ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଟେବୁଲ ଟେନିସ, ଲନ ବଲରେ ଭାରତକୁ ସ୍ବର୍ଣ୍ଣ

ବର୍ମିହାମ : ବ୍ରିଟେନରେ ବର୍ମିହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଥିଲା ୫ମ ଦିବସ । ୫ମ ଦିବସଟି ଭାରତ ପାଇଁ ବେଶ ଉଲ୍ଲେଖନୀୟ ଥିଲା । ଆଜି ଭାରତ ୨ଟି ସ୍ବର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛି ।

ଭାରତୀୟ ମହିଳା ଲନ ବଲ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହି କ୍ରୀଡ଼ାରେ ଏହା ହେଉଛି ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ । ଫାଇନାଲରେ ଭାରତୀୟ ଦ​ଳ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ଲନ ବଲ ୩ଟି ଫର୍ମାଟରେ ଖେଳାଯାଇଥାଏ-ସିଙ୍ଗଲ୍ସ, ଡବଲ୍ସ ଓ ଫୋର । ଭାରତ ଫୋର ଦଳ ଏହି ସଫଳତା ପାଇଛି ।

ଆଜିର ୨ୟ ସ୍ବର୍ଣ୍ଣ ପଦକ ଆଣିଛନ୍ତି ଭାରତୀୟ ପୁରୁଷ ଟେବୁଲ ଟେନିସ ଦଳ । ଫାଇନାଲରେ ସିଂଗାପୁରକୁ ୩-୧ରେ ହରାଇ ଭାରତ ଏହି ପଦକ ପାଇଛି ।

ଅନ୍ୟପକ୍ଷରେ ଭାରୋତ୍ତଳନରେ ଭାରତ ଆଉ ଏକ ପଦକ ହାସଲ କରିଛି । ୯୬ କିଲୋଗ୍ରାମ ବର୍ଗରେ ଭାରତର ବିକାଶ ଠାକୁର ରୌପ୍ୟ ହାସଲ କରିଛନ୍ତି ।

ପୂର୍ବରୁ ଭାରତର ମୀରାବାଈ ଚାନୁ ମହିଳା ଭାରୋତ୍ତଳନରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣି ଦେଇଥିଲେ ।

ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୩୨ଟି ସ୍ବର୍ଣ୍ଣ ପଦକ ସହ ମୋଟ ୭୯ଟି ପଦକ ପାଇଁ ପ୍ରଥମ ସ୍ଥାନରେ ଥିବାବେଳେ ୨୫ଟି ସ୍ବର୍ଣ୍ଣ ପଦକ ସମେତ ମୋଟ ୬୫ ପଦକ ପାଇ ଇଂଲଣ୍ଡ ୨ୟ ସ୍ଥାନରେ ରହିଛି । ଭାରତ ୫ ସ୍ବର୍ଣ୍ଣ ପଦକ ସମେତ ମୋଟ ୧୨ଟି ପଦକ ପାଇଁ ୬ଷ୍ଠ ସ୍ଥାନରେ ରହିଛି ।

 

ସମ୍ବନ୍ଧିତ ଖବର