ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଶତାବ୍ଦୀର ସଂଘର୍ଷ

ଭୁବନେଶ୍ୱର: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୧ତମ ସଂସ୍କରଣ ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟ୍‍ରେ ଏପ୍ରିଲ୍‌ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥି ପାଇଁ ବିଭିନ୍ନ ରାଜ୍ୟଗୋଷ୍ଠୀ ସଦସ୍ୟ ରାଷ୍ଟ୍ରମାନେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବାରେ ଲାଗିଛନ୍ତି। ଭାରତ ମଧ୍ୟ ଏହି ଅଭିଯାନରେ ସାମିଲ ରହିଛି। ବ୍ରିଟିଶ ଶାସନାଧୀନ ରାଷ୍ଟ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଅଂଶଗ୍ରହଶକାରୀ ଦେଶଗୁଡ଼ିକ ପାଇଁ ଅଲିମ୍ପିକ୍ସ ଏବଂ ମହାଦେଶୀୟ କ୍ରୀଡ଼ା ପରେ ତୃତୀୟ ସର୍ବୋଚ୍ଚ ସମ୍ମାନ ଓ ଗୌରବ ଆଣିଥାଏ। ଏହି ବିବିଧ ଖେଳ ଶୃଙ୍ଖଳା ବିଶିଷ୍ଟ ପ୍ରତିଯୋଗିତାର ଇତିହାସ ବେଶ ଲମ୍ବା। ୧୮୯୧ ମସିହାରେ ବ୍ରିଟିସ ରାଜତନ୍ତ୍ର ସଦସ୍ୟଙ୍କ ମଧ୍ୟରୁ ଜନ୍‌ ଆସଲେ କୁପର ଏହାର ପ୍ରଥମ ପ୍ରସ୍ତାବକ ଥିଲେ। ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସୌହାର୍ଦ୍ଧ୍ୟ ବଢ଼ାଇବା ଲକ୍ଷ୍ୟରେ ପାନ୍‌ ବ୍ରିଟାନିକ ପାନ୍‌ ଆଙ୍ଗ୍ଲିକାନ୍‌ ପ୍ରତିଦ୍ୱନ୍ଦ୍ୱିତା ପ୍ରସ୍ତାବ ଦେଇଥିଲେ। ଅଲିମ୍ପିକ୍‌ ଆନ୍ଦୋଳନର ପ୍ରବର୍ତା ପୁଏର୍‌ ଡି’ କ୍ୟୁବରତିନଙ୍କ ସହାୟତାରେ କୁପର୍‌ ଏକ ବିଶ୍ୱବ୍ୟାପୀ ସମିତି ଗଠନ କରିଥିଲେ ଏବଂ ୧୯୧୧ ମସିହାରେ ଲଣ୍ଡନ୍‌ର କ୍ରିଷ୍ଟାଲ୍‌ ପାଲାସ୍‌ରେ ଏହାର ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଅଷ୍ଟ୍ରେଲେସିଆ, କାନାଡ଼ା, ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନର ପ୍ରତିଯୋଗୀମାନେ ଦୌଡ଼କୁଦ, ମୁଷ୍ଟିଯୁଦ୍ଧ, କୁସ୍ତି ଓ ସନ୍ତରଣରେ ଭାଗ ନେଇଥିଲେ। କିନ୍ତୁ ପ୍ରଥମ ସଂସ୍କରଣ ଆନୁଷ୍ଠାନିକ ପ୍ରତିଯୋଗିତା ୧୯୩୦ ମସିହାରେ କାନାଡ଼ାର ହାମିଲଟନରେ ଆରମ୍ଭ ହୋଇଥିଲା। ସେତେବେଳେ ଏହି ପ୍ରତିଯୋଗିତାର ନାମ ଥିଲା ବ୍ରିଟିସ୍‌ ଏମ୍ପାୟାର୍‌ ଗେମ୍‌ସ। ୧୯୫୪ରେ କାନାଡ଼ାର ଭାଙ୍କୋଭର୍‌ରେ ଅନୁଷ୍ଠିତ ପଞ୍ଚମ ସଂସ୍କରଣରୁ ଏହାର ନାମକୁ ବ୍ରିଟିଶ ଏମ୍ପାୟାର୍‌ ଆଣ୍ଡ୍‌ କମନ୍‌େଓ୍ଵଲ୍‌ଥ ଗେମ୍‌ସ ନାମରେ ନାମିତ କରାଯାଇଥିଲା। ୧୯୭୦ରେ ଏହା ବ୍ରିଟିଶ୍‌ କମନେଓ୍ଵଲ୍‌ଥ ଗେମ୍‌ସ ନାମକୁ ବଦଳିଥିଲା। ୧୯୭୮ ମସିହାର ଏକାଦଶ ସଂସ୍କରଣ ସ୍କଟ୍‌ଲାଣ୍ଡ୍‌ର ଏଡିନ୍‌ବର୍ଗରେ ହୋଇଥିଲା। ପଞ୍ଚମ ଥର ନାମ ପରିବର୍ତନ ହୋଇ ଏହା କମନ୍‌େଓ୍ଵଲ୍‌ଥ ଗେମ୍‌ସ (ରାଜ୍ୟଗୋଷ୍ଠୀ କ୍ରୀଡ଼ା) ନାମରେ ନାମିତ ହୋଇଥିଲା। ଭାରତ ଥରେ ମାତ୍ର ୨୦୧୦ ମସିହାରେ ଏହାକୁ ଆୟୋଜନ କରିଥିଲେ ମଧ୍ୟ ପରବର୍ତୀ ସମୟରେ ସଫଳତା ତୁଳନାରେ କୋଟି କୋଟି ଟଙ୍କାର ଦୁର୍ନୀତିକୁ ନେଇ ନିନ୍ଦିତ ହୋଇଥିଲା।

ସମ୍ବନ୍ଧିତ ଖବର