ପହଞ୍ଚିଲା ଅଷ୍ଟ୍ରେଲିଆ, ଇଂଲଣ୍ଡ, ବେଲ୍‌ଜିୟମ

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଖେଳିବା ପାଇଁ ରବିବାର ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ବେଲ୍‌ଜିୟମ୍‌ ଦଳ ଭୁବନେଶ୍ୱରରେ ପାଦ ଦେଇଛନ୍ତି। ବେଙ୍ଗାଲୁରୁରୁ ଜାତୀୟ ପ୍ରଶିକ୍ଷଣ ଶିବିର ସାରି ବୁଧବାର ପ୍ରଥମ ଦଳ ଭାବେ ଆୟୋଜକ ଭାରତ ଭୁବନେଶ୍ୱରରେ ପହଞ୍ଚିଥିଲା। ହକି ଲିଗ୍‌ ଆଉ ମାତ୍ର ୩ ଦିନ ଥିଲା ବେଳେ ରବିବାର ଏହି ୩ ଦଳ ଏଠାରେ ପହଞ୍ଚି ଯାଇଛନ୍ତି। ସୋମବାରଠୁ ସେମାନଙ୍କ ଅଭ୍ୟାସ ଆରମ୍ଭ କରିଦେବେ ବୋଲି ଜଣା ପଡ଼ିଛି। ପୂର୍ବତନ ବିଜେତା ଅଷ୍ଟ୍ରେଲିଆ ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ଓ ବେଲ୍‌ଜିୟମ ତୃତୀୟ ସ୍ଥାନରେ ରହିଥିଲା ବେଳେ ଇଂଲଣ୍ଡ ସପ୍ତମ ସ୍ଥାନରେ ରହିଛି। ବିଶ୍ୱର ଏହି ଶ୍ରେଷ୍ଠ ଦଳର ଖେଳାଳିଙ୍କୁ ଦେଖିବାଲାଗି ବିମାନ ବନ୍ଦରରେ କିଛିଟା ଭିଡ଼ ଲାଗି ରହିଥିଲା।

ଡିସେମ୍ବର ୨ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ବେଲ୍‌ଜିୟମ ତା’ର ଅଭିଯାନ ଆରମ୍ଭ କରିବ। ‘ଆସନ୍ତା ବର୍ଷ ଏଠାରେ ବିଶ୍ୱକପ୍‌ ଆୟୋଜିତ ହେବ, ଏହା ପୂର୍ବରୁ ବିଶ୍ୱର ଶ୍ରେଷ୍ଠ ଦଳ ସହ ଆମେ ଖେଳିବାକୁ ଯାଉଥିବାରୁ ବହୁତ ଆନନ୍ଦର ବିଷୟ’ ବୋଲି ବେଲ୍‌ଜିୟମର ପ୍ରଶିକ୍ଷକ ସେନ୍‌ ମ୍ୟାକ୍‌ଲିଓଡ୍‌ କହିଛନ୍ତି। କିନିଷ୍ଠ ବିଶ୍ୱକପ୍‌ରେ ଖେଳିଥିବା ୪ ଖେଳାଳି ଦଳରେ ରହିଛନ୍ତି। ଫଳରେ ବରିଷ୍ଠ ଏବଂ କନିଷ୍ଠଙ୍କୁ ନେଇ ଦଳ ସନ୍ତୁଳିତ ରହିଛି। ଆମେ ସବୁଦଳକୁ ଟକ୍କର ଦେବାକୁ ପୁରା ପ୍ରସ୍ତୁତ ବୋଲି ମ୍ୟାକ୍‌ଲିଓଡ୍‌ କହିଛନ୍ତି। ଆମେ ଏହି ପ୍ରତିଯୋଗିତା ଲାଗି ୨ ମାସ ହେଲା ଅଭ୍ୟାସ ଜାରି ରଖିଛୁ। ଆମ ଉପରେ କୌଣସି ପ୍ରକାର ଚାପ ନାହିଁ। ବିଶ୍ୱର ଶ୍ରେଷ୍ଠ ୮ ଦଳ ଏଠାରେ ଖେଳିବାକୁ ଯାଉଥିବାରୁ ଆମେ ଆମର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବୁ ବୋଲି ବେଲ୍‌ଜିୟମ୍‌ ଅଧିନାୟକ ଥୋମାସ୍‌ ବ୍ରିଏଲ୍ସ କହିଛନ୍ତି।

ଉଦ୍‌ଘାଟନୀ ଦିବସରେ ଭାରତ ସହ ଖେଳି ଅଷ୍ଟ୍ରେଲିଆ ଅଭିଯାନ ଆରମ୍ଭ କରିବ। ଆମେ ଗତଥରର ବିଜେତା। ଚଳିତ ଥର କିଏ ବିଜେତା ହେବ କହି ହେବ ନାହିଁ। ଆମେ ଆରମ୍ଭରୁ ଭଲ ଖେଳିବୁ ଏବଂ କ୍ୱାର୍ଟର୍‌ ଫାଇନାଲ୍‌ ପରେ ଏହାକୁ ଆହୁରି ଜୋର କରିଦେବୁ ବୋଲି ଅଷ୍ଟ୍ରେଲୀୟ ପ୍ରଶିକ୍ଷକ କଲିନ୍‌ ବ୍ୟାଚ୍‌ କହିଛନ୍ତି। ଗତ ବର୍ଷ ଭାରତ କନିଷ୍ଠ ବିଶ୍ୱକପ୍‌ ଜିତିଥିଲା। ବିଜେତା ଦଳର କିଛି ସଦସ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଘରୋଇ ଦଳ ସହ ପ୍ରଥମ ମ୍ୟାଚ୍‌ ଥିବାରୁ ଆମେ ଉତ୍ସାହିତ ରହିଛୁ। ମ୍ୟାଚ୍‌ ବେଳେ ଭଲ ପରିବେଶ ରହିବାର ଆଶା ରହିଛି ବୋଲି ବ୍ୟାଚ୍‌ କହିଛନ୍ତି। ଶ୍ରେଷ୍ଠ ଦଳଗୁଡ଼ିକ ସହ ଖେଳିବାକୁ ଯାଉଥିବାରୁ ଭଲ ପ୍ରତିଦ୍ୱଦ୍ୱିତା ଦେଖିବାକୁ ମିଳିବ ବୋଲି ଅଷ୍ଟ୍ରେଲୀୟ ଅଧିନାୟକ ମାର୍କ ନୋଲେସ୍‌ କହିଛନ୍ତି। ଗତ ସେପ୍ଟେମ୍ବରରେ ହକି ଲିଗ୍‌ ଖେଳି ଆମ ଖେଳାଳିମାନେ ପୁରା ଫର୍ମରେ ରହିଛନ୍ତି। ଆମେ ଇଂଲଣ୍ଡ, ଜର୍ମାନି ଏବଂ ଘରୋଇ ଭାରତ ସହ ଗୋଟିଏ ଗ୍ରୁପ୍‌ରେ ରହିଛୁ। ଘରୋଇ ଦଳ ବିପକ୍ଷରେ ଆମର ଅଭିଯାନ ଭଲ ରହିବ ବୋଲି ଅଧିନାୟକ ନୋଲେସ୍‌ କହିଥିଲେ। ଦଳରେ ଦୁଇଟି ପରିବର୍ତନ ହୋଇଛି। ଆଘାତ ଯୋଗୁଁ ଦୁଇ ଭାଇ ଟମ୍‌ ଏବଂ ବେନ୍‌ କ୍ରେଗ୍‌ଙ୍କୁ ବାଦ୍‌ ଦିଆଯାଇଛି। ସେମାନଙ୍କ ବଦଳରେ ଲଚଲାନ୍‌ ସାର୍ପ ଏବଂ ଜେକ୍‌ ହାର୍‌ଭିଙ୍କୁ ନିଆଯାଇଛି ବୋଲି ସେ କହିଥିଲେ।

ବ୍ୟାରି ଖେଳିବେ ୪୦୦ ମ୍ୟାଚ୍‌

ଇଂଲଣ୍ଡର ବ୍ୟାରି ମିଡିଲ୍‌ଟନ୍‌ ଭୁବନେଶ୍ୱରରେ ନିଜର ମ୍ୟାଚ୍‌ ସଂଖ୍ୟା ୪୦୦ରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ହକି ବିଶ୍ୱ ଲିଗ୍‌ ପାଇଁ ଭୁବନେଶ୍ୱରେ ପାଦ ଥାପିଛନ୍ତି। ଏପର୍ଯନ୍ତ ୩୯୭ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଥିବା ଏହି ୩୩ ବର୍ଷୀୟ ତାରକା ଲିଗ୍‌ ପର୍ଯ୍ୟାୟରେ ଏହି ମଇଲ୍‌ଖୁଣ୍ଟ ପାରି କରିଦେବେ। ଭାରତ, ଅଷ୍ଟ୍ରେଲିଆ ଏବଂ ଜର୍ମାନି ସହ ଇଂଲଣ୍ଡ ଗ୍ରୁପ୍‌-ବିରେ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର