ଚିନ୍ତା ବଢ଼ାଉଛି ଡେଲ୍‌ଟା ପ୍ଲସ୍‌: ଦେଶରେ ୪୦ ମାମଲା ଚିହ୍ନଟ, ତୁରନ୍ତ ପଦକ୍ଷେପ ପାଇଁ ୩ ରାଜ୍ୟକୁ କେନ୍ଦ୍ରର ଚିଠି

ଡେଲ୍‌ଟା ପ୍ଲସ୍‌ ପାଇଁ କେରଳର ୩ ଗାଁରେ ହାଇ ଆଲର୍ଟ, ପୂରା ଗାଁ ତାଲାବନ୍ଦ

ନୂଆଦିଲ୍ଲୀ : ଦେଶରେ ୪୦ଟି ନୂଆ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି। ଡେଲ୍‌ଟା ପ୍ଲସ୍‌ ପ୍ରଜାତିକୁ ଏକ ଚିନ୍ତାଜନକ ପ୍ରଜାତି ଭାବେ ଘୋଷଣା କରାଯାଇଛି। ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶରେ ଏହି ଡେଲ୍‌ଟା ପ୍ଲସ୍‌ ମାମଲା ଅଧିକ ଚିହ୍ନଟ ହୋଇଛି। କେରଳର ଜଣେ ୪ ବର୍ଷର ଶିଶୁ ମଧ୍ୟ ଡେଲ୍‌ଟା ପ୍ଲସ୍‌ ପ୍ରଜାତିରେ ସଂକ୍ରମିତ। ତେଣୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଉକ୍ତ ୩ ଟି ରାଜ୍ୟକୁ ସତର୍କ କରାଯାଇଛି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କେରଳର ମୁଖ୍ୟ ସଚିବ ମାନଙ୍କ ପାଖକୁ ଚିଠି ଲେଖିଛନ୍ତି। ଉକ୍ତ ୩ ରାଜ୍ୟର ମୁଖ୍ୟ ସଚିବମାନେ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଥିବା ସ୍ଥାନମାନଙ୍କୁ ତୁରନ୍ତ ଅବରୋଧ ଅଞ୍ଚଳ କରିବା ସହ ଟେଷ୍ଟିଂ ବଢ଼ାଇବା, କରୋନା ନିୟମାବଳିର ସଠିକ୍‌ ପାଳନ ହେଉଥିବା ନେଇ ନିଶ୍ଚିତ କରାଇବା ଏବଂ ଟିକାକରଣ ବୃଦ୍ଧି କରିବାପାଇଁ କୁହାଯାଇଛି। ମଧ୍ୟପ୍ରଦେଶର ଭୋପାଳ ଓ ଶିବପୁରୀ, ମହାରାଷ୍ଟ୍ରର ରତ୍ନଗିରି ଓ ଜଲ୍‌ଗାଓଁ ଏବଂ କେରଳର ପଲକ୍କଡ ଓ ପଥନମଥିତ୍ତରେ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି। ଏହି ସବୁ ଜିଲ୍ଲାମାନଙ୍କରେ ସଂକ୍ରମଣ ରୋକିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ମହାରାଷ୍ଟ୍ରରେ ୨୧ଟି ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୬ଟି, କେରଳରେ ୩, ତାମିଲନାଡ଼ୁରେ ୩, କର୍ଣ୍ଣାଟକରେ ୨, ପଂଜାବ, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମୁରେ ଗୋଟିଏ ଲେଖାଏଁ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି। ଡେଲ୍‌ଟା ପ୍ଲସ୍‌ ମାମଲା ଏବେ ଦେଶରେ ବହୁ୍ତ କମ୍‌ ରହିଛି। କିନ୍ତୁ ଜଣାପଡ଼ୁଛି ଯେ , କିଛି ରାଜ୍ୟରେ ଏହି ପ୍ରଜାତି ୨ ମାସ ପୂର୍ବରୁ ରହିଛି। ମହାରାଷ୍ଟ୍ର ଏବେ ରାଜ୍ୟକୁ ୨ ମାସ ପୂର୍ବରୁ ବିଦେଶରୁ ଫେରିଥିବା ଯାତ୍ରୀଙ୍କର ତଥ୍ୟ ସଂଗ୍ରହ କରୁଛି। ତେବେ କେନ୍ଦ୍ର ପକ୍ଷରୁ ଏହି ରାଜ୍ୟମାନଙ୍କ ପାଇଁ ଏକ ଟିମ୍‌ ପଠାଯାଇଛି। ଡେଲ୍‌ଟା ପ୍ଲସ୍‌ ମାମଲା ଭାରତ ସମେତ ଆମେରିକା, ବ୍ରିଟେନ୍‌, ପର୍ତ୍ତୁଗାଲ୍‌, ସ୍ବିଜରଲାଣ୍ଡ, ଜାପାନ, ପୋଲାଣ୍ଡ୍‌, ରୁଷିଆ ଏବଂ ଚୀନ୍‌ରେ ଚିହ୍ନଟ ହୋଇଛି। କିନ୍ତୁ ଏହି ପ୍ରଜାତି ସଂକ୍ରାନ୍ତରେ ଏଯାବତ୍‌ ଖୁବ୍‌ କମ୍‌ ଜାଣିବାକୁ ମିଳିଛି।

ଡେଲ୍‌ଟା ପ୍ଲସ୍‌ ପାଇଁ କେରଳର ୩ ଗାଁରେ ହାଇ ଆଲର୍ଟ, ପୂରା ଗାଁ ତାଲାବନ୍ଦ

ତିରୁଅନନ୍ତପୁରମ୍‌ : କେରଳର ୩ ଟି ଗାଁରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି। ଏହି ଗାଁ ମାନଙ୍କରେ ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଠାବ ହୋଇଛି। ଉକ୍ତ ଗାଁ ଗୁଡ଼ିକରେ କେତେକ କରୋନା ସଂକ୍ରମିତ ରୋଗୀମାନଙ୍କ ନମୁନାରେ ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଥିବା ଜଣାପଡ଼ିବା ପରେ ଗାଁରେ ହାଇ ଆଲର୍ଟ ଜାରି ହୋଇଛି। ଗୋଟିଏ ମାମଲା ପଥନମଥିତ୍ତରେ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୨ଟି ମାମଲା ପଲକ୍କଡ଼ ଜିଲ୍ଲାରେ ଚିହ୍ନଟ ହୋଇଛି। ପଥନମଥିତ୍ତ ଜିଲ୍ଲାର କଡ଼ପରା ଗାଁରେ ଜଣେ ୪ ବର୍ଷର ଶିଶୁଠାରେ ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଚିହ୍ନଟ ହୋଇଛି। ତେବେ ଉକ୍ତ ଶିଶୁଟି ଏବେ କୋଭିଡ୍‌ ନେଗେଟିଭ୍‌। ସମ୍ପୃକ୍ତ ଅଞ୍ଚଳକୁ ଏବେ ଅବରୋଧ କରାଯାଇଛି। ଗ୍ରାମରେ ପ୍ରତ୍ୟେକ ଲୋକଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ୍‌ କରାଯାଇଛି। ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଏ ଏଲ୍‌ ଶିଜା କହିଛନ୍ତି, ଉକ୍ତ ଅଞ୍ଚଳରୁ ଅଧିକାଂଶ ରୋଗୀ ପୂର୍ବରୁ ଡେଲ୍‌ଟା ପ୍ରଜାତିରେ ସଂକ୍ରମିତ ହୋଇଥିଲେ। ପଲକ୍କଡ଼ରେ ପରାଲି ଏବଂ ପରିୟାରି ଗ୍ରାମ ଗୋଟିଏ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଏହି ସମୟ ମଧ୍ୟରେ ସମସ୍ତ ଗ୍ରାମବାସୀଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ୍‌ କରାଯିବ। ପଲକ୍କଡ଼ରେ ୨ ଜଣ ମହିଳାଙ୍କଠାରେ ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର