ଭୁବନେଶ୍ବର: ସ୍ଥାନୀୟ କିଟ୍ ବିଶ୍ବବିଦ୍ୟାଳୟଠାରେ ଭାରତର ପ୍ରଥମ ଅନ୍ତର୍ଜାତିୟ ସାଇକ୍ଲିଂ ଭେଲୋଡ୍ରୋମ୍ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ବୁଧବାର ଉଦ୍ଘାଟିତ ହୋଇଛି। ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ତଥା ସ୍ବନାମଧନ୍ୟ ସାଇକ୍ଲିଂ ତାରକା ମିନତି ମହାପାତ୍ରଙ୍କ ନାମରେ ଏହି ଭେଲୋଡ୍ରୋମ୍କୁ ନାମିତ କରାଯାଇଛି। ୨୫୦ ମିଟର ବିଶିଷ୍ଟ ଏହି କଂକ୍ରିଟ୍ ଭେଲୋଡ୍ରୋମ୍ ଭାରତର ପ୍ରଥମ ଅନ୍ତର୍ଜାତିୟ ଭେଲୋଡ୍ରୋମ୍ ବୋଲି କୁହାଯାଉଛି। ଭେଲୋଡ୍ରୋମ୍କୁ ଉଦ୍ଘାଟନ କରି କେନ୍ଦ୍ର ମନ୍ତ୍ରୀ ଡ. ମାଣ୍ଡଭିୟ କହିଲେ, ମୁଁ କିଟ୍ ଓ କିସ୍ ପରିଦର୍ଶନ କରିବା ପରେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ସାକାର ହୋଇଥିବା ଦେଖିବାକୁ ପାଉଛି। ଚାଣକ୍ୟଙ୍କ ଉକ୍ତିର ଉଦାହରଣ ଦେଇ ସେ ଦେଶର ଭବିଷ୍ୟତ ଗଠନରେ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀମାନେ ହେଉଛନ୍ତି ଏ ଦେଶର ଭବିଷ୍ୟତ। ଦେଶର ଏହି ଭବିଷ୍ୟତମାନଙ୍କୁ ଗଢ଼ିବାରେ ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ଦକ୍ଷ ଓ ନିଷ୍ଠାପର ଶିକ୍ଷାବିତ୍ଙ୍କ କାର୍ଯ୍ୟଧାରାରେ ଆନନ୍ଦିତ ବୋଲି ସେ କହିଥିଲେ।
କିଟ୍ରେ କଂକ୍ରିଟ୍ ଭେଲୋଡ୍ରୋମ୍ ଉଦ୍ଘାଟିତ
କିଂବଦନ୍ତି ମିନତି ମହାପାତ୍ର ନାମରେ ନାମିତ
ସ୍ୱାଗତ ଭାଷଣ ଦେଇ ଶ୍ରୀ ସାମନ୍ତ କହିଲେ, ‘କିଟ୍‘ ଓ ‘କିସ୍’ ସବୁବେଳେ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇ ଆସିଛି। ଏଠାରେ ଗୋଟିଏ ସ୍ଥାନରେ ଥିବା କ୍ରୀଡ଼ା ଭିତ୍ତିଭୂମି ଦେଶର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳି ନଥାଏ। ଭବିଷ୍ୟତରେ କିଟ୍ ଓ କିସ୍ର କ୍ରୀଡ଼ା ଭିତ୍ତିଭୂମିକୁ ଦ୍ୱିଗୁଣିତ କରାଯିବ। ସାଇକ୍ଲିଷ୍ଟ୍ ମିନତି ମହାପାତ୍ର ‘କିଟ୍’, ‘କିସ୍’ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତିୟ ସାଇକ୍ଲିଂ ମହାସଂଘ ମହାସଚିବ ମନୀନ୍ଦର ପାଲ ସିଂହ, ଓଡ଼ିଶା ସାଇକ୍ଲିଂ ସଂଘ ସମ୍ପାଦକ ପ୍ରସନ୍ନ କୁମାର ରାଉତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ଶରଣଜିତ ସିଂହ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ଦୀପକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଡ. ମାଣ୍ଡଭିୟ ଦୀର୍ଘ ୨ ଘଣ୍ଟା ଧରି କିଟ୍ ଓ କିସ୍ର ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ଦେଖିବା ସହ କ୍ରୀଡ଼ାବିତ୍ଙ୍କ ସହ ଭାବ ବିନିମୟ କରିଥିଲେ ।