ଭାରତ ଖୁବ୍ ଶୀଘ୍ର ଅଲିମ୍ପିକ୍ସରେ ଭଲିବଲ୍‌ ଖେଳିବ: ଫାବିଓ

ସମ୍ବର୍ଧିତ ହେ‌ଲେ ରାଜ୍ୟଗୋଷ୍ଠୀ ପଦକ ବିଜେତା

ଭୁବନେଶ୍ବର: ଭଲିବଲ୍ ଏକ ଚମତ୍କାର‌ ଖେଳ, ଏହା ଅନେକଙ୍କୁ ଯୋଡ଼ିପାରୁଥିବା ଏକ ଖେଳ। ଭାରତୀୟ ଭଲିବଲ୍ ସଫଳତା ଦୃଷ୍ଟିରୁ ପରିଚିତ ନଥିଲେ ମଧ୍ୟ ଖୁବ୍ ଶୀଘ୍ର ଅଲିମ୍ପିକ୍ସ ଓ ବିଶ୍ବ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବ। ଏମିତି ଆଶା ପ୍ରକଟ କରିଛନ୍ତି ଏଫ୍‌ଆଇଭିବି (ଫେଡେରେସନ୍‌ ଅଫ୍‌ ଇଣ୍ଟରନ୍ୟାସନାଲ୍ ଡି ଭଲିବଲ୍)ର ମହାନିର୍ଦେଶକ ଫାବିଓ ଆଜେଭେଦୋ। ପ୍ରଥମ ଥର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏଫ୍‌ଆଇଭିବିର ୪ ଜଣିଆ ପ୍ରତିନିଧି ମଣ୍ଡଳିର ନେତୃତ୍ବ ନେଇଥିବା ଫାବିଓ ମଧ୍ୟ ଓଡ଼ିଶା ବିଶେଷକରି କିଟ୍‌ ଓ କିସ୍‌ କ୍ରୀଡ଼ା ଭିତ୍ତିଭୂମି ଦେଖିବା ପରେ କହିଛନ୍ତି ଅନ୍ତର୍ଜାତୀୟ ସ୍ତରର ବଡ଼ ପ୍ରତିଯୋଗିତା ଆୟୋଜନ କରିବାରେ ‘ଆପଣଙ୍କ ରାଜ୍ୟ ସକ୍ଷମ’। ଫାବିଓଙ୍କ ଏଭଳି ଉତ୍ସାହଜନକ ଅଭିଭାଷଣ ଭାରତୀୟ ଭଲିବଲ୍ ପାଇଁ ଭିଟାମିନ୍ ଭଳି ହେବ ବୋଲି ମଧ୍ୟ କ୍ରୀଡ଼ା ବିଶାରଦମାନେ କହିଛନ୍ତି। ଭାରତୀୟ ଭଲିବଲ୍‌ ସଂଘ ଏବଂ କିଟ୍‌-କିସ୍‌ ପକ୍ଷରୁ ଫାବିଓଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଧିତ କରିବା ଲାଗି ଆୟୋଜିତ ଏହି ଉତ୍ସବ ଅବସରରେ ମଧ୍ୟ ସାଂସଦ ଅଚ୍ୟୁତ ସାମନ୍ତ ଅନୁରୂପ ଆଶା ପୋଷଣ କରିଥିଲେ। ଭଲିବଲ୍‌ରେ ଭାରତ କେବେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିନଥିବା ବେଳେ ମାତ୍ର ଦୁଇ ଥର ବିଶ୍ବ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି। ଡକ୍ଟର ସାମନ୍ତ କିନ୍ତୁ କହିଥିଲେ ୨୦୨୮ ଅଲିମ୍ପିକ୍ସ ବେଳକୁ ଭାରତ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି।

ଏଫ୍‌ଆଇଭିବି ଏ ଦିଗରେ ନିଶ୍ଚିତ କାର୍ଯ୍ୟକରିବ ବୋଲି ଭାରତୀୟ ଭଲିବଲ୍ ସଂଘର ସଭାପତି ଭାବେ ପୁନଃ ଅବସ୍ଥାପିତ ଅଚ୍ୟୁତ ସାମନ୍ତ ପ୍ରକାଶ କରିଥିଲେ। ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ ପୂର୍ବରୁ ଖେଳାଳିମାନଙ୍କ ମିଳନ ଓ ସଫଳତା ରାଜ୍ୟର ଖୁସିକୁ ଦ୍ବିଗୁଣିତ କରିଛି ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦଷ୍ଟି ସମ୍ପନ୍ନ ଈଚ୍ଛାଶକ୍ତି ପାଇଁ ଓଡ଼ିଶା ଏବେ ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଓଡ଼ିଶା ଦୌଡ଼କୁଦ ସଂଘ ଓ ଓଡ଼ିଶା ଫୁଟ୍‌ବଲ୍ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ କିଟ୍‌ ଓ କିସ୍‌ କ୍ରୀଡ଼ା ଭିତ୍ତିଭୂମିକୁ ଉଚ୍ଚ ପ୍ରଶଂସା କରି ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟ ଭଲିବଲ୍‌ ସଂଘର ଆଗାମୀ ନିର୍ବାଚନରେ ସଭାପତି ପଦ ନେବାକୁ ଅନୁରୋଧ କରିଥିଲେ। କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କିଟ୍‌ କ୍ରୀଡ଼ା ବିଭାଗ ମହାନ‌ିର୍ଦେଶକ ଗଗନେନ୍ଦୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ତାରକାଙ୍କ ଭିଡ
ଫାବିଓଙ୍କ ଲାଗି ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏକାଧିକ ଅଲିମ୍ପିଆନ୍ ଓ ଅର୍ଜୁନ ପୁରସ୍କାର ବ‌ିଜେତାଙ୍କ ଉପସ୍ଥିତି ଏହି ସଭାକୁ ମହତ୍ବପୂର୍ଣ୍ଣ କରିଦେଇଥିଲା। ଏହି ଅବସରରେ ସଦ୍ୟ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ହକିରେ ରୌପ୍ୟ ପଦକ ଜିତିଥିବା ଅମିତ ରୋହିଦାସ, ଅଂଶଗ୍ରହଣ କରିଥିବା ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ଲଣ୍ଡନ୍‌ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଫେନସିଂରେ ସ୍ବର୍ଣ୍ଣ ବିଜୟିନୀ କିଟ୍ ଛାତ୍ରୀ ସିଏ ଭବାନୀ ଦେବୀ, ରୌପ୍ୟ ପଦକ ବିଜେତା ପାରା ଫେନସର୍‌ ରାଖାଲ ସେଠୀଙ୍କୁ ସମ୍ବର୍ଧିତ କରାଯାଇଥିଲ। ଅର୍ଜୁନ ପୁରସ୍କାର ବିଜୟିନୀ ମିନତି ମହାପାତ୍ର, ଅଲିମ୍ପିଆନ୍‌ ଶିବପାଲ୍ ସିଂହ, ଅନୁରାଧା ବିଶ୍ବାଳ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍, ଭାରତୀୟ ମହିଳା ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର