ପ୍ରାକ୍‌ ଅଲିମ୍ପିକ୍‌ ଶିବିର ବାତିଲକୁ ନେଇ ଚିନ୍ତା, ଅଲିମ୍ପିକ୍ସରୁ ଓହରିଲେ ମାରିନ୍‌

ଟୋକିଓ: ଟୋକିଓ ଅଲିମ୍ପିକ୍ସକୁ ଆଉ ୮ ସପ୍ତାହରୁ କମ୍‌ ସମୟ ରହିଛି। ବିନା ଦର୍ଶକରେ ଏହା ଖେଳାଯିବାକୁ ଯାଉଥିବାରୁ ବ୍ୟାବସାୟିକ ଦୃଷ୍ଟିରୁ ବି ଏହା ବଡ଼ ପ୍ରଭାବ ପକାଇବାକୁ ଯାଉଛି। ଜାପାନରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଡାକ୍ତରୀ ଦଳ ଏବଂ ସାମାଜିକ କର୍ମୀମାନେ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଏସବୁ ପଛରେ କୋଭିଡ୍‌ ପରିସ୍ଥିତି ମୁଖ୍ୟ କାରଣ ରହିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି ଏବଂ ଆଞ୍ଚଳିକ ଆୟୋଜନ ସମିତି କିନ୍ତୁ ଯଥାରୀତି ଅଲିମ୍ପିକ୍ସ ଆୟୋଜନ ନେଇ ଦୃଢ଼ ରହିଛନ୍ତି। ଅଲିମ୍ପିକ୍ସ ଉପରେ ଅର୍ଥନୈତିକ ପ୍ରଭାବକୁ ନେଇ ଅନୁଧ୍ୟାନ କରିଥିବା କାନସାଇ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର କତସୁହିରୋ ମିୟାମୋତୋ କହିଛନ୍ତି ‘ଜାପାନରେ ଆୟୋଜିତ ତାଲିମ ଶିବିର ବିଭିନ୍ନ ସହର ଓ ନଗର ଉପରେ ବଡ଼ ପ୍ରଭାବ ପକାଇଥାନ୍ତା। ଏବେ ଏସବୁ ହାତରୁ ଚାଲିଗଲା’। କତସୁହିରୋଙ୍କ ଏହି କଥାରୁ ଆଭାସ ମିଳୁଛି ଜାପାନ ପରୋକ୍ଷରେ ମଧ୍ୟ କୋଟି କୋଟି ୟାନ୍‌ କ୍ଷତି ସହିବ।

ଗୋଟିଏ ଦୁଇଟି ଉଦାହରଣ ମଧ୍ୟ ନଜରକୁ ଆସିଛି। ଜାପାନି ସହର କାମୋରେ ୪୨ ଜଣ ରୁଷୀୟ ଜିମ୍ନାଷ୍ଟ ଓ ପ୍ରଶିକ୍ଷକଙ୍କ ପ୍ରାକ୍ ଅଲିମ୍ପିକ୍ ତାଲିମର ଯୋଜନା ରହିଥିଲା। ଏଥି ପାଇଁ କାମୋ ପ୍ରାୟ ୭୦୦ ଲକ୍ଷ ୟାନ୍‌ (ପ୍ରାୟ ୬୪୦,୦୦୦ ଡଲାର୍‌) ଖର୍ଚ କରିଥିଲା। ଏସବୁ ହରାଇଜଣ୍ଟାଲ୍ ବାର୍‌, ଜିମ୍ନାଷ୍ଟିକ୍ସ ବାର୍‌ ଏବଂ ଅନ୍ୟାନ୍ୟ ତାଲିମ ସରଞ୍ଜାମର ଉନ୍ନତିକରଣ ପାଇଁ କରାଯାଇଥିଲା। ଏ‌ବେ ରୁଷୀୟ ଦଳ ନିଜର ପ୍ରାକ୍‌ ଅଲିମ୍ପିକ୍ସ ପ୍ରସ୍ତୁତିକୁ ବାତିଲ କରିଦେଇଛି। ଅନ୍ୟପକ୍ଷରେ ଜାପାନର ପ୍ରାୟ ୧୦୦ ମ୍ୟୁନିସିପାଲିଟି ମଧ୍ୟ ବ‌ିଦେଶୀ କ୍ରୀଡ଼ାବିତଙ୍କ ପ୍ରାକ୍‌ ଅଲିମ୍ପିକ୍ ଶିବିରକୁ ଆୟୋଜନ କରିବାକୁ ନାରାଜ ହେବାରୁ ଚୁକ୍ତି ବାତିଲ କରିଦେଲେଣି। ରୁଷୀୟ ଜିମ୍ନାଷ୍ଟମାନଙ୍କୁ ଦେଖି ଉତ୍ସାହିତ ହେବାକୁ ଥିବା ବହୁ ସ୍ଥାନୀୟ ପିଲା ମଧ୍ୟ ସେଥିରୁ ବଞ୍ଚିତ ‌ହେବେ ବୋଲି ଜଣେ କାମେ ଅଧିକାରୀ ପ୍ରକାଶ କରିଛନ୍ତି। କ୍ୟୁବାର ଏକ ପ୍ରତିନିଧି ମଣ୍ଡଳକୁ ମଧ୍ୟ ଟୋକିଓର ନିକଟସ୍ଥ ହିଗାସିମାସୁୟାମା ସହର ମନା କରି ଦେଇଛି।

ଅଷ୍ଟ୍ରେଲିଆ ଜୁଡୋ ଦଳ ମଧ୍ୟ ସୁରକ୍ଷା କାରଣରୁ ନିଜ ଆଡୁ ଓହରିଯାଇଛି। ଜାପାନ ସରକାର ମଧ୍ୟ ପ୍ରାୟ ୧୩ ବିଲିୟନ୍ ୟାନ୍‌ ଖର୍ଚ୍ଚ କରିବାର ଥିଲା ପ୍ରାକ୍‌ ଅଲିମ୍ପିକ୍ ପ୍ରସ୍ତୁତିରେ। ଏସବୁ ପାଣିରେ ପଡ଼ିବାକୁ ଯାଉଛି। ୨୦୧୭ ମସିହାରେ ଟୋକିଓ ମେଟ୍ରୋପଲିଟାନ୍‌ ସରକାର ଅଲିମ୍ପିକ୍ସ ଜରିଆରେ ୧୧୦ରୁ ୨୦୩୦ ବିଲିଅନ୍ ୟାନ୍‌ ରୋଜଗାର କରିବେ ବୋଲି ଆଶା ରଖିଥିବା ଘୋଷଣା କରିଥିଲେ। ପୂର୍ବ ଟୋକିଓର ନରିତାରେ ଆମେରିକାର ଟ୍ରାକ୍‌ ଆଣ୍ଡ୍ ଫିଲ୍ଡ ଦଳ ଶିବିର ପକାଇଥାନ୍ତା। ତାରକା ସ୍ପ୍ରିଣ୍ଟର୍‌ ଜଷ୍ଟିନ୍ ଗଟଲିନଙ୍କ ସହ ପ୍ରାୟ ୧୨୦ ଜଣ ଆମେରିକୀୟ ଆଥଲେଟ୍‌ ଓ ଷ୍ଟାଫ୍‌ ଶିବିରରେ ସାମିଲ ରହିଥାନ୍ତେ। ଏବେ ପ୍ରସ୍ତାବିତ ଶିବିରରୁ ଆମେରିକା ଓହରିଯାଇଛି। ୨୦୧୫ରେ ନରିତା ସହିତ ଆମେରିକାର କ୍ରୀଡ଼ା ବିନିମୟ କାର୍ଯ୍ୟକ୍ରମ ଜରିଆରେ ଏହା ଆରମ୍ଭ ହୋଇଥିଲା। କିନ୍ତୁ ୬ ବର୍ଷର କ୍ରୀଡ଼ା ବିନିମୟ ଏବେ ନିଷ୍ଫଳ ହେବାକୁ ଯାଉଛି।

ଅଲିମ୍ପିକ୍ସରୁ ଓହରିଲେ ମାରିନ୍‌

ନୂଆଦିଲ୍ଲୀ ଆହତ ଯୋଗୁଁ ଆଗାମୀ ଟୋକିଓ ଅଲିମ୍ପିକ୍ସରୁ ବ୍ୟାଡ୍‌ମିଣ୍ଟନ୍‌ ମହିଳା ଏକକ ବିଜେତା ସ୍ପେନ୍‌ର କାରୋଲିନା ମାରିନ ଓହରି ଯାଇଛନ୍ତି। ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଅସମର୍ଥ ବୋଲି ମଙ୍ଗଳବାର ମାରିନ ସୂଚନା ଦେଇଛନ୍ତି। ୫ ଥରର ୟୁରୋପୀୟ ଏବଂ ୩ ଥରର ବିଶ୍ବ ବିଜୟିନୀ ମାରିନ ୨୦୧୬ ରିଓ ଡି’ଜାନିରୋରେ ଭାରତର ପିଭି ସିନ୍ଧୁଙ୍କୁ ହରାଇ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ”ମୋ ବାମ ଆଣ୍ଠୁ‌ରେ ଯନ୍ତ୍ରଣା ରହିଥିଲା। ଡାକ୍ତରଙ୍କ ପରାମର୍ଶ ପରେ ଗତ ସପ୍ତାହନ୍ତରେ ଏହାର ପରୀକ୍ଷା କରିବାରୁ ଲିଗାମେଣ୍ଟ ଅସୁବିଧା ଥିବା ନିଶ୍ଚିତ ହୋଇଥିଲି” ବୋଲି ମାରିନ ତାଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ଗତ ଦୁଇ ମାସ ହେବ କଠିନ ପରିଶ୍ରମ କରିଥିଲି। ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବାର ଆଶା ବି ରଖିଥିଲି। ଏବେ ଅଲିମ୍ପିକ୍ସରେ ଭାଗ ନେବା ଅସମ୍ଭବ ହୋଇଯାଇଛି। ମୁଁ ଜାଣିଛି ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହା ମୋ ପାଇଁ ଭଲ। ପ୍ରଶଂସକମାନେ ମଧ୍ୟ ଏଥିରେ ମୋତେ ସମର୍ଥନ କରି‌ବେ ବୋଲି ଆଶା ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର