ ଅଷ୍ଟ୍ରେଲିଆର ସହକାରୀ ପ୍ରଶିକ୍ଷକ ଥିଲେ। ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲା‌ ବେଳେ ୨୦୦୮ ବେଜିଂ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଥିଲା। ସେହିଭଳି ୨୦୦୨ ଓ ୨୦୦୬ ବିଶ୍ବକପ୍‌ରେ ରୌପ୍ୟ ପଦକ ପାଇଥିଲା। ଏତଦ୍ ବ୍ୟତୀତ ୨୦୦୨, ୨୦୦୬ରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ଏବଂ ୨୦୦୫ ଓ ୨୦୦୮ରେ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ ବିଜୟୀ ହୋଇଥିଲା। ନ୍ୟୁଜିଲାଣ୍ଡ ତାଙ୍କ ପ୍ରଶିକ୍ଷଣରେ ୨୦୧୨ରେ ବିଶ୍ବ ଲିଗ୍ ରୌପ୍ୟ ସହ ୨୦୧୫ରେ ସୁଲତାନ ଆଜଲାନ୍ ସାହା ହକିରେ ସ୍ବର୍ଣ୍ଣ ଜିତିଥିଲା। ଅନ୍ୟପକ୍ଷରେ ବେଲିଜିୟମ ତାଙ୍କ ପ୍ରଶିକ୍ଷଣରେ ୨୦୦୧ ଚାମ୍ପିଅନ୍ସ ଟ୍ରଫିରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଦୀର୍ଘ ଅଭିଜ୍ଞତା ଥିବାରୁ ଭୁବନେଶ୍ବରରେ ବାଚ୍‌ଙ୍କ ରଣନୀତିରେ ଅଷ୍ଟ୍ରେଲିଆ ପୁରୁଷ ହକି ବିଶ୍ବକପ୍‌ର ପ୍ରଥମ ଦଳ ଭାବେ ହ୍ୟାଟ୍ରିକ୍ ବିଶ୍ବକପ୍ ବିଜୟ ଲକ୍ଷ୍ୟରେ ରହିଛି। ତେବେ ଏଥରର ବିଶ୍ବକପ୍ ପୂର୍ବାପେକ୍ଷା ସଂଘର୍ଷପୂର୍ଣ୍ଣ ଏବଂ କଷ୍ଟକର ହେବ ବୋଲି ଭୁବନେଶ୍ବର ପହଞ୍ଚିବା ପରେ ବାକ୍ ସ୍ବୀକାର କରିଛନ୍ତି। ମହିଳା ବିଶ୍ବକପ୍ କଥା ଉଦାହରଣ ଦେଇ ଏଥର ଭୁବନେଶ୍ବରରେ କେତେକ ବିପର୍ଯ୍ୟୟ ହୋଇପା‌ରେ ବୋଲି ସେ ଆଶଙ୍କା ଜାହିର କରିଛନ୍ତି। ତେବେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଦକ୍ଷତା ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ବିଶ୍ବକପ୍ ପାଇଁ ଅଷ୍ଟ୍ରେଲିଆ ଭଲ ପ୍ରସ୍ତୁତି କରିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ୟୁରୋପୀୟ ଶକ୍ତି ଆୟର୍ଲାଣ୍ଡ, ଇଂଲଣ୍ଡ ଓ ଚୀନ୍‌ ସହ ପୁଲ୍-ବିରେ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର