ସିଏସି ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ, ଅବୈଧ ଘୋଷିତ ହୋଇପାରେ ଶାସ୍ତ୍ରୀଙ୍କ ନିଯୁକ୍ତି

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି) ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆସିଛି। କପିଳଙ୍କ ସହ ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ବାଡ ସଦସ୍ୟ ଥିବା ଏହି ସମିତି ଦ୍ବୈତ ସ୍ବାର୍ଥରେ ଜଡ଼ିତ ଥିବା ବିସିସିଆଇ ନୈତିକ ଅଧିକାରୀ ଜଷ୍ଟିସ୍ ଡିକେ ଜୈନ ହୃଦୟଙ୍ଗମ କରିଛନ୍ତି। ସେଥିପାଇଁ ଶନିବାର ଜଷ୍ଟିସ୍ ଜୈନ ତିନି ଜଣଯାକଙ୍କୁ ନୋଟିସ୍ ଜାରି କରିବା ସହ ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ଏହାର ଜବାବ ରଖିବାକୁ ନର୍ଦେଶ ଦେଇଛନ୍ତି। କପିଳ, ଅଂଶୁମାନ ଓ ଶାନ୍ତା ଲୋଧା ସମିତି କରିଥିବା ‘ଗୋଟିଏ ଲୋକ, ଗୋଟିଏ ପଦ’ ସୁପାରିସକୁ ଉଲ୍ଲଂଘନ କରିଥିବା ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ଆଜୀବନ ସଦସ୍ୟ ସଂଜୀବ ଗୁପ୍ତା ଶ୍ରୀ ଜୈନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସିଏସି ସଦସ୍ୟମାନେ ଦ୍ବୈତ ସ୍ବାର୍ଥରେ ଜଡ଼ିତ ଥିବା ପ୍ରମାଣିତ ହେଲେ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ନିଯୁକ୍ତି ଅବୈଧ ଘୋଷିତ ହେବାର ଢେର ଆଶଙ୍କା ରହିଛି। କାରଣ ସିଏସି ହିଁ ଆଶାୟୀ ପ୍ରାର୍ଥୀଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ ସାକ୍ଷାତକାର ‌ନେଇ ଶାସ୍ତ୍ରୀଙ୍କୁ ଶେଷରେ ବାଛିଥିଲା।

ଶାନ୍ତା ରଙ୍ଗସ୍ବାମୀଙ୍କ ଇସ୍ତଫା

ଦ୍ବୈତ ସ୍ବାର୍ଥ ନୋଟିସ୍ ପାଇବାର କିଛି ଘଣ୍ଟା ପରେ ସିଏସି ସଦସ୍ୟ ଶାନ୍ତା ରଙ୍ଗସ୍ବାମୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ସଂଧ୍ୟାରେ ସେ ନିଜ ଇସ୍ତଫା ପତ୍ର ବିସିସିଆଇ ପ୍ରଶାସନିକ ସମିତି (ସିଓଏ)କୁ ପଠାଇଦେଇଥିବା ଶାନ୍ତା ପ୍ରକାଶ କରିଛନ୍ତି। ତା’ ସହ ଭାରତୀୟ କ୍ରିକେଟ୍ ଖେଳାଳି ସଂଘ (ଆଇସିଏ)ର ନିର୍ଦେଶକ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ୬୫ ବର୍ଷୀୟା ରଙ୍ଗସ୍ବାମୀ ଦ୍ବୈତ ସ୍ବାର୍ଥ ନୋଟିସ୍ ପାଇବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭାରତୀୟ କ୍ରିକେଟର ସେବା କରିବା ଆମର ଲକ୍ଷ୍ୟ ଥିଲା। ହେଲେ ନିୟମ ଏଥିଲାଗି ଅନୁମତି ପ୍ରଦାନ କରୁନାହିଁ। ସେଥିପାଇଁ ମୁଁ ମୋ ପଦରୁ ଇସ୍ତଫା ଦେଇଛି। ମୁଁ କୌଣସି ବିବାଦରେ ରହିବାକୁ ଚାହୁଁନାହିଁ।

ଅବୈଧ ଘୋଷିତ ହୋଇପାରେ ଶାସ୍ତ୍ରୀଙ୍କ ନିଯୁକ୍ତି
ସିଏସି ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆସିବା ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ରବି ଶାସ୍ତ୍ରୀ ପୁନଃ ଅବସ୍ଥାପିତ ହେବା ଅବୈଧ ଘୋଷିତ ହୋଇପାରେ। ଶାସ୍ତ୍ରୀଙ୍କୁ ପୁଣି ଥରେ ସାକ୍ଷାତକାର ସହ ଅନ୍ୟାନ୍ୟ ଔପଚାରିକତା ପୂରଣ କରିବାକୁ ପଡ଼ିପାରେ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ରବିବାର ଏଭଳି ମନବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଶାସ୍ତ୍ରୀଙ୍କୁ ପୁଣି ଥରେ ନିଯୁକ୍ତି କରିବାକୁ ପଡ଼ିବ। ତାଙ୍କୁ ବାଛିଥିବା ସମିତି ଯଦି ବେଆଇନ ଘୋଷିତ ହୁଏ, ତାହାଲେ ତାଙ୍କ ନିଯୁକ୍ତି ମଧ୍ୟ ବେଆଇନ। ଏଥିଲାଗି ଆଉ ଏକ ସମିତି ଗଠନ କରିବାକୁ ମଧ୍ୟ ହେବ। କାରଣ ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ କେବଳ ସିଏସି ହିଁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିପାରିବ। ଏହି କ୍ରମରେ ଭାରତୀୟ ମହିଳା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଡବ୍ଲ୍ୟୁ ଭି ରମଣ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ସିଏସି ଦ୍ବୈତ ସ୍ବାର୍ଥରେ ସଂପୃକ୍ତ ନାହିଁ: ରାଏ
ବିସିସିଆଇ ନୈତିକ ଅଧିକାରୀ ଜଷ୍ଟିସ୍ ଡିକେ ଜୈନଙ୍କ ସହ ସିଓଏ ମୁଖ୍ୟ ବିନୋଦ ରାଏ କିନ୍ତୁ ଏକମତ ହୋଇ ନାହାନ୍ତି। ସେ କହିଛନ୍ତି କପିଳ, ଗାଏକ୍ବାଡ୍ ଏବଂ ରଙ୍ଗସ୍ବାମୀଙ୍କ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଥିଲା। ସେମାନେ ଦ୍ବୈତ ସ୍ବାର୍ଥରେ ଜଡ଼ିତ ଅଛନ୍ତି ବୋଲି ସିଓଏ ଭାବୁନି। ସିଓଏରେ ମତପାର୍ଥକ୍ୟ ଥିଲେ ମଧ୍ୟ କପିଳ, ଗାଏକ୍ବାଡ୍ ଏବଂ ରଙ୍ଗସ୍ବାମୀଙ୍କୁ ନେଇ ଆମ ମନରେ କୌଣସି ଦ୍ବନ୍ଦ୍ବ ନଥିଲା। ସିଓଏର ଅନ୍ୟତମ ସଦସ୍ୟ ଡାଏନା ଇଦୁଲଜୀ କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି। ଦ୍ବୈତ ସ୍ବାର୍ଥ ମାମଲାରେ ନୈତିକ ଅଧିକାରୀ ହିଁ ‌ଶେଷ ନିଷ୍ପତ୍ତି ନେବେ। ସେ ଯଦି ହୃଦୟଙ୍ଗମ କରନ୍ତି ଯେ ସିଏସି ଦ୍ବୈତ ସ୍ବାର୍ଥରେ ଜଡ଼ିତ, ତାହାଲେ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିବାକୁ ହେବ।

ସମ୍ବନ୍ଧିତ ଖବର