ମା‌ଞ୍ଚେଷ୍ଟର୍‌: ‘ଏହା କୌଣସି‌ ଗୌରବ ନଥିଲା, ପରିସଂଖ୍ୟାନର କଥା ବି ନୁହେଁ, ଆମେ ଏଭଳି ଫଳାଫଳ ପାଇଁ ବି ଆସିନାହୁଁ, କିନ୍ତୁ ଆମେ ବାସ୍ତବ ଲଢ଼େଇ ଶେଷ ନ ହେବା ଯାଏ ପଳାୟନ କରିବାକୁ ବି ଆସିନାହୁଁ’ ଏଭଳି କିଛି କଥା କହି ଭାରତୀୟ ଦଳ ଉପଅଧିନାୟକ ଋଷଭ ପନ୍ତ୍‌ ଭାରତୀୟ ଦଳର ମାନସିକତାକୁ ପରିପ୍ରକାଶ କରିଛନ୍ତି। ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍‌ରେ ପରାଜୟ ମୁହଁରୁ ଫେରି ଭାରତ ଲଢ଼ୁଆ ଡ୍ର’ କରିବା ପରେ ପନ୍ତ୍‌ଙ୍କ ଏହି କଥା ଇଂଲଣ୍ଡର ଏକ ହୀନମନ୍ୟତା ଆଭିମୁଖ୍ୟ ଉଦ୍ଦେଶ୍ୟରେ ଆଉ ଏକ ମୁହଁତୋଡ଼ ଜବାବ ହୋଇଛି। ଭାରତ ସୁରକ୍ଷିତ ହେବା ଦିଗରେ ଅଗ୍ରସର ହେବା ଦେଖି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ରବିବାର ଭାରତକୁ ଆଗୁଆ ଡ୍ର’ ଅଫର୍ ଦେଇଥିଲେ। ଯାହାକୁ ରବୀନ୍ଦ୍ର ଜାଡ଼େଜା ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ପଡ଼ିଆ ଭିତରେ ଏଭଳି ଆଚରଣ ବେଶ୍‌ ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲେ ବି ଇଂଲଣ୍ଡ ଖେଳାଳିଙ୍କ ହୀନ ଆଭିମୁଖ୍ୟ ପଦାରେ ପଡ଼ିଛି। ଭାରତ ଏକ ଚମତ୍କାର ଡ୍ର’ କରିବା ପରେ ଶୃଙ୍ଖଳାକୁ ଜୀବନ୍ତ ରଖିଥିବାରୁ ଇଂଲଣ୍ଡ ବ୍ୟର୍ଥତା ଭିତରେ ଜର୍ଜରିତ ହୋଇପଡ଼ିଥିବା ବି ବିଶ୍ବାସ କରାଯାଉଛି। ବେନ୍‌ ଷ୍ଟୋକ୍ସ ଡ୍ର’ ଅଫର ଦେବା ବେଳକୁ ଜା‌ଡ଼େଜା ୮୯* ଏବଂ ୱାସିଂଟନ୍ ସୁନ୍ଦର ୮୦* ରନ୍‌ରେ ବ୍ୟାଟିଂ କରୁଥିଲେ। ଉଭୟଙ୍କୁ କେବଳ ଶତକରୁ ବଞ୍ଚିତ ରଖିବା ଲାଗି ଜାଡ଼େଜାଙ୍କୁ ଷ୍ଟୋକ୍ସ, ଡକେଟ୍‌ ଓ କ୍ରଲି ଘେରିଯାଇଥିଲେ। ଉଭୟ ଜାଡ଼େଜା ଓ ସୁନ୍ଦର କୌଣସି ବ୍ୟସ୍ତତା ନ ଦେଖାଇ ଶତକ ଆଡ଼କୁ ଅଗ୍ରସର ହେଉଥିଲେ। ଏଥିରେ ବିବ୍ରତ ହୋଇ ଷ୍ଟୋକ୍ସ ପ୍ରଶ୍ନ କରିଥିଲେ, ଶତକ ପାଇଁ ଆଉ କେତେ ସମୟ ନେବେ? କ’ଣ ହ୍ୟାରି ବ୍ରୁକ୍ (ବ୍ୟାଟର୍‌)ଙ୍କ ବିପକ୍ଷରେ ଶତକ ହାସଲ କରିବାକୁ ଚାହୁଁଛନ୍ତି? ଏଭଳି ତାତ୍ସଲ୍ୟରେ ଜାଡ଼େଜା କି ସୁନ୍ଦର ପ୍ରଭାବିତ ହୋଇ ନଥିଲେ। ଉଭୟ ମଧ୍ୟାହ୍ନ ଭୋଜନ ପରବର୍ତ୍ତୀ ୨ ଅଧିବେଶନରେ ୱିକେଟ୍‌ ନ ହରାଇ ଘରୋଇ ବୋଲରଙ୍କୁ ହତାଶାବୋଧ ଭିତରକୁ ଠେଲି ଦେଇଥିଲେ। ନିଜ ନିଜ ଶତକ ହାସଲ ପରେ ହିଁ ଏହି ଟେଷ୍ଟ୍‌ରେ ଏକମାତ୍ର ବିକଳ୍ପ ଫଳାଫଳ ଥିବା ଡ୍ର’ ପାଇଁ ରାଜି ହୋଇଥିଲେ। ତେବେ ଇଂଲଣ୍ଡର ଆଭିମୁଖ୍ୟ ଏବେ ଚର୍ଚ୍ଚାରେ ରହିଛି ଏବଂ ଇଂଲଣ୍ଡକୁ ବହୁ ପୂର୍ବତନ କ୍ରିକେଟର୍‌, ପ୍ରଶଂସକ,‌ ପ୍ରଶାସକ ପ୍ରମୁଖ କଡ଼ା ସମାଲୋଚନା କରିଛନ୍ତି।

Advertisment

ଓଲ୍ଡ ଟ୍ରାଫୋର୍ଡରେ ଭାରତ ସମ୍ମୁଖରେ ଆସିଥିବା ପ୍ରତିଟି ଆହ୍ବାନର ଆଉଁସକୁ ଭାରତୀୟ ଖେଳାଳି ଉଚିତ ମୁକାବିଲା କରିଥିଲେ। ଭାରତ ପ୍ରଥମ ପାଳିରେ ଭଙ୍ଗା ପାଦରେ ଋଷଭ ପନ୍ତ୍‌ଙ୍କ ବ୍ୟାଟିଂ ଏବଂ ଦ୍ବିତୀୟ ପାଳିରେ ଭାରତ ୨ ୱିକେଟ୍ ହରାଇବା ପରେ ୩୧୧ ରନ୍‌ ପଛୁଆକୁ କାଟି ୧୧୪ ରନ୍ ଅଗ୍ରଣୀ ନେବା (୪୨୫/୪) ମ୍ୟାଚ୍‌କୁ ଯେ କେବଳ ଡ୍ର’ କରିଥିଲା ତା ନୁହେଁ ଭାରତୀୟ ଖେଳାଳିଙ୍କ ଲଢ଼ୁଆ ପ୍ରବୃତ୍ତିକୁ ଦେଖାଇ ଦେଇଥିଲା। ମ୍ୟାଚ୍‌ ଶେଷ ହେବା ପରେ ଅଧିନାୟକ ଗିଲ୍ ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମରେ ପକାଇ ଶୀର୍ଷରେ ଲେଖିଥିଲେ ‘କ୍ଲଚ୍‌’। ରାହୁଲ-ଗିଲ ତୃତୀୟ ୱିକେଟ୍ ପାଇଁ ୧୮୮ ରନ୍ ଏବଂ ଜାଡ଼େଜା-ସୁନ୍ଦର ଅତୁଟ ପଞ୍ଚମ ୱିକେଟ୍ ପାଇଁ ୨୦୩* ରନ୍ ଯୋଡ଼ିବା ଏବଂ ଏହି ୪ ଜଣ ଇଂଲଣ୍ଡକୁ ୪ଟି ଅଧିବେଶନରେ ଆଦୌ ୱିକେଟ୍ ନ‌ଦେବା ବି ନିର୍ଣ୍ଣାୟକ ହୋଇଥିଲା। ୨୩୦ ବଲ୍‌ରୁ ୯୦* ରନ୍ କରିଥିବା ରାହୁଲ ଲେଖିଥିଲେ ‘୫ ଦିନର କଠୋର ଲଢ଼େଇ, ଏବେ ଶେଷ ଉପରେ ନଜର’। ନିଜ ପ୍ରଥମ ଟେଷ୍ଟ୍ ଶତକ ହାସଲ କରିଥିବା ସୁନ୍ଦର ଲେଖିଛନ୍ତି ‘ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି, ଈଶ୍ବରଙ୍କ ନିକଟରେ ମୁଁ ଚିର ଋଣୀ’।

ଓଭର୍ଟନଙ୍କୁ ଡାକିଲା ଇଂଲଣ୍ଡ, ଭାରତୀୟ ଦଳରେ ଜଗଦୀଶନ୍‌
ମାଞ୍ଚେଷ୍ଟର୍‌: ପ୍ରଥମ ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି ପାଇଁ ଖେଳାଯାଉଥିବା ୫ ମ୍ୟାଚ୍‌ ଶୃଙ୍ଖଳାରେ ଇଂଲଣ୍ଡ ଏବେ ୨-୧ରେ ଆଗୁଆ ରହିଛି। ଭାରତ ଏହାକୁ କେବଳ ୨-୨ରେ ଶେଷ କରିବାର ସୁଯୋଗ ପାଇବ। ଜୁଲାଇ ୩୧ ତାରିଖରୁ ଦ ଓଭାଲରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ ଖେଳାଯିବ। ଏହି ନିର୍ଣ୍ଣାୟକ ଲଢ଼େଇ ପୂର୍ବରୁ ଉଭୟ ଦଳ ନିଜ ନିଜ ସମ୍ଭାବ୍ୟ ଦଳରେ ଜଣେ ଲେଖାଏଁ ଖେଳାଳିଙ୍କୁ ସାମିଲ କରିଛନ୍ତି। ଇଂଲଣ୍ଡ ଏହାର ୧୫ ଜଣିଆ ଦଳରେ ଅଲରାଉଣ୍ଡର୍‌ ଜାମି ଓଭର୍ଟନଙ୍କୁ ସାମିଲ କରିଛି। ୨୦୨୨ ମସିହା ପରେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୧ ବର୍ଷୀୟ ଓଭର୍ଟନ ଗତ ଆଇପିଏଲ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ଖେଳିଥିଲେ। ଅନ୍ୟପକ୍ଷରେ ଭାରତୀୟ ଦଳରୁ ଆହତ ୱିକେଟରକ୍ଷକ ବ୍ୟାଟର୍ ତଥା ଉପଅଧିନାୟକ ଋଷଭ ପନ୍ତ ବାଦ୍‌ ପଡ଼ିଥିବାରୁ ତାମିଲନାଡୁ ୱିକେଟ‌୍‌ରକ୍ଷକ ଏନ୍ ଜଗଦୀଶନ୍‌ଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଧ୍ରୁବ ଜୁରେଲଙ୍କ ବିକଳ୍ପ ଭାବେ ସେ ଦଳରେ ରହିବେ। ୨୯ ବ‌ର୍ଷୀୟ ଜଗଦୀଶନ୍‌ ୨୦୨୩-୨୪ ରଣଜୀ ଟ୍ରଫିରେ ୭୪.୧୮ ହାରରେ ୮୧୬ ରନ୍ ଏବଂ ୨୦୨୪-୨୫ ଋତୁରେ ୫୬.୧୬ ହାରରେ ୬୭୪ ରନ୍ କରିଥିବାରୁ ଏହି ବିଳମ୍ବିତ ପୁରସ୍କାର ପାଇଛନ୍ତି। ୨୦୧୬ରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳୁଥିବା ଜଗଦୀଶନ୍‌ ୫୨ ମ୍ୟାଚ୍‌ରୁ ୧୦ ଶତକ ସହ ୪୭.୫୦ ହାରରେ ୩୩୭୩ ରନ୍ ସଂଗ୍ରହ କରିଛନ୍ତି। ୩୨୧ ରନ୍‌ର ସର୍ବୋଚ୍ଚ ବ୍ୟକ୍ତିଗତ ପାଳି ସେ ୨୦୨୪ ଜାନୁଆରିରେ ଚଣ୍ଡିଗଡ଼ ବିପକ୍ଷରେ ହାସଲ କରିଥିଲେ।

ଅଧିନାୟକ ଶୁବମନ ଗିଲ୍ ନିଜ ଶତକୀୟ ପାଳି ସମ୍ପର୍କରେ କହିଥିଲେ ‘ଜୀବନରେ ଏହା ସବୁଠାରୁ ସନ୍ତୋଷଜନକ ପାଳି, ଅନେକ କାରଣ ପାଇଁ। ୦/୨ ସ୍ଥିତିରୁ ବାହାରି ୩୧୧ ରନ୍ କାଟିବା ଏବଂ ୧୧୪ ଅଗ୍ରଣୀ ନେଇ ଭାରତୀୟ ଯୁବ ଦଳ କେବଳ ଏକ ‌ଟେଷ୍ଟ୍ ମ୍ୟାଚ୍‌ ବଞ୍ଚାଇଛନ୍ତି ତା ନୁହେଁ, ସେମାନେ ଏକ ବାର୍ତ୍ତା ବି ଦେଇଛନ୍ତି। ଇଂଲଣ୍ଡକୁ ଦ୍ବିତୀୟ ପାଳିରେ ୧୪୩ ଓଭର ବୋଲିଂ କରିବା ଦ୍ବାରା ଆମେ କାହିଁକି ଏକ ବଡ଼ ଦଳ ଦେଖାଇ ଦେଇଛୁ।

ଗାଭାସ୍କର କହିଲେ ‘ଷ୍ଟୋକ୍ସଙ୍କୁ ଗିଲ୍‌ ଘେରିବା କଥା’
ଇଂଲଣ୍ଡର ହୀନମନ୍ୟତା ତଥା ଅଣ‌ଖେଳୁଆଡ ଆଚରଣ ପାଇଁ ଭାରତୀୟ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ଭୀଷଣ କ୍ଷୁବ୍‌ଧ ହୋଇଛନ୍ତି। ଭାରତକୁ ଆଗୁଆ ଡ୍ର’ ପାଇଁ ବାଧ୍ୟ କରୁଥିବା ଷ୍ଟୋକ୍ସଙ୍କୁ ଶୁବମନ ଗିଲ୍ ଘେରିବା ସହ ପ୍ରଶ୍ନ କରିବା କଥା ଯେ ତୁମେ କାହିଁକି ଆଗୁଆ ପାଳି ଘୋଷଣା କଲ ନାହିଁ। ଭାରତକୁ ଏତେ ଲମ୍ବା ବ୍ୟାଟିଂ ପାଇଁ ପ୍ରଶ୍ନ କରିବା ପୂର୍ବରୁ ନିଜକୁ ସେମାନେ ପ୍ରଶ୍ନ କରିବା କଥା ନିଜେ କାହିଁକି ପାଳି ଘୋଷଣା ନ କରି ଏତେ ଲମ୍ବା ବ୍ୟାଟିଂ କରିଥିଲେ। ପ୍ରଥମ ଟେଷ୍ଟ୍ ପରେ ସେମାନେ କହିଥିଲେ ଆମେ ୬୦୦ ରନ୍‌ ବି ପିଛା କରି ଜିତିପାରିବୁ। ଏବେ ଦୋମୁହାଁ ନୀତି ଆପଣାଉଛନ୍ତି। ୩୧୧ ରନ୍ ଅଗ୍ରଣୀ ନେବା ପୂର୍ବରୁ ସେମାନେ ବି ୨୪୦/୨୫୦ ଅଗ୍ରଣୀ ବେଳେ ଘୋଷଣା କରିପାରିଥାନ୍ତେ। ଷ୍ଟୋକ୍ସ ନିଜେ ଶତକ ହାସଲ କରିବା ପରେ ସେମାନଙ୍କ ବୋଲରଙ୍କୁ କାହିଁକି ଅଧିକ ଘଣ୍ଟାଏ ବୋଲିଂ ଦେଲେ ନାହିଁ।

ଦୋମୁହାଁ ନୀତିକୁ ଅଶ୍ବିନୀଙ୍କ ସମାଲୋଚନା
ଇଂଲଣ୍ଡର ଆଭିମୁଖ୍ୟକୁ ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର୍ ଆର୍ ଅଶ୍ବିନ କଡ଼ା ସମାଲୋଚନା କରିଛନ୍ତି। ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍‌ର ଶେଷ ୧୦ ମିନିଟରେ ଇଂଲଣ୍ଡ ଖେଳାଳି ‘ଦୋମୁହାଁ’ ଶବ୍ଦର ଅର୍ଥ ବୁଝାଇଦେଲେ। ନିଜ ୟୁଟ୍ୟୁବ୍ ଚାନେଲ୍ ‘ଆସ୍ କି ବାତ୍‌’ରେ ଅଶ୍ବିନ୍ କହିଥିଲେ, ‘‘ମୁଁ ଜାଣିଛି ତୁମେ ବ୍ୟର୍ଥତା ଦେଖାଇପାରିବ, ନିଜ ଖେଳାଳିଙ୍କ ସହ ଲଢ଼ିପାରିବ, ନିଜ ହେଲ୍‌ମେଟ୍‌ ଫିଙ୍ଗିପାରିବ, ମ୍ୟାଚ୍‌ ପରେ କାନ୍ଥଙ୍କୁ ହିଟ୍ କରିପାରିବ, ବୋତଲ ଫିଙ୍ଗିପାରିବ, ବକ୍ସିଂ କରିପାରିବ, ତୁମେ ଯାହା ଚାହିବ କରିପାରିବ, ଦୟାକରି ଏହା କର। କିନ୍ତୁ ତୁମେ ହତାଶ ଭିତରେ ଅଛ ବୋଲି ହାତ ମିଳାଇବାକୁ କହିବାର ଅର୍ଥ ତୁମେ କହୁଛ ଶତକ ନ କରି କାନ୍ଦି କାନ୍ଦି ପଳାଅ। ଏହା କ’ଣ, ଏହା କିଭଳି ଘଟିବ? ତୁମେ କହୁଛ ମୁଁ ଖୁସି ନୁହେଁ, ନ ହୋଇପାର କିନ୍ତୁ ସକାଳୁ ତୁମ ବୋଲିଂ ବାହିନୀକୁ ସେମାନେ ଲଢ଼ିଲଢ଼ି ଏ ପର୍ଯ୍ୟନ୍ତ ଆସିଛନ୍ତି। ସେଠାରେ ପହଞ୍ଚିବାକୁ ସେମାନେ ବହୁ କଷ୍ଟ କରିଛନ୍ତି। ଶତକ ନ କରି ପଳାଅ ବୋଲି କହୁଛ। ତୁମେ ଏଭଳି ସ୍ଥିତିରେ ଥିଲେ କ’ଣ କରିଥାନ୍ତ?’’ ହ୍ୟାରି ବ୍ରୁକ୍‌ ଓ ବେନ୍‌ ଡକେଟ୍‌ଙ୍କୁ ବି ଅଶ୍ବିନ ସମାଲୋଚନା କରିଛନ୍ତି। ସେହି ଦୃଷ୍ଟିରୁ ମୁଁ ଭାବୁଛି ଏହା ଏକ ଡ୍ର’ ନୁହେଁ ବିଜୟ। ପରବର୍ତ୍ତୀ ଟେଷ୍ଟ୍‌ରେ ଏହାର ଫଳ ପ୍ରତିଫଳିତ ହେବ। କାରଣ ଉଭୟ ଦଳର ଖେଳାଳି କ୍ଲାନ୍ତ ହୋଇପଡ଼ିଛନ୍ତି।