ଭୁବନେଶ୍ବରରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ‘କୁଇନ୍ସ ବ୍ୟାଟେନ୍‌’, ଶନିବାର ଯିବ ପୁରୀ-କୋଣାର୍କ

ଭୁବନେଶ୍ବର: ଆଗାମୀ ୨୦୨୨ ବର୍ମିଙ୍ଗ୍‌ହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ରାଣୀଙ୍କ ଦ୍ବାରା ପ୍ରଦତ୍ତ ‘କୁଇନ୍ସ ବ୍ୟାଟେନ୍‌’ ଆଜି ମନ୍ଦିରମାଳିନୀ ସହରରେ ପହଞ୍ଚିଛି। ଏହି ‘କୁଇନ୍ସ ବ୍ୟାଟେନ୍‌’ ଭୁବନେଶ୍ବରରେ ପହଞ୍ଚିବା ପରେ ହକି ଓଡ଼ିଶା ପ୍ରମୋସନ୍‌ କାଉନ୍‌ସିଲର ଅଧ୍ୟକ୍ଷ ଦିଲୀପ ତିର୍କୀ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଅଧିକାରୀ ଏବଂ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍‌ର କର୍ମଚାରୀମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଜଣାଶୁଣା କ୍ରୀଡ଼ାବିଦ୍‌ ଅନୁରାଧା ବିଶ୍ବାଳ ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଉପସ୍ଥିତ ଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମହରାଣୀଙ୍କ ଦ୍ବାରା ପ୍ରଦତ୍ତ ‘କୁଇନ୍ସ ବ୍ୟାଟେନ୍‌’ ଆଜି ଭୁବନେଶ୍ବରରେ ରହିବ। ଆସନ୍ତାକାଲି (ଜାନୁଆରୀ ୧୫ ତାରିଖରେ) ଏହି ମସାଲ ପୁରୀ ଓ କୋଣାର୍କ ଯିବ। ଭୁବନେଶ୍ବର ଫେରିବା ପୂର୍ବରୁ ଏହି ମସାଲକୁ ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ସମସ୍ତ ବ୍ୟବସ୍ଥା କରିବ ବୋଲି ଦିଲୀପ ତିର୍କୀ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ‘କୁଇନ୍ସ ବ୍ୟାଟେନ୍‌ (ମସାଲ)’ ଯାତ୍ରା ଆନ୍ତର୍ଜାତିକ ଯାତ୍ରାର ଅଂଶବିଶେଷ ରହିବ। ଆନ୍ତର୍ଜାତିକ ଯାତ୍ରା ଅବସରରେ ମସାଲ ୭୨ ରାଷ୍ଟ୍ର ପରିକ୍ରମା କରିବ। ଏହି ମସାଲ ଶୋଭାଯାତ୍ରା ଗତବର୍ଷ ଅକ୍ଟୋବର ୭ ତାରିଖରୁ ବଙ୍କିମ୍‌ହାମ୍‌ ପ୍ୟାଲେସ୍‌ରୁ ଆରମ୍ଭ ହୋଇଥିଲା, ଯେଉଁଠାରେ କି ରାଣୀ ଏଲିଜାବେଥ୍‌-୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କର ବାର୍ତ୍ତା ଦେଇଥିଲେ। ଏହି ମସାଲ ୨୬୯ ଦିନ ଧରି ପରିକ୍ରମା କରିବାକୁ ଥିଲା ବେଳେ ପ୍ରତି ରା‌ଷ୍ଟ୍ରରେ ୨ରୁ ୪ ଦିନ ପର୍ଯ୍ୟନ୍ତ ବୁଲିବ।

ପ୍ରାୟ ୭୫୦୦ ମସାଲ ଧାରକଙ୍କ ଗହଣରେ ପାଖାପାଖି ୧ ଲକ୍ଷ ୪୦ ହଜାର କିଲୋମିଟର ପରିକ୍ରମା କରିବା ପରେ ଉଦ୍‌ଘାଟନୀ ସମାରେ‌ାହ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ଥଳକୁ ଫେରିବ। ଭାରତରେ ୪ ଦିନ ପରିକ୍ରମା କରିବା ପୂର୍ବରୁ ମସାଲ ପାକିସ୍ତାନରେ ୩ ଦିନ ଏବଂ ଏହାପରେ ମାଳଦୀପ, ଶ୍ରୀଲଙ୍କା ଓ ବାଂଲାଦେଶ ପରିକ୍ରମା କରିବ ବୋଲି ଆୟୋଜକ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦୨୨ ବର୍ମିଙ୍ଗ୍‌ହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଆୟୋଜିତ ହେବାକୁ ଥିଲା ବେଳେ ଏଥରେ ୭୨ ରାଷ୍ଟ୍ରରୁ ପ୍ରାୟ ୪୫୦୦ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର