ଭୁବନେଶ୍ବର : ସଚିନ ତେନ୍ଦୁଲକରଙ୍କ ପରେ ତାଙ୍କ କୀର୍ତ୍ତିମାନର ନିକଟତର ହେଉଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ଆଗରେ ରହୁଛନ୍ତି। ଭାରତର ରନ୍ ମେସିନ୍ ଆଖ୍ୟା ପାଇଥିବା କୋହଲିଙ୍କ ଟେଷ୍ଟ ଫର୍ମ କିନ୍ତୁ ଏବେ ଚିନ୍ତାଜନକ ସ୍ଥିତିରେ ରହିଛି। ଦୀର୍ଘ ସମୟ ଧରି କୋହଲିଙ୍କ ବ୍ୟାଟ୍ରୁ ଟେଷ୍ଟ୍ ମ୍ୟାଚ୍ରେ ବଡ଼ ରନ୍ ବାହାରୁନଥିଲା ବେଳେ ଶେଷ ଅର୍ଦ୍ଧଶତକକୁ ୧୫ଟି ପାଳି ବିତିଗଲାଣି। ସେହିପରି ଶେଷ ଥର ପାଇଁ ୩୭ ପାଳି ପୂର୍ବରୁ ୨୦୧୯ ନଭେମ୍ବରରେ ତାଙ୍କ ବ୍ୟାଟ୍ରୁ ଟେଷ୍ଟ ଶତକ ଆସିଥିଲା। ବର୍ତ୍ତମାନ କୋହଲିଙ୍କ ବ୍ୟାଟ୍ରୁ ରନ୍ ବାହାରୁନଥିବାରୁ ଇନ୍ଦୋର ମ୍ୟାଚ୍ ପରାଜୟ ପଛରେ ଏହାକୁ ମଧ୍ୟ ବଡ଼ କାରଣ ବୋଲି ବିବେଚନା କରାଯାଉଛି।
୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରିଥିବା କୋହଲି ବର୍ତ୍ତମାନ ସୁଦ୍ଧା ୧୦୭ ମ୍ୟାଚ୍ରୁ ୧୮୨ ପାଳି ଖେଳିସାରିଲେଣି। ଏକଦା ହାରାହାରି ରନ୍ ୫୫ ଉପରକୁ ରହୁଥିଲା ବେଳେ ଏବେ ତାହା ୪୮.୧୨ କୁ ଖସିଆସିଛି। ବିଶେଷ କରି ୨୦୧୯ ପରଠୁ କୋହଲିଙ୍କ ବ୍ୟାଟ୍ ରନ୍ ପାଇଁ ଭୋକିଲା ରହିଛି। ୨୦୧୯ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ଇଡେନ୍ ଗାର୍ଡେନ୍ରେ ୧୩୬ ରନ୍ର ଶତକୀୟ ପାଳି ଖେଳିଥିଲେ। ଏହାପରଠୁ ସେ ଆଉ ଶତକର ନିକଟତର ବି ହୋଇପାରିନାହାନ୍ତି। ସେହିପରି ଗତବର୍ଷ ଜାନୁଆରିରେ କେପ୍ଟାଉନ୍ରେ ଶେଷ ଥର ଅର୍ଦ୍ଧଶତକ (୭୯) ମାରିଥିଲା ବେଳେ ଏବେ ରନ୍ ପାଇଁ ସଂଘର୍ଷ କରୁଛନ୍ତି।
Times Nowଶେଷ ଥର ପାଇଁ ୨୦୧୯ ଫ୍ରିଡମ୍ ଟ୍ରଫିରେ ତାଙ୍କର ହାରାହାରି ରନ୍ ୧୫୮.୫୦ ରହିଥିଲା। ଏହା ତାଙ୍କର କୌଣସି ଶୃଙ୍ଖଳା ମଧ୍ୟରେ ସର୍ବଶ୍ରେଷ୍ଠ ହାରାହାରି ରନ୍ ଥିଲା। ହେଲେ ଏହାପରଠୁ କେବଳ ବାଂଲାଦେଶର ଭାରତ ଗସ୍ତରେ ୬୮.୦୦ ହାରାହାରି ରନ୍ ହୋଇଥିଲା ବେଳେ ୨୦୨୧ ଫ୍ରିଡମ୍ ଟ୍ରଫିରେ ଏହି ସଂଖ୍ୟା ୪୦.୨୫କୁ ଛୁଇଁଥିଲା। ୨୦୨୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ସବୁଠୁ କମ୍ ହାରାହାରି ରନ୍ ୯.୫୦ ରହିଥିଲା ବେଳେ ଗତବର୍ଷ ବାଂଲାଦେଶ ଗସ୍ତ ସମୟରେ ମାତ୍ର ୧୫.୦୦ ରହିଥିଲା। ଏପରିକି ଚଳିତ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (୨୦୨୧-୨୩) ଅନ୍ତର୍ଗତ ୧୫ ମ୍ୟାଚ୍ରୁ ୨୬.୨୬ ହାରରେ ୬୮୩ ରନ୍ ସଂଗ୍ରହ କରିଥିଲା ବେଳେ ମାତ୍ର ୩ ଅର୍ଦ୍ଧଶତକ ଆସିଥିଲା।
ଏଥିପୂର୍ବରୁ ୨୦୧୯-୨୦୨୧ ଟେଷ୍ଟ ଚାମ୍ପିଅନସିପ୍ରେ ସମାନ ସଂଖ୍ୟକ ମ୍ୟାଚ୍ରୁ ୪୨.୪୫ ହାରରେ ୯୩୪ ରନ୍ ସଂଗ୍ରହ କରିଥିଲେ। ଏହି ସଂସ୍କରଣରେ ତାଙ୍କ ବ୍ୟାଟ୍ରୁ ୫ ଅର୍ଦ୍ଧଶତକ ଓ ୨ ଶତକ ଆସିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣେରେ ଦ୍ବିଶତକ (୨୫୪*) ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଦିନିକିଆ ଓ ଟ୍ବେଣ୍ଟି-୨୦ରେ କୋହଲି ନିଜ ଲୟକୁ ଫେରିସାରିଛନ୍ତି। ତିନିବର୍ଷ ପରେ ଧଳାବଲ୍ରେ ଶତକ ମାରିଥିଲେ, ହେଲେ ଟେଷ୍ଟ ମ୍ୟାଚ୍ରେ କେବେ ତାଙ୍କ ବ୍ୟାଟ୍ ପୁଣି ଗର୍ଜନ କରିବ ତାହାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/kohali-ddd.jpg)