ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା, ଗଟ୍‌ଲିନ୍‌ଙ୍କୁ ହଟାଇ କୋଲ୍‌ମ୍ୟାନ୍‌ ଦ୍ରୁତତମ ଧାବକ

ଦୋହା: ଦୋହାରେ ଚାଲିଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ବହୁ ପ୍ରତୀକ୍ଷିତ ପୁରୁଷ ୧୦୦ ମିଟରରେ ଆମେରିକା ଧାବକ କ୍ରିଷ୍ଟିଆନ କୋଲ୍‌ମ୍ୟାନ୍‌ ଏବଂ ଜଷ୍ଟିନ୍ ଗଟ୍‌ଲିନ ୱାନ୍-ଟୁ ଫିନିସ୍ ପାଇଛନ୍ତି। ତେବେ କୋଲ୍‌ମ୍ୟାନ୍‌ ଚଳିତ ଋତୁର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ (୯.୭୬ ସେକେଣ୍ଡ) ସହ ଗଟ୍‌ଲିନଙ୍କଠାରୁ ବିଶ୍ବର ଦ୍ରୁତତମ ଧାବକ ଉପାଧି ଛଡ଼ାଇ ନେଇଛନ୍ତି। ୩୭ ବର୍ଷୀୟ ଗଟ୍‌ଲିନ କଡ଼ା ଟକ୍କର ଦେଇଥିଲେ ମଧ୍ୟ ୯.୮୯ ସେକେଣ୍ଡ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ଜିତିଥିଲେ। ଦୁଇବର୍ଷ ପୂର୍ବେ ଲଣ୍ଡନରେ ଆୟୋଜିତ ୨୦୧୭ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଗଟ୍‌ଲିନ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ କୋଲ୍‌ମ୍ୟାନ୍‌ ରୌପ୍ୟ ପଦକ ହାସଲ କରିଥିଲେ। ଏଥର ଉଭୟ ନିଜ ନିଜ ସ୍ଥାନ ଅଦଳ ବଦଳ କରିଛନ୍ତି। କାନାଡାର ଆନ୍ଦ୍ରେ ଡି ଗ୍ରେସ୍ (୯.୯୦ ସେକେଣ୍ଡ) କାଂସ୍ୟ ପଦକ ଜିତିଥିଲେ। ରିଓ ଅଲିମ୍ପିକ୍ସରେ ତିନିଟି ପଦକ ଜିତିଥିବା ଗ୍ରେସ୍ ଦୋହାର ଆର୍ଦ୍ରତା ଭରା ଏବଂ ଉଷ୍ମ ଜଳବାୟୁରେ ସେହି ସଫଳତା ଦୋହରାଇବାକୁ ସକ୍ଷମ ହୋଇ ନଥିଲେ। ସ୍ବର୍ଣ୍ଣ ବିଜେତା କୋଲ୍‌ମ୍ୟାନ୍‌ ମାତ୍ର ଦୁଇ ସପ୍ତାହ ପୂର୍ବରୁ ଆମେରିକା ଡୋପିଂ ନିରୋଧୀ ସଂସ୍ଥାନର ‘ୟୁଏସଏଡିଏ’ର କୋପ ଦୃଷ୍ଟିରେ ଥିଲେ। କୋଲ୍‌ମ୍ୟାନ୍‌ ନିଜ ଦୈନିକ ଅବସ୍ଥିତି ବିଷୟରେ ଜଣାଇ ନଥିବା ‘ୟୁଏସଏଡିଏ’ ଅଭିଯୋଗ କରିଥିଲା। ଏହି ଅଭିଯୋଗ ପ୍ରମାଣିତ ହୋଇଥିଲେ ସେ ୧ରୁ ୨ ବର୍ଷ ବାସନ୍ଦ ହେବାର ଆଶଙ୍କା ଥିଲା। ହେଲେ ଶେ‌ଷ ମୁହୂର୍ତରେ ‘ୟୁଏସଏଡିଏ’ ଏହି ଅଭି‌ଯୋଗକୁ ପ୍ରତ୍ୟାହାର କରି ନେଇଥିଲା। କୋଲ୍‌ମ୍ୟାନ୍‌ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରି ୨୦୦ ମିଟରୁ ଓହରି ଯିବା ପରେ ଯୁଗଳ ସ୍ବର୍ଣ୍ଣ ଜିତିବାରୁ ବଞ୍ଚିତ ହୋଇଥିଲେ।

ହାସନ ଜିତିଲେ ମହିଳା ୧୦,୦୦୦ ମିଟର ଦୌଡ଼
ନେଦରଲାଣ୍ଡର ସିଫାନ ହାସନ ମହିଳା ୧୦,୦୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି କ୍ରମରେ ସେ ଇଥିଓପିଆର ଲେଟେସେନବେଟ୍ ଗିଡେଙ୍କୁ ପଛରେ ପକାଇଥିଲେ। ୩୦ ମିନିଟ୍ ୧୭.୬୩ ସେକେଣ୍ଡ ସମୟ ସହ ସେ ମଧ୍ୟ ଚଳିତ ଋତୁର ଶ୍ରେଷ୍ଠ ଟାଇମିଂ ପାଇଥିଲେ। ଚଳିତବର୍ଷ ହିଁ ୧୦,୦୦୦ ମିଟରରେ ଦୌଡ଼ିବା ଆରମ୍ଭ କରିଥିବା ଗିଡେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲା ବେଳେ ଏହି ଇଭେଣ୍ଟର କାଂସ୍ୟ ପଦକ କେନିଆର ଆଗନେସ୍ ତିରୋପଙ୍କୁ ଯାଇଥିଲା।

ଭିଏରିଆ ବୟୋଜ୍ୟେଷ୍ଠ ପଦକ ବିଜେତା
ପର୍ତୁଗାଲର ପୁରୁଖା ଧାବକ ଜୋଆ ଭେଇରିଆ ବିଶ୍ବ ଦୌଡ଼କୁଦର ବୟୋଜ୍ୟେଷ୍ଠ ପଦକ ବିଜେତା ହୋଇଛନ୍ତି। କଠୋର ପରିବେଶ ଏବଂ ଭୀଷଣ ଗରମକୁ ପ୍ରତିହତ କରି ୪୩ ବର୍ଷୀୟ ଭିଏରିଆ ୫୦ କିଲୋମିଟର ଚାଲିରେ ରୌପ୍ୟ ପଦକ ପାଇଥିଲେ। ଏକାଦଶ ଥର ପାଇଁ ବିଶ୍ବ ଦୌଡ଼କୁଦରେ ଅଂଶଗ୍ରହଣ କରିଥିବା ଭିଏରିଆ ଦୋହା ପରିବେଶକୁ ନର୍କ ସହ ତୁଳନା କରିଥିଲେ। ରାତି ୧୧ଟା ୩୦ରେ ଦୌଡ଼ ଆରମ୍ଭ ହୋଇଥିଲେ ମଧ୍ୟ ବହୁ ଧାବକ ଅସୁସ୍ଥ ହୋଇ ଦୌଡ଼ ଶେଷ କରିବାକୁ ସକ୍ଷମ ହୋଇ ନଥିଲେ। ଜାପାନର ୟୁସୁକେ ସୁଜୁକି ଏହି ଇଭେଣ୍ଟର ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ କାଂସ୍ୟ ପଦକ କାନାଡାର ଇଭାନ ଡନଫେଙ୍କ ଖାତାକୁ ଯାଇଥିଲା। ସେପଟେ ଡିଏନା ପ୍ରାଇସ୍ ମହିଳା ହାମର ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଆମେରିକୀୟ ଖେଳାଳି ହୋଇଥିଲେ। ସେ ୭୩.୭୭ ମିଟର ଦୂରତାକୁ ହାମର ଥ୍ରୋ’କରି ଏହି ବିରଳ ସଫଳତା ଲାଭ କରିଥିଲେ।

ସମ୍ବନ୍ଧିତ ଖବର