ନର୍ଥ କାରୋଲିନା : କୋପା ଆମେରିକା କପ୍ ସେମିଫାଇନାଲରେ କଲମ୍ବିଆ ୧-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ଏହି ମ୍ୟାଚରେ କଲମ୍ବିଆ ପକ୍ଷରୁ ଜେଫରସନ ଲେର୍ମା ଏକମାତ୍ର ଗୋଲ ସ୍କୋର କରିଥିଲେ। ତାଙ୍କ ଯୋଗୁଁ କଲମ୍ବିଆ ଦଳ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା। ଏହି ବିଜୟ ସହ କଲମ୍ବିଆ ଦଳ ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିଛି। ୨୩ ବର୍ଷ ପରେ କୋପା ଆମେରିକା ଫାଇନାଲରେ ପ୍ରବେଶ କରିଛି କଲମ୍ବିଆ ଦଳ । ଫାଇନାଲରେ କଲମ୍ବିଆ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନାକୁ ଭେଟିବେ। ନର୍ଥ କାରୋଲିନାରେ କଲମ୍ବିଆ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। କିନ୍ତୁ ଏହି ମ୍ୟାଚରେ ଏକ ବଡ ବିବାଦ ସୃଷ୍ଟି ହୋଇଛି ।

Advertisment

ମ୍ୟାଚ୍ ହାରିବା ପରେ ଉରୁଗୁଏର ଖେଳାଳିମାନେ ପ୍ରଶଂସକଙ୍କ ସହ ମୁହାଁମୁହିଁ ହୋଇଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉରୁଗୁଏର ଫରୱାର୍ଡ ଡାର୍ୱିନ ନୁନେଜ୍ ଷ୍ଟାଣ୍ଡଉପରେ ଚଢ଼ିଥିଲେ ଏବଂ ଏହା ପରେ ତାଙ୍କର ପ୍ରଶଂସକଙ୍କ ସହ ଧସ୍ତାଧସ୍ତି ହେଉଛି । ପ୍ରଶଂସକମାନେ ଜୋରଦାର ମାଡ଼ ମାରୁଛନ୍ତି ଏବଂ ଏହାର ଜବାବରେ ଡାର୍ୱିନ୍ ନୁନେଜ୍ ମଧ୍ୟ ପ୍ରଶଂସକଙ୍କ ସହ ଲଢ଼େଇ କରୁଥିବା ଦେଖିବାକୁ ମିଳିଥିଲା। ଉରୁଗୁଏର ଅଧିକ ଖେଳାଳି ମଧ୍ୟ ପ୍ରଶଂସକଙ୍କ ସହ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା। ରୋନାଲ୍ଡ ଆରାଜୋ ସବୁଠୁ ଆଗରେ ଥିଲେ। ଏହାପରେ ସୁରକ୍ଷାକର୍ମୀଙ୍କୁ ଉଦ୍ଧାର ପାଇଁ ଆସିବାକୁ ପଡ଼ିଥିଲା। ଅନେକ ପ୍ରଶଂସକ ଡାର୍ୱିନ୍ ନୁନେଜ୍ଙ୍କୁ ମକାରେ ମାଡ଼ ମାରିଥିଲେ। ଏହାବ୍ୟତୀତ ଜଣେ ପ୍ରଶଂସକ ତାଙ୍କ ମୁଣ୍ଡରେ ମଧ୍ୟ ମାଡ଼ ମାରିଥିଲେ। ଏହାପରେ ଝଗଡ଼ା ବଢିଯାଇଥିଲା ।