ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ମଣ୍ଡଳି ନିଯୁକ୍ତି ଲାଗି ବିସିସିଆଇ ମଙ୍ଗଳବାର ବିଜ୍ଞାପନ ପ୍ରକାଶ କରିଥିଲା। ବୁଧବାର ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀ ବାଛିବା ଲାଗି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ସମିତି ଗଠନ ପ୍ରକ୍ରିୟା ଆରମ୍ଭ କରିଛି। ଏଥିଲାଗି ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ତିନି ଜଣ ପୂର୍ବତନ କ୍ରିକେଟର କପିଳ ଦେବ, ଅଂଶୁମାନ ଗାଏକ୍ବାଡ୍ ଏବଂ ସନ୍ଥ ରଙ୍ଗସ୍ବାମୀଙ୍କୁ ଯୋଗାଯୋଗ କରିଛି। କପିଳଙ୍କ ନେତୃତ୍ବରେ ଗଠନ ହେବାକୁ ଥିବା ଏହି ଅସ୍ଥାୟୀ ସମିତି ଭାରତୀୟ ଦଳର ନୂଆ ପ୍ରଶିକ୍ଷକ ସହ ଆଗାମୀ ସମୟରେ ଚୟନକର୍ତା ବାଛିବା ଦାୟିତ୍ବରେ ମଧ୍ୟ ରହିବ। ଏହି ସମିତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ ଏବଂ ସୌରଭ ଗାଙ୍ଗୁଲିଙ୍କୁ ନେଇ ଗଠିତ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି)ର ସ୍ଥାନ ନେବ। ସଚିନ, ଲକ୍ଷ୍ମଣ ଓ ଗାଙ୍ଗୁଲିଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆସିବା ପରେ ଏହି ସମିତି ଏକପ୍ରକାର ଅକାମି ହୋଇଯାଇଛି। ସେଥିପାଇଁ ସିଓଏ ଏକ ନୂଆ ସମିତି ଗଠନ କରିବା ଲାଗି ଆଣ୍ଟା ଭିଡ଼ିଛି। ତେବେ ସିଏସି ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତିରେ ପ୍ରମୁଖ ଭୂମିକା ତୁଲାଇ ଆସୁଥିଲା। ଗତ ଦୁଇ ମାସ ମଧ୍ୟରେ ଏଥିନେଇ ସିଓଏର ଏକାଧିକ ବୈଠକ ବସିସାରିଛି। ନୂଆ ପ୍ରଶିକ୍ଷକ ସମିତି ଗଠନକୁ ମଞ୍ଜୁରି ମଧ୍ୟ ମିଳି ସାରିଛି। ସିଓଏ ତରଫରୁ ବିସିସିଆଇ ମହାପ୍ରବନ୍ଧକ (କ୍ରିକେଟ୍ ପରିଚାଳନା) ତଥା ଅନ୍ତର୍ଜାତୀୟ କ୍ରିକେଟର ସବା କରିମ କପିଳ, ଗାଏକ୍ବାଡ୍ ଓ ରଙ୍ଗସ୍ବାମୀଙ୍କୁ ଯୋଗାଯୋଗ କରି ସମିତିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି। ପ୍ରଶିକ୍ଷକ ପଦ ଲାଗି ଆବେଦନର ଶେଷ ତାରିଖ ଜୁଲାଇ ୩୦ ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତିନି ପୂର୍ବତନ କ୍ରିକେଟର କିନ୍ତୁ ଏହି ବିଷୟରେ କିଛି କହିବାକୁ ମନା କରି ଦେଇଛନ୍ତି। ତେବେ ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ ପ୍ରସ୍ତାବିତ ଅସ୍ଥାୟୀ ସମିତି କେବଳ ମୁଖ୍ୟ ପ୍ରଶିକ୍ଷକ ବାଛିବ। ବ୍ୟାଟିଂ, ବୋଲିଂ, କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ସହ ଫିଜିଓ, ଟ୍ରେନର ଏବଂ ପ୍ରଶାସନିକ ପ୍ରବନ୍ଧକ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ନିଯୁକ୍ତ କରିବେ। ଅସ୍ଥାୟୀ ସମିତି କିନ୍ତୁ ନିଜ ପସନ୍ଦର ପ୍ରାର୍ଥୀଙ୍କ ଲାଗି ସୁପାରିସ କରିପାରିବ। ପ୍ରଶିକ୍ଷକ ମଣ୍ଡଳି ସହ ଏମ୍ଏସକେ ପ୍ରସାଦଙ୍କ ନେତୃତ୍ବରେ ଗଠିତ ଚୟନ ସମିତିର କାର୍ଯ୍ୟକାଳ ନିକଟରେ ଶେଷ ହେବାର ଥିବାରୁ ଅସ୍ଥାୟୀ ସମିତି ସେମାନଙ୍କର ଉତ୍ତରାଧିକାରୀ ବାଛିବେ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp