କିଙ୍ଗ୍‌ସଟାଉନ୍‌: ବାଂଲାଦେଶକୁ ହରାଇ ଆଫଗାନିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଛି। କିନ୍ତୁ ଖେଳ ଶେଷ ହେବା ପୂର୍ବରୁ ଆଫଗାନିସ୍ତାନ ଖେଳାଳି ଓ ପ୍ରଶିକ୍ଷକଙ୍କ କିଛି ଆଚରଣ ଏହି ଦଳକୁ ନିନ୍ଦିତ କରିଛି। ସୁପର-୮ର ଏହି ଶେଷ ମ୍ୟାଚ୍‌ରେ ଆଫଗାନିସ୍ତାନର ୧୧୫/୮କୁ ବାଂଲାଦେଶ ପିଛା କରୁଥିବା ବେଳେ ବର୍ଷା ଯୋଗୁଁ ଏକାଧିକ ଥର ଖେଳାଳିମାନେ ପଡ଼ିଆ ଛାଡ଼ିଥିଲେ। କିନ୍ତୁ ଯେତେବେଳେ ବାଂଲାଦେଶର ସ୍କୋର ୮୧/୭ ହୋଇଥିଲା ଓ ଡି/ଏଲ୍‌ଏସ୍‌ ପଦ୍ଧତି ଅନୁସାରେ ଦଳକୁ ୧୯ ଓଭରରେ ୧୧୪ ରନ୍‌ ଲକ୍ଷ୍ୟ ଦିଆଯାଇଥିଲା। ମ୍ୟାଚ୍‌ ପୁନଃ ଆରମ୍ଭ ବେଳେ ଏକ ନାଟକୀୟ ସ୍ଥିତି ଦେଖିବାକୁ ମିଳିଥିଲା। ଏହି ସମୟରେ ଆଫଗାନିସ୍ତାନ ପାର୍ ସ୍କୋରରେ ଆଗୁଆ ଥିଲା।

Advertisment

ଖେଳକୁ ଧୀମା କରିବା ପାଇଁ ପ୍ରଶିକ୍ଷକ ୟୋନାଥନ୍ ଟ୍ରଟ୍‌ ଖେଳାଳିମାନଙ୍କୁ ସ‌ଙ୍କେତ ଦେଇଥିଲେ। ଦ୍ବାଦଶ ଓଭର ଆରମ୍ଭ ହେବା ସମୟରେ ଏହି ଘଟଣା ଘଟିଥିଲା। ପ୍ରଶିକ୍ଷକଙ୍କଠୁ ସଙ୍କେତ ପାଇବା ପରେ ସ୍ଲିପ୍‌ ଅଞ୍ଚଳରେ ଗୁଲବଦିନ୍‌ ନାଏବ୍‌ ଜଙ୍ଘ ମାଂସପେଶୀରେ ଆଘାତ ଲାଗିବା ବାହାନା କରି ତଳେ ପଡ଼ିଯାଇଥିଲେ। କିନ୍ତୁ ଅଧିନାୟକ ରସିଦ ଖାନ୍‌ ଏସବୁ ବିଷୟରେ ଅଜଣା ଥିବା ପରି ମନେ ହେଉଥିଲେ ଓ ଖେଳକୁ ବିଳମ୍ବିତ କରାଯାଉଥିବାରୁ ଅସ‌ନ୍ତୁଷ୍ଟ ଜଣାପଡୁଥିଲେ। ଏହା ସତ୍ତ୍ବେ ଖେଳ ସମ୍ଭବ ହୋଇଥିଲା ଓ ବାଂଲାଦେଶକୁ ୧୭.୫ ଓଭରରେ ଅଲ୍‌ଆଉଟ୍‌ କରିବାରେ ଆଫଗାନିସ୍ତାନ ବୋଲର ସଫଳ ହୋଇଥିଲେ। ସଫଳତା ସତ୍ତ୍ବେ ଗୁଲବଦିନ୍‌ ଓ ଟ୍ରଟ୍‌ଙ୍କ ଅଣଖେଳୁଆଡ଼ ମନୋଭାବକୁ ନେଇ ଭାଷ୍ୟକାର ଓ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଇଛି।