ଲଣ୍ଡନ: ୧୦୦ ମିଟର ବିଶ୍ବ ବିଜେତା ଆମେରିକୀୟ ଧାବକ କ୍ରିଷ୍ଟିଆନ୍ କୋଲେମନ ନିୟମ ଉଲଂଘନ କରି ୨ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ଏନେଇ ମଙ୍ଗଳବାର ଆଥ୍ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ) ସ୍ପଷ୍ଟ କରିଛି। ଫଳରେ କୋଲେମନ ୨୦୨୦ ଟୋକିଓ ଅଲିମ୍ପିକ୍ସରୁ ବଞ୍ଚିତ ହେବା ନିଶ୍ଚିତ ହୋଇଯାଇଛି। କୋଲେମନ୍ ଏହା ପୂର୍ବରୁ ତିନି ଥର ଡୋପ୍ ପରୀକ୍ଷାରୁ ବଞ୍ଚିତ ହୋଇ ଗତବର୍ଷ ଅଳ୍ପକେ ବାସନ୍ଦରୁ ବର୍ତି ଯାଇଥିଲେ। ତେବେ ଚଳିତ ବର୍ଷ ଜୁନ୍ରୁ ସେ ଅସ୍ଥାୟୀ ଭାବେ ଏଆଇୟୁ ଦ୍ବାରା ନିଲମ୍ବିତ ହୋଇଥିଲେ। ଏବେ ଯେଉଁ ଦୁଇ ବର୍ଷ ବାସନ୍ଦ ଦଣ୍ଡ ଲାଗୁକରାଯାଇଛି ସେଥିରେ କୋହଳ ଆଣିବାରେ କୌଣସି କାରଣ ଆମେପାଖରେ ନାହିଁ ବୋଲି ଏଆଇୟୁ ତା’ ନିଜ ୱେବ୍ସାଇଟ୍ରେ କହିଛି।
ଦୁର୍ଭାଗ୍ୟବଶତଃ ଏହି ମାମଲା ସହ ବ୍ୟବହାରର ସଂପୃକ୍ତିକୁ ଆମେ ଦେଖୁଛୁ। କୋଲେମନ୍ଙ୍କ ବ୍ୟବହାର ଅତି କଦର୍ଯ୍ୟ ଯାହାକି ବିଶ୍ବରେ ବି ବିରଳ ବୋଲି ଏଆଇୟୁ କହିଛି। ତାଙ୍କ ଅସ୍ଥାୟୀ ନିଲମ୍ବନ ସମୟରେ କୋଲେମନ୍ କହିଥିଲେ ଯେ ଡୋପିଂ ନିରୋଧୀ ଅଧିକାରୀମାନେ ପ୍ରକୃତ ପ୍ରକ୍ରିୟାକୁ ଅନୁସରଣ କରିନଥିଲେ। ଗତବର୍ଷ ଡିସେମ୍ବର ୯ ତାରିଖରେ ସେ ଖ୍ରିଷ୍ଟମାସ କିଣାକିଣି ପାଇଁ ଯାଇଥିଲା ବେଳେ ଅଧିକାରୀମାନେ ସେ ସହଯୋଗ କରୁନଥିବା କହିଥିଲେ। ଏପରିକି ସେହି ସମୟରେ ସେ ନିଜ ଘରେ ରହିଥିବା ଅଧିକାରୀମାନେ କହିଥିଲେ। କିନ୍ତୁ କୋଲେମନ୍ ଖ୍ରିଷ୍ଟମାସ କିଣାକିଣି ସଂପର୍କିତ ରସିଦ୍ ମଧ୍ୟ ଦେଖାଇଥିଲେ। ହେଲେ ଆମେ ତାଙ୍କର ସେହି ତଥ୍ୟକୁ ଗ୍ରହଣ କରିବାକୁ ବାଧ୍ୟନଥିଲୁ ବୋଲି ଏଆଇୟୁ କହିଥିଲା। ରାତି ୮.୨୨ରେ କିଣାକିଣି ସାରିଥିଲେ ମଧ୍ୟ କୋଲେମନ୍ ଘରକୁ ବହୁ ସମୟଧରି ଯାଇନଥିବା ଅଧିକାରୀ କହିଥିଲେ। କିନ୍ତୁ ମୋତେ ସେହି ରାତି (ଡିସେମ୍ବର ୯) ଏଆଇୟୁ ଅଧିକାରୀମାନେ ଡାକି ନଥିଲେ ବୋଲି କୋଲେମନ୍ ଅଭିଯୋଗ ଆଣିଥିଲେ। ମାତ୍ର ଏଆଇୟୁ ତାଙ୍କ ବ୍ୟବହାରରେ ସନ୍ତୁଷ୍ଟ ହୋଇନଥିଲା ଏବଂ ୨ ବର୍ଷର ବାସନ୍ଦ ଦଣ୍ଡ ଶୁଣାଇ ଦେଇଛି। ଏହି ଦଣ୍ଡାଦେଶ ୨୦୨୨ ମେ’ ୧୩ ତାରିଖରେ ଶେଷ ହେବ ବୋଲି ଏଆଇୟୁ କହିଛି। ତେବେ ବାସନ୍ଦ ବିରୋଧରେ କୋଲେମନ୍ ଚାହିଁଲେ କାସ୍ (କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ)ରେ ଅପିଲ କରିପାରିବେ ବୋଲି ସ୍ପଷ୍ଟ କରିଛି। ଏଠାରେ ସୂଚନାଯୋଗ୍ୟ, କୋଲେମନ୍ ୨୦୧୯ ଦୋହା ବିଶ୍ବ ପ୍ରତିଯୋଗିତାରେ ୪ ଗୁଣା ୪୦୦ ମିଟରରେ ଆମରେିକା ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ୨୦୧୭ ବିଶ୍ବ ପ୍ରତିଯୋଗିତାରେ ମଧ୍ୟ ୧୦୦ ମିଟର ଏବଂ ୪ ଗୁଣା ୪୦୦ ମିଟର ରିଲେରେ ରୌପ୍ୟ ପଦକ ହାସଲ କରିଥିଲେ।