ଅଗଷ୍ଟ ୧୫ ସୁଦ୍ଧା ସରିବ ପ୍ରଶିକ୍ଷକ ନିଯୁକ୍ତି, ଶାସ୍ତ୍ରୀଙ୍କୁ ବଦଳାଇବା ବିପଜ୍ଜନକ

କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଲାଗି ରୋଡସଙ୍କ ଆବେଦନ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତି ଅଗଷ୍ଟ ୧୫ ସୁଦ୍ଧା ଶେଷ ହେବ। ଚଳିତ ମାସ ୩୦ ତାରିଖରେ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ପତ୍ର ଖୋଲା ହେବ। ଏହାର ଦୁଇ ସପ୍ତାହ ଭିତରେ ସାକ୍ଷତକାର ଏବଂ ଅନ୍ୟାନ୍ୟ ଜରୁରି ପ୍ରକ୍ରିୟା ‌ଶେଷ କରାଯାଇ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ନାଁ ଘୋଷଣା ହେବ। ନୂଆ ଆବେଦନକାରୀଙ୍କ ସହ ଭାରତୀୟ ଦଳର ବର୍ତମାନର ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ମଧ୍ୟ ଏଥିଲାଗି ବିଚାରକୁ ନିଆଯିବ। ସାକ୍ଷାତକାର ପର୍ବ ଭାରତୀୟ ଦଳ ୱେଷ୍ଟଇଣ୍ଡିଜରେ ଶୃଙ୍ଖଳା ଖେଳୁଥିଲା ବେଳେ ଶେଷ କରି ଦିଆଯିବ। ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଚଳିତ ମାସ ୩୦ ତାରିଖ ହିଁ ରହିଛି।

ଶାସ୍ତ୍ରୀଙ୍କ ସାଙ୍ଗକୁ ଭାରତୀୟ ଦଳ ସହ କାର୍ଯ୍ୟ କରୁଥିବା ଅନ୍ୟ ସହକାରୀ ପ୍ରଶିକ୍ଷକମାନେ ନିଜ ନିଜର କାର୍ଯ୍ୟକାଳ ବଢ଼ାଇବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନ ମଧ୍ୟ ସେମାନଙ୍କ ସହ ଅଛି। ୱେଷ୍ଟଇଣ୍ଡିଜରେ ଥିବାରୁ ଏମାନେ ଭିଡିଓ କନଫରେନ୍ସିଂ ଜରିଆରେ ସାକ୍ଷାତକାର ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ଏବଂ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣଙ୍କ କାର୍ଯ୍ୟକାଳ ବଢ଼ିପାରେ। ତେବେ ଫିଜିଓ ପାଟ୍ରିକ୍ ଫରହତ ଓ ଟ୍ରେନର ଶଙ୍କର ବସୁ ଦୌଡ଼ରୁ ଓହରି ଯାଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଅଷ୍ଟ୍ରେଲିଆର ଟମ୍ ମୁଡି, ବ୍ୟାଟିଂ ପ୍ରଶିକ୍ଷକ ପାଇଁ ପ୍ରବୀଣ ଆମ୍ରେ ପ୍ରମୁଖ ଆବେଦନ କରିବାର ସଙ୍କେତ ଦେଇଛନ୍ତି। ରିକି ପଣ୍ଟିଂ, ମାହେଲା ଜୟବର୍ଧନେ ଓ ଷ୍ଟିଫେନ୍ ଫ୍ଲେମିଂ ବିସିସିଆଇ ଧାର୍ଯ୍ୟ କରିଥିବା ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି। ହେଲେ ସେମାନେ ଆବେଦନ କରିଛନ୍ତି କି ନାହିଁ? ତା’ର କୌଣସି ସୂଚନା ବିସିସିଆଇ ଦେଇନାହିଁ। ପ୍ରଶିକ୍ଷକ ନିଯୁକ୍ତି ଦାୟିତ୍ବ ବିସିସିଆଇ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ନେତୃତ୍ବାଧୀନ ଅସ୍ଥାୟୀ ସମିତିକୁ ଦେଇଛି। ଏହି ସମିତିକୁ କିନ୍ତୁ ଉଚ୍ଚତମ ନ୍ୟାୟାଳୟଙ୍କ ସ୍ବୀକୃତି ମିଳିନାହିଁ। ବିସିସିଆଇ ଏଥିଲାଗି ଅପେକ୍ଷା କରିଛି। ନିୟମ ମୁତାବକ ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ହିଁ ଏଭଳି ସମିତିକୁ ନିଯୁକ୍ତ କରାଯାଇ ପାରିବ। ସେଥିପାଇଁ ବିସିସିଆଇ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଅନୁମତି ଲୋଡ଼ିଛି। ଚଳିତ ସପ୍ତାହରେ ସମିତିକୁ ନ୍ୟାୟାଳୟଙ୍କ ମଞ୍ଜୁରି ମିଳିଯିବ ବୋଲି ବିସିସିଆଇ ଆଶା ରଖିଛି। କପିଳଙ୍କ ଛଡ଼ା ଏହି ସମିତିରେ ଅଂଶୁମାନ ଗାଏକ୍ବାଡ୍ ଏବଂ ସନ୍ଥ ରଙ୍ଗସ୍ବାମୀ ସଦସ୍ୟ ଅଛନ୍ତି। ବିସିସିଆଇ ଜାତୀୟ ଚୟନ ସମିତିକୁ ବଦଳାଇବା ସପକ୍ଷରେ ନାହିଁ। କେବଳ ଯେଉଁମାନଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ, ସେମାନଙ୍କ ସ୍ଥାନରେ ନୂଆ ଲୋକଙ୍କୁ ନିଯୁକ୍ତି ମିଳିବ। ଏହି ନିଷ୍ପତ୍ତି ମଧ୍ୟ ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ନିଆଯିବ।

ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଶିକ୍ଷକ ହେସନ ଆଗ୍ରହୀ
ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାକୁ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଶିକ୍ଷକ ମାଇକ୍ ହେସନ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିଲାଗି ସେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଆନୁଷ୍ଠାନିକ ଭାବେ ଆବେଦନ କରିବେ। ୨୦୧୮ରେ ଇସ୍ତଫା ଦେବା ପୂର୍ବରୁ ହେସନ ଦୀର୍ଘ ୬ ବର୍ଷ ଧରି ନ୍ୟୁଜିଲାଣ୍ଡ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ତାଙ୍କ ମାର୍ଗଦର୍ଶନରେ ହିଁ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ୨୦୧୫ରେ ଏକଦିବସୀୟ କ୍ରିକେଟ୍ ବିଶ୍ବକପର ଫାଇନାଲରେ ପ୍ରବେଶ କରିଥିଲା। ଚଳିତ ବର୍ଷ ସେ ଆଇପିଏଲ୍ ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ୪୪ ବର୍ଷୀୟ ହେସନ ଆର୍ଜେଣ୍ଟିନା ଓ କେନିଆ ଦଳର ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି।

ଶାସ୍ତ୍ରୀଙ୍କୁ ବଦଳାଇବା ବିପଜ୍ଜନକ
ନୂଆଦିଲ୍ଲୀ,  ଭାରତୀୟ ଦଳ ପାଇଁ ନୂଆ ପ୍ରଶିକ୍ଷକ ନିଯୁକ୍ତ ଲାଗି ବିସିସିଆଇ ଦରଖାସ୍ତ ଆହ୍ବାନ କରିଥିଲେ ମଧ୍ୟ ଜଣେ ବରିଷ୍ଠ ବୋର୍ଡ ଅଧିକାରୀ ଏହା ବ‌ିରୋଧରେ ରହିଛନ୍ତି। ବିଶେଷ କରି ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଅଧିନରେ ଭାରତ ଭଲ କରୁଥିବାରୁ ତାଙ୍କୁ ପରିବର୍ତନ କରାଯିବା ବିପଜ୍ଜନକ ବୋଲି କହିଛନ୍ତି। ବିରାଟ କୋହଲିଙ୍କୁ ଅଧିକ ପରିପକ୍ବ ଅଧିନାୟକ ଭାବେ ଗଢ଼ି ତୋଳିବାରେ ଶାସ୍ତ୍ରୀଙ୍କ ଉପସ୍ଥିତି କାମ୍ୟ ବୋଲି ନିଜ ନାମ‌ ଗୋପନ ରଖି ସମ୍ପୃକ୍ତ ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି। କୋହଲି ଏବଂ ଶାସ୍ତ୍ରୀଙ୍କ ମଧ୍ୟରେ ଭଲ ସମନ୍ବୟ ରହିଛି। ୨୦୨୦ ମସିହାର‌ ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ୨୦୨୩ ମସିହାର ୫୦ ଓଭରିଆ ବିଶ୍ବକପ୍‌ ଲାଗି ଯୁବ ଖେଳାଳିଙ୍କୁ ଗଢ଼ି ତୋଳିବା ପ୍ରକ୍ରିୟା ଜାରି ଥିବାରୁ ଏମାନେ ଅପରିବର୍ତିତ ରହିବା ଅପରିହାର୍ଯ୍ୟ ବୋଲି ସମ୍ପୃକ୍ତି ଅଧିକାରୀ ପ୍ରକାଶ କରିଛନ୍ତି। ଏକ ସଫଳ ଦଳରୁ ଅଧା ପରିବର୍ତନ ଅଯୌକ୍ତିକ। ପ୍ରଶିକ୍ଷକ ପରିବର୍ତନ ହେଲେ ପ୍ରସ୍ତୁତ ଥିବା ଭାରତୀୟ ଦଳକୁ ସଫଳତା ଲାଗି ପରବର୍ତୀ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଲାଗି ରୋଡସଙ୍କ ଆବେଦନ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ତଥା ମହାନ କ୍ଷେତ୍ରରକ୍ଷକ ଜଣ୍ଟି ରୋଡସ ଭାରତୀୟ କ୍ରିକେଟ୍ ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଲାଗି ଆବେଦନ କରିଛନ୍ତି। ଭାରତୀୟ ଦଳରେ କିଛିଟା ଦୁର୍ବଳତା ରହିଛି। ସୁଯୋଗ ମିଳିଲେ ସେ ଏହାକୁ ଦୂର କରି ପାରିବେ ବୋଲି ଏକଦା ବିଶ୍ବ କ୍ରିକେଟ୍‌ର ସର୍ବଶ୍ରେଷ୍ଠ କ୍ଷେତ୍ରରକ୍ଷକ ମାନ୍ୟତା ଲାଭ କରିଥିବା ରୋଡସ୍ କହିଛନ୍ତି। ଭାରତର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଥିବା ସ୍ବୀକାର କରି ରୋଡସ ମତ ରଖିଛନ୍ତି ଯେ ‘ହଁ ମୁଁ ଆବେଦନ କରିଛି। ମୋ ପତ୍ନୀ ଓ ମୁଁ ଭାରତରେ ରହିବାକୁ ବହୁତ ଭଲ ପାଉ। ଏଠାରେ ହିଁ ମୋର ଦୁଇ ଜଣ ଯାକ ପିଲା ଜନ୍ମ ନେଇଛନ୍ତି। ୯ ଋତୁ ପାଇଁ ମୁଁ ମୁମ୍ବାଇ ଇଣ୍ଡିଆନ୍ସର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଥିଲି। ଭାରତୀୟ ଖେଳାଳିଙ୍କ କ୍ଷେତ୍ରରକ୍ଷଣ ସ୍ତର ଗତ ୫ ବର୍ଷ ହେବ ବହୁତ ଉପରକୁ ଯାଇଛି। ଆହୁରି ଉପରକୁ ଯିବାର ସୁଯୋଗ ଅଛି ବୋଲି ରୋଡ୍‌ସ କହିଛନ୍ତି।

ପ୍ରାୟୋଜକ ବଦଳିଲା
ମୁମ୍ବାଇ: ସେପ୍ଟେମ୍ବର ମାସଠାରୁ ଭାରତୀୟ କ୍ରିକେଟ୍‌ ଦଳ ନୂଆ ଜର୍ସି ପରିଧାନ କରି ପଡିଆକୁ ଓହ୍ଲାଇବ। ବିଗତ ଦୁଇ ବର୍ଷ ଧରି ଭାରତୀୟ ଦଳ ପ୍ରା‌େୟାଜକ ଥିବା ଚାଇନିଜ୍ ମୋବାଇଲ୍‌ କମ୍ପାନି ‘ଓପ୍ପୋ’ ବଦଳରେ ଏବେ ‘ବାଇଜୁ’ ‌ଲୋଗୋ ଲାଗିଥିବା ଜର୍ସି ପରିଧାନ କରିବେ ଭାରତୀୟ ଖେଳାଳି ଓ ଅଧିକାରୀମାନେ। ବାଙ୍ଗାଲୋରସ୍ଥିତ ବୈଷୟିକ ଶିକ୍ଷା ତଥା ଅନଲାଇନ୍ ଟ୍ୟୁଟୋରିଆଲ୍‌ ଫାର୍ମ ହେଉଛି ବାଇଜୁ। ସେପ୍ଟେମ୍ବର ୨ ତାରିଖରେ ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ହେବା ମାତ୍ରେ ଓପ୍ପୋ ଉଭେଇଯିବ। ସେପ୍ଟେମ୍ବର ୧୫ ତାରିଖରୁ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ଆରମ୍ଭ ହେଉଥିବାରୁ ସେହିଠାରୁ ବାଇଜୁ ବ୍ୟବହାର ହେବ। ୨୦୧୭ ମାର୍ଚ ମାସରେ ଓପ୍ପୋ ୧,୦୭୯ କୋଟି ଟଙ୍କାରେ ୫ ବର୍ଷ ପାଇଁ ଭାରତୀୟ ଦଳର ପ୍ରାୟୋଜକ ଅଧିକାର ହାସଲ କରିଥିଲା। କିନ୍ତୁ ଏହି ମୂଲ୍ୟ ମାତ୍ରାଧିକ ଏବଂ ଆଉ ସମ୍ଭାଳି ହେବା ଭଳି ନୁହେଁ ବୋଲି କମ୍ପାନି ଅନୁଭବ କରିବାର ଧାର୍ଯ୍ୟ ସମୟ ପୂର୍ବରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ବିସିସିଆଇ ଏଥି ପାଇଁ କ୍ଷତିରେ ପଡ଼ିବ ନାହିଁ। ୨୦୨୨ ମସିହା ମାର୍ଚ ୩୧ ପର୍ଯ୍ୟନ୍ତ ବାଇଜୁ ପ୍ରାୟୋଜକ ରହିବା ସହିତ ସମାନ ରାଶି ପ୍ରଦାନ କରିବ। ଓପ୍ପୋ ଓ ବାଇଜୁ ମଧ୍ୟରେ ବୁଝାମଣା ହୋଇଛି ଏବଂ ଏହା ବିସିସିଆଇକୁ ଜଣାଇ ଦିଆଯାଇଛି। ଅନ୍ୟ ଏକ ସୂ୍ତ୍ର କିନ୍ତୁ ଦାବି କରିଛି ଏଭଳି ପରିବର୍ତନ ଫଳରେ ବିସିସିଆଇ ଅଧିକ ଅର୍ଥ ପାଇବ। ୬ ମାସର ଆଗୁଆ ନୋଟିସ୍ ସହିତ ମୋଟ ରାଶିର ୧୦ ପ୍ରତିଶତ ଅଧିକ ପ୍ରଦାନର ଚୁକ୍ତି ରହିଥିଲା। କିନ୍ତୁ ଏହି ଅତିରିକ୍ତ ରାଶି କିଏ ବହନ କରିବ ସ୍ପଷ୍ଟ କରାଯାଇନାହିଁ। ସୂଚନାଯୋଗ୍ୟ, ଓପ୍ପୋ ଦ୍ବିପାକ୍ଷିକ ମ୍ୟାଚ୍‌ ପିଛା ୪.୬୧ କୋଟି ଟଙ୍କା ଏବଂ ଆଇସିସି ମ୍ୟାଚ୍‌ ପିଚ୍ଛା ୧.୫୬ କୋଟି ପ୍ରଦାନ କରୁଥିଲା। ପୂର୍ବରୁ ଷ୍ଟାର ଇଣ୍ଡିଆ ଏଥି ପାଇଁ ଯଥାକ୍ରମେ ୧.୯୨ କୋଟି ଓ ୬୧ ଲକ୍ଷ ଟଙ୍କା ପ୍ରଦାନ କରୁଥିଲା।

ସମ୍ବନ୍ଧିତ ଖବର