ମହାରାଜଙ୍କୁ ୮ ଓ୍ଵିକେଟ୍‌; ଶ୍ରୀଲଙ୍କା ୨୭୭/୯

କଲମ୍ବୋ ଟେଷ୍ଟ୍‌ ପ୍ରଥମ ଦିବସ

କଲମ୍ବୋ,: ଶୁକ୍ରବାରଠୁ ଏଠାରେ ଆରମ୍ଭ ହୋଇଛି ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ୍‌। ଦକ୍ଷିଣ ଆଫ୍ରିକା ଦଳ କଲମ୍ବୋରେ ସ୍ପିନ୍‌ ପରୀକ୍ଷାର ସମ୍ମୁଖୀନ ହେବା ପୂର୍ବରୁ ଘରୋଇ ଦଳକୁ ସ୍ପିନ୍‌ ଜାଲରେ ଛନ୍ଦି ଦେଇଛି। ଏହି ଟେଷ୍ଟ୍‌ର ପ୍ରଥମ ଦିନ କେଶବ ମହାରାଜଙ୍କ ସ୍ପିନ୍‌ ଯାଦୁ ସିଂହଳୀ ବ୍ୟାଟ୍‌ସମ୍ୟାନ୍‌ଙ୍କୁ କାବୁ କରିନେଇଛି। ବାମହାତୀ ସ୍ପିନର କେଶବ ମହାରାଜ ଏଠାରେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ବୋଲିଂ ସଫଳତା ପାଇଛନ୍ତି। ତାଙ୍କ ବୋଲିଂ ଚିତ୍ର ୩୨-୬-୧୧୬-୮ ରହିଛି। ଶ୍ରୀଲଙ୍କା ମାଟିରେ ମଧ୍ୟ ଏହା କୌଣସି ବିଦେଶୀ ବୋଲରଙ୍କ ପାଇଁ ଶ୍ରେଷ୍ଠ ସଫଳତା ରହିଲା। ଯାହା ବଳରେ ଭ୍ରମଣକାରୀ ଦଳ ପ୍ରଥମ ଦିବସରେ ସିଂହଳୀ ପ୍ରଥମ ପାଳି ସ୍କୋର୍‌କୁ ୨୭୭/୯ରେ ଅଟକାଇ ପାରିଛି। ଟସ୍‌ ଜିତି ଘରୋଇ ଦଳ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ପ୍ରଥମ ଦିବସରୁ ହିଁ ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ବୋଧେ ଶ୍ରୀଲଙ୍କା ଠଉରାଇ ପାରିନଥିଲା। ତେବେ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଦନୁଷ୍କା ଗୁଣତିଳକା ଓ ଦିମୁତ୍‌ କରୁଣାରତ୍ନେ ଘରୋଇ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟେ ନିଜ ନିଜର ଅର୍ଧଶତକ ପୂରଣ କରିବା ସାଙ୍ଗକୁ ପ୍ରଥମ ଓ୍ଵିକେଟ୍‌ରେ ୧୧୬ ରନ୍‌ ମଧ୍ୟ ଯୋଡ଼ିଥିଲେ। ଯାହାକି ଘରୋଇ ଦଳକୁ ବଡ଼ ସ୍କୋର୍‌ର ସମ୍ଭାବନା ଦେଇଥିଲା। ଏଥି ସହିତ ୨୦୧୦ ପରେ ପ୍ରଥମ ଥର ଲାଗି ଘରୋଇ ମାଟିରେ ସିଂହଳୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶତକୀୟ ଭାଗୀଦାରି କରିଥିଲେ। ହେଲେ ଘରୋଇ ଦଳ ପାଇଁ ମଧ୍ୟାହ୍ନ ବିରତି ପରେ ମହାରାଜ ଝଡ଼ ଆସି ଯାଇଥିଲା। ତାଙ୍କ ସ୍ପିନ୍‌ ଯାଦୁରେ ବଶୀଭୂତ ହୋଇ ପରବର୍ତୀ ୧୬୧ ରନ୍‌ ମଧ୍ୟରେ ଶ୍ରୀଲଙ୍କା ୯ ଓ୍ଵିକେଟ୍‌ ହରାଇଥିଲା। ମଧ୍ୟାହ୍ନ ବିରତିର ୬ ଓଭର ପରେ ଘରୋଇ ଦଳକୁ ପ୍ରଥମ ଝଟ୍‌କା ଲାଗିଥିଲା। କରୁଣାରତ୍ନେ (୫୩)ଙ୍କଠୁ ଆରମ୍ଭ କରି ମହାରାଜ ଗୋଟିଏ ପରେ ଗୋଟିଏ ଓ୍ଵିକେଟ୍‌ ଝଡ଼ାଇ ଚାଲିଥିଲେ। ଗୁଣତିଳକା (୫୭), ଧନଞ୍ଜୟ ଡି ସିଲ୍‌ଭା (୬୦), କୁସାଲ ମେଣ୍ଡିସ୍‌ (୨୧)ଙ୍କୁ ଚା’ପାନ ବିରତି ମଧ୍ୟରେ ଏବଂ ଆଞ୍ଜେଲୋ ମାଥ୍ୟୁସ୍‌ (୧୦), ଓ୍ଵିକେଟ୍‌ରକ୍ଷକ ନିରୋସାନ୍‌ ଡିକ୍‌େଓ୍ଵଲା (୫), ଦିଲ୍‌ରୁଓ୍ଵାନ୍‌ ପେରେରା (୧୭) ଏବଂ ଅଧିନାୟକ ସୁରଙ୍ଗା ଲାକ୍‌ମଲ (୦)ଙ୍କୁ ଷ୍ଟମ୍ପ୍‌ସ ପ୍ରତ୍ୟାହାର ପୂର୍ବରୁ ପାଭିଲିୟନ୍‌ ପଠାଇ ଦେଇଥିଲେ କେଶବ ମହାରାଜ। ୮୦ତମ ଓଭରରେ ମହାରାଜ ଯୁଗଳ ଝଟ୍‌କା ଦେଇଥିଲେ। ଏହି ଓଭରର ପ୍ରଥମ ବଲ୍‌ରେ ପେରେରାଙ୍କୁ ଏବଂ ପଞ୍ଚମ ବଲ୍‌ରେ ଲାକ୍‌ମଲ୍‌ଙ୍କୁ ଆଉଟ୍‌ କରି ମହାରାଜ ପ୍ରଥମ ଦିବସର ନାୟକ ସାଜିଥିଲେ। ମଝିରେ କେବଳ ରୋସେନ୍‌ ସିଲ୍‌ଭା (୨୨)ଙ୍କୁ ଦ୍ରୁତ ବୋଲର କାଗିସୋ ରବାଦା ଆଉଟ୍‌ କରିଥିଲେ। ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଅକିଲ ଧନଞ୍ଜୟ ୧୬ ଓ ରଙ୍ଗନା ହେରାଥ୍‌ ୫ ରନ୍‌ରେ ଅପରାଜିତ ରହିଛନ୍ତି। ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‌ ନବମ ସିଂହଳୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ୫୦୦୦ ଟେଷ୍ଟ୍‌ ରନ୍‌ ପୂରଣ କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ପ୍ରଥମ ପାଳି ୮୬ ଓଭରରେ ୨୭୭/୯ (ଦନୁଷ୍କା ଗୁଣତିଳକା-୫୭, ଦିମୁତ୍‌ କରୁଣାରତ୍ନେ-୫୩, ଧନଞ୍ଜୟ ଡି ସିଲ୍‌ଭା-୬୦, କେଶବ ମହାରାଜ-୮/୧୧୬)।

ସମ୍ବନ୍ଧିତ ଖବର