ଭୁବନେଶ୍ବର,: କରୋନା ମହାମାରୀ ମୁକାବିଲା ଲାଗି ସୋମବାରଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବା ତାଲାବନ୍ଦ। ଏଥିରେ ସାଧାରଣ ଜନତାଙ୍କୁ କିଛି କିଛି ରିହାତି ମିଳିଛି। କରୋନା ସଂକ୍ରମିତ ଅଞ୍ଚଳକୁ ତିନିଟି ଜୋନ୍ ଯଥା ରେଡ୍, ଅରେଞ୍ଜ ଓ ଗ୍ରିନ୍ରେ ବିଭକ୍ତ କରାଯାଇ କେତେକ ଆବଶ୍ୟକୀୟ ସେବାକୁ ଅନୁମତି ମିଳିଛି। ହେଲେ କ୍ରୀଡ଼ା ଆୟୋଜନ କିମ୍ବା କ୍ରୀଡ଼ାବିତ୍ଙ୍କ ଅଭ୍ୟାସ ଉପରେ ପୂର୍ବବତ୍ ଅଙ୍କୁଶ ଜାରି ରହିଛି। ଯାହା ଦେଶର ହଜାର ହଜାର ପେସାଦାର ଖେଳାଳିଙ୍କ ସହ ଲକ୍ଷ ଲକ୍ଷ ସୌଖିନ କ୍ରୀଡ଼ାବିତ୍ଙ୍କ ଚିନ୍ତା ବଢ଼ାଇଛି। କରୋନା ମାଡ଼ ପାଇଁ ଓଡ଼ିଶା କ୍ରୀଡ଼ା ବି ପୂରା ସ୍ଥାଣୁ ହୋଇ ଯାଇଥିଲା ବେଳେ ଏହି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ ଚଳିତ ମାସ ୧୭ ତାରିଖ ଯାଏଁ ପୂର୍ବଭଳି ଖେଳାଳିମାନଙ୍କୁ ଘରେ ରହି ଅଭ୍ୟାସ କିମ୍ବା ଖେଳାଖେଳି କରିବାକୁ ପଡ଼ିବ। ସାଂପ୍ରତିକ ସ୍ଥିତିରେ ଇନ୍ଡୋର ଗେମ୍ ଖେଳୁଥିବା ଖେଳାଳିଙ୍କ ଅପେକ୍ଷା ଆଉଟ୍ ଡୋର ଗେମ୍ ଖେଳାଳିମାନେ ନିଜକୁ ଫିଟ୍ ଓ ସତେଜ ରଖିବା ପାଇଁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅବଶ୍ୟ ଇନ୍ଡୋର ଗେମ୍ ମଧ୍ୟ ଆୟୋଜନ ହେଉନଥିବାରୁ ଏଭଳି ଖେଳର ଖେଳାଳିମାନେ ନିଜ ଲୟ ବଜାୟ ରଖିବାକୁ କିଛିଟା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଚେସ୍ ଭଳି ଖେଳର ଅନଲାଇନ୍ ପ୍ରତିଯୋଗିତା ଆୟୋଜିତ ହେବା ଏହି ଖେଳର ଖେଳାଳିଙ୍କ ପାଇଁ ଶୁଭଖବର ହୋଇଛି। ତେବେ କ୍ରିକେଟ୍, ଫୁଟ୍ବଲ୍, ହକି, ହ୍ୟାଣ୍ଡବଲ୍, ରଗ୍ବି, କବାଡ଼ି, ଦୌଡ଼କୁଦ ଭଳି ଖେଳର ଖେଳାଳିଙ୍କ ଶାରୀରିକ ତଥା ମାନସିକ ଚାପ ବଢ଼ି ବଢ଼ି ଚାଲିଛି। ବିଶେଷ କରି ଅତୀତରେ ଏଭଳି ଅପ୍ରତ୍ୟାଶିତ ପରିସ୍ଥିତିର କେବେ ବି ସାମ୍ନା କରି ନଥିବା ଯୁବ ଓ ଉଦୀୟମାନ ଖେଳାଳି ଅଜଣା ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। ଆଗକୁ ସେମାନଙ୍କୁ ଏଥିଲାଗି କାଉନସେଲିଂ ଦରକାର ହେବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି।
ରାଜ୍ୟର ଅନ୍ତର୍ଜାତୀୟ ହ୍ୟାଣ୍ଡବଲ୍ ତାରକା ଆର୍ଯ୍ୟନ୍ ବ୍ରାହ୍ମିନ୍ ମାର୍ଚ ମାସ ୨୫ ତାରିଖରୁ ଆରମ୍ଭ ହୋଇଥିବା କରୋନା ଲକଡାଉନ୍ଠାରୁ ବାହାରକୁ ଯାଇ ପାରୁ ନାହାନ୍ତି। ଘରେ ରହି ଶାରୀରିକ ଅଭ୍ୟାସ କରୁଛନ୍ତି। ନିୟମିତ ବ୍ୟାୟମ କରି ନିଜକୁ ସୁସ୍ଥ ରଖୁଛନ୍ତି। ହେଲେ ବାହାରକୁ ଯାଇ ନିଜ ଖେଳ ଜ୍ଞାନକୁ ଶାଣିତ କରି ପାରୁ ନାହାନ୍ତି। ପିତା ଗୌରୀଶଙ୍କର ମିଶ୍ର ନିଜେ ଜଣେ ପୂର୍ବତନ ଖେଳାଳି ହୋଇଥିବାରୁ ସୌଭାଗ୍ୟବଶତଃ ଆର୍ଯ୍ୟନଙ୍କୁ ଏହି ସଙ୍କଟର ବେଳାରେ ଘରେ ହିଁ ଅତିରିକ୍ତ ମାର୍ଗଦର୍ଶନ ମିଳୁଛି। ତେବେ ପଡ଼ିଆକୁ ଯାଇ ଅଭ୍ୟାସ କରିବା ହିଁ ନିଜକୁ ଜଣେ ଦକ୍ଷ ଖେଳାଳି ଭାବେ ଗଢ଼ିତୋଳିବାର ଅସଲ ଓ ପ୍ରକୃଷ୍ଟ ଉପାୟ ବୋଲି ତାଙ୍କ ପିତା ଗୌରୀ ଶଙ୍କର କହିଛନ୍ତି। ଗୌରୀ ଦେଇଥିବା ସୂଚନା ଅନୁସାରେ ଆର୍ଯ୍ୟନ୍ ସଂପ୍ରତି କେବଳ ଗୋଟିଏ ଓଳି ଅଭ୍ୟାସ କରି ପାରୁଛନ୍ତି। ତେବେ ତାଙ୍କ ଖାଦ୍ୟପେୟ ଓ ଡାଏଟ ପ୍ରଣାଳୀକୁ କଡ଼ା କଡ଼ି ଭାବେ ଅନୁସରଣ କରୁଛନ୍ତି। ନିୟମିତ ବ୍ୟାୟାମ କରୁଛନ୍ତି।
‘‘ଆର୍ଯ୍ୟନ୍ ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ସ୍ଥାନ ପାଇଥିଲେ ମଧ୍ୟ କରୋନା ପାଇଁ ଏହା ସ୍ଥଗିତ ରହିଛି। ସେଥିପାଇଁ ସେ ଟିକିଏ ଦୁଃଖିତ ଅଛି। ମାଟ୍ରିକ୍ ପରୀକ୍ଷା ଦେଇ ସାରିଛି ଏବଂ ଫଳାଫଳକୁ ଅପେକ୍ଷା କରିଛି। ତେବେ ଖେଳ ପଡ଼ିଆକୁ ଯାଇ ପାରୁ ନଥିବାରୁ ଭିତରେ ଭିତରେ ହ୍ୟାଣ୍ଡବଲ୍କୁ ଝୁରୁଛି। ଶକ୍ତି ଓ ଷ୍ଟାମିନା ବଢ଼ାଇବା ଲାଗି ସେ ଏବେ ଗୋଟିଏ ଦିନ ରନିଂ କରୁଥିଲା ବେଳେ ପରଦିନ ଜମ୍ପିଂ, ସ୍କିଲ୍ ଟ୍ରେନିଂ କରିବା ସହ ଓଜନ ନିୟନ୍ତ୍ରଣରେ ରଖିବା ଲାଗି ରେଜିେଷ୍ଟନ୍ସ ଟ୍ୟୁବ୍ର ବ୍ୟବହାର କରୁଛି। ତେବେ ସବୁଠାରୁ ବଡ଼ ଚିନ୍ତା ହେଲା ମାନସିକ ଚାପ। ଏବେ ଅଧିକାଂଶ ଖେଳାଳି ମାନସିକ ଚାପରେ ଅଛନ୍ତି। ଅବସାଦ ଗ୍ରସ୍ତ ହେବା ଆଉ ବେଶି ଦୂର ନୁହେଁ। ଖେଳ ଯେତେଶୀଘ୍ର ଆରମ୍ଭ ହେବ ସେତେ ଭଲ। ଭାରତୀୟ କ୍ରୀଡ଼ା ପ୍ରଧିକରଣ (ସାଇ) ପକ୍ଷରୁ ଏବେ ଅନ୍ଲାଇନ୍ରେ ହ୍ୟାଣ୍ଡବଲ୍ ପ୍ରଶିକ୍ଷକ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସେହିଭଳି ସ୍ପେଶାଲ ଅଲିମ୍ପିକ୍ସ ପକ୍ଷରୁ ମଧ୍ୟ ଅନଲାଇନ୍ରେ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ମୁଁ ଏହି ଦୁଇଟି ଯାକ ପାଠ୍ୟକ୍ରମରେ ନିଜକୁ ସାମିଲ ରଖିଛି। କେବଳ ଆର୍ଯ୍ୟନ ନୁହଁ, ଆକାଶ ପଟ୍ଟନାୟକ ଓ ବିକାଶ ସାମଲଙ୍କ ଭଳି ହ୍ୟାଣ୍ଡବଲ୍ ଖେଳାଳି ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୯ ଥର ଜାତୀୟ ପ୍ରତିଯୋଗିତା ଖେଳିଥିବା ବିକାଶ ଅର୍ଥାଭାବରୁ ଅତୀତରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହୋଇଥିଲେ। ଆକାଶଙ୍କୁ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ହକ୍ ମିଳିନି।’’ ସୂଚନାଯୋଗ୍ୟ ଯେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଚଳିତ ମାସ ୪ରୁ ୧୭ ପର୍ଯ୍ୟନ୍ତ ଲାଗୁ ହୋଇଛି।