ରାଜ୍ୟଗୋଷ୍ଠୀ ଦଳରେ ସୁନୀତା, ଦୀପ୍‌ଗ୍ରେସ୍‌, ନମିତା, ଲିଲିମା

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟରେ ଆୟୋଜିତ ହେବ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମଙ୍ଗଳବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଥିଲା ବେଳେ ବୁଧବାର ମହିଳା ଦଳ ଘୋଷଣା କରାଯାଇଛି। ରାଣୀ ରାମ୍‌ପଲ୍‌ ନେତୃତ୍ୱ ଭାର ବଜାୟ ରଖିଥିଲା ବେଳେ ପୁରୁଖା ଗୋଲ୍‌ରକ୍ଷିକା ସବିତାଙ୍କୁ ଉପଅଧିନାୟିକା ମନୋନୀତ କରାଯାଇଛି। ପୁରୁଷ ଦଳରେ ଜଣେ ମାତ୍ର ଓଡ଼ିଆ ଖେଳାଳି (ଅମିତ୍‌ ରୋହିଦାସ) ସ୍ଥାନ ପାଇଥିଲା ବେଳେ ୧୮ ଜଣିଆ ମହିଳା ଦଳରେ କିନ୍ତୁ ୪ ଜଣ ଓଡ଼ିଆ ସାମିଲ ହୋଇଛନ୍ତି। ସେମାନେ ହେଲେ ସୁନୀତା ଲାକ୍ରା, ଦୀପ୍‌ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‌। ଅନ୍ୟପକ୍ଷରେ ଗତ ଦକ୍ଷିଣ କୋରିଆ ଗସ୍ତରେ ଦଳକୁ ପ୍ରତ୍ୟାବର୍ତନ କରିଥିବା ପୂନମ୍‌ ରାଣୀ ନିଜର ସ୍ଥାନ ବଜାୟ ରଖିଛନ୍ତି। ୫ ମ୍ୟାଚ୍‌ ବିଶିଷ୍ଟ ଦକ୍ଷିଣ କୋରିଆ ବିପକ୍ଷ ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଭାରତୀୟ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କିଛି ବି ବିପର୍ଯ୍ୟୟ ଘଟାଇବାର ସାମର୍ଥ୍ୟ ରଖିଥିବା ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି। ଲମ୍ବା ସମୟ ଧରି ଆମେ ସମାନ ଖେଳାଳିଙ୍କୁ ନେଇ ଖେଳିଚାଲିଥିବାରୁ ପ୍ରତ୍ୟେକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଛି। ପୁଣି ୨୦୦ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଥିବା ସବିତାଙ୍କ ସାମିଲ ଦଳର ଶକ୍ତି ବୃଦ୍ଧି କରିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୦ମ ମାନ୍ୟତା ଭାରତୀୟ ମହିଳା ଦଳ ପୁଲ୍‌-ଏରେ ସ୍ଥାନ ପାଇଛି। ଏହି ପୁଲ୍‌ରେ ଭାରତ ସହିତ େଓ୍ଵଲ୍‌ସ, ମାଲେସିଆ, ବିଶ୍ୱ ମାନ୍ୟତାର ଦ୍ୱିତୀୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଭାରତୀୟ ମହିଳା ୫ ତାରିଖ ଦିନ େଓ୍ଵଲ୍‌ସ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୬ ତାରିଖରେ ମାଲେସିଆ, ୮ ତାରିଖରେ ଇଂଲଣ୍ଡ ଏବଂ ୧୦ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଖେଳି ପୁଲ୍‌ ପର୍ଯ୍ୟାୟ ଅଭିଯାନ ଶେଷ କରିବ। ୧୨ରେ ସେମିଫାଇନାଲ୍‌ ଏବଂ ୧୪ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଏହି ୧୦ ଦଳୀୟ ପ୍ରତିଯୋଗିତାରେ ପ୍ରତି ପୁଲ୍‌ରେ ତୃତୀୟରୁ ପଞ୍ଚମ ସ୍ଥାନ ପାଇଥିବା ଦଳ କ୍ଲାସିଫିକେସନ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହି ଦଳମାନେ ପଞ୍ଚମରୁ ଦଶମ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପକ୍ଷରେ ପ୍ରତି ପୁଲ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍‌ ଯୋଗ୍ୟତା ହାସଲ କରିବେ।

ଏଠାରେ ସୂଚନାଯୋଗ୍ୟ, ଭାରତୀୟ ମହିଳା ଦଳ ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆୟୋଜକ ଇଂଲଣ୍ଡକୁ ୩-୨ ଗୋଲ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ କବ୍‌ଜା କରିଥିଲା ବେଳେ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆୟୋଜକ ଅଷ୍ଟ୍ରେଲିଆ ନିକଟରୁ ହାରି ରୌପ୍ୟ ପଦକ ପାଇଥିଲା। ଏହା ବ୍ୟତୀତ ୨୦୧୦ ଓ ୧୦୧୪ରେ ଦଳ ପଞ୍ଚମ ସ୍ଥାନ ପାଇଥିଲା। ଏଥର ଉନ୍ନତ ପ୍ରଦର୍ଶନ ଜରିଆରେ ଦଳ ୨୦୦୨ ଓ ୨୦୦୬ ସଫଳତା ଦୋହରାଇବ ବୋଲି କହିଛନ୍ତି ଅଧିନାୟିକା ରାଣୀ ରାମ୍‌ପଲ୍‌।

ଭାରତୀୟ ଦଳ: ସବିତା (ଉପଅଧିନାୟିକା ଓ ରଜନୀ ଇଟିମାର୍ପୁ (ଗୋଲ୍‌ରକ୍ଷକ), ଦୀପିକା, ସୁନିତା ଲାକ୍ରା, ଦୀପ୍‌ଗ୍ରେସ୍‌ ଏକ୍କା, ଗୁର୍‌ଜିତ୍‌ କୌର, ସୁଶୀଲା ଚାନୁ ପୁଖ୍ରମ୍‌ବାମ୍‌ (ରକ୍ଷଣଭାଗ), ମୋନିକା, ନମିତା ଟପ୍ପୋ, ନିକ୍କି ପ୍ରଧାନ, ନେହା ଗୋୟଲ, ଲିଲିମା ମିଞ୍ଜ୍‌ (ମଧ୍ୟଭାଗ), ରାଣୀ ରାମ୍‌ପଲ୍‌ (ଅଧିନାୟିକା, ବନ୍ଦନା କାଟାରିୟା, ଲାଲ୍‌ରେମ୍‌ସିଆମି, ନଭ୍‌ଜୋତ୍‌ କୌର, ନବ୍‌ନୀତ୍‌ କୌର ଓ ପୁନମ୍‌ ରାଣୀ (ପୂରୋଭାଗ)।

ସରସ୍ୱତୀଙ୍କୁ ଭାରୋତ୍ତୋଳନ ଟିକେଟ୍‌

ଓଡ଼ିଆ ଝିଅ ସରସ୍ୱତୀ ରାଉତ ଅଷ୍ଟ୍ରେଲିଆର ଗୋଲ୍‌ଡ କୋଷ୍ଟରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟିକେଟ୍‌ କରାୟତ କରିଛନ୍ତି। ବୁଧବାର ଘୋଷିତ ଭାରତୀୟ ଭାରୋତ୍ତୋଳନ ଦଳରେ ସରସ୍ୱତୀଙ୍କ ନାମ ରହିଛି। ସେ ୫୮ କିଲୋଗ୍ରାମ୍‌ ବର୍ଗରେ ପ୍ରତିନିଧିତ୍ୱ କରିବେ। ସରସ୍ୱତୀ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ପୂର୍ବତନ ପ୍ରଶିକ୍ଷକ ପି ଧର୍ମାରୋଓଙ୍କ ଶିଷ୍ୟା। ସୂଚନାଯୋଗ୍ୟ ଯେ ପୂର୍ବରୁ ଓଡ଼ିଶାରୁ ଜିମ୍ନାଷ୍ଟିକ୍‌ରେ ରାକେଶ ପାତ୍ର, ହେପ୍ଟାଥଲନ୍‌ରେ ପୂର୍ଣ୍ଣିମା ହେମ୍ବ୍ରମ୍‌, ପୁରୁଷ ହକିରେ ଅମିତ ରୋହିଦାସ, ମହିଳା ହକିରେ ୪ ଜଣ ସୁନିତା ଲାକ୍ରା, ଦୀପଗ୍ରେସ୍‌ ଏକ୍କା, ନମିତା ଟପ୍ପୋ ଏବଂ ନୀଳିମା ମିଞ୍ଜ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ସାମିଲ ହୋଇସାରିଛନ୍ତି। ୪ ଗୁଣା ୧୦୦ ମିଟର ରିଲେରେ ଜଉନା ମୁର୍ମୁ ଭାରତୀୟ ଦଳରେ ସାମିଲ ହୋଇଥିଲେ ମଧ୍ୟ ଆହତ ଯୋଗୁଁ ଓହରି ଯାଇଥିଲେ।

ସମ୍ବନ୍ଧିତ ଖବର