ମଙ୍କଡିଂକୁ ନେଇ ମହାଭାରତ

ବିନୁ ମଙ୍କଡଙ୍କ ନାଁରୁ ‘ମଙ୍କଡିଂ’

ଜୟପୁର: ରାଜସ୍ଥାନ ରୟାଲ୍ସ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ବିନ୍ ମଙ୍କଡିଂ କରିବା ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି। ଅଶ୍ବିନଙ୍କ ଏଭଳି କାର୍ଯ୍ୟକୁ କ୍ରିକେଟ୍ ପଣ୍ଡିତଙ୍କଠାରୁ ଆରମ୍ଭ କରି ସାଧାରଣ କ୍ରୀଡ଼ାପ୍ରେମୀ ସମାଲୋଚନା କରିଛନ୍ତି। ବିସିସିଆଇ ମଧ୍ୟ ଏହି ମାମଲାରେ ଦୁଇ ଫାଳ ହୋଇଛି। ଅଶ୍ବିନଙ୍କ ଖେଳୁଆଡ଼ ମନୋଭାବ ନେଇ ଅନେକ କ୍ରୀଡ଼ା ତାରକା ପ୍ରଶ୍ନ ଉଠାଇଥିଲା ବେଳେ ସେ କ୍ରିକେଟ୍‌ର ପ୍ରଚଳିତ ନିୟମ ଅନୁସାରେ କାର୍ଯ୍ୟ କରିଛନ୍ତି ‌ବୋଲି ଅନ୍ୟମାନେ ଯୁକ୍ତି ବାଢ଼ିଛନ୍ତି। ବ୍ୟକ୍ତିଗତ ଭାବେ ଏହା ଏକ ଯୋଜନା ବଦ୍ଧ କାର୍ଯ୍ୟ ନଥିଲା, ବରଂ ମ୍ୟାଚ୍‌ର ନିର୍ଣ୍ଣାୟକ ମୋଡ଼ରେ ଏକ ସ୍ବାଭାବିକ ପ୍ରକ୍ରିୟା ଥିଲା ବୋଲି ଅଶ୍ବିନ ସଫେଇ ଦେଇଛନ୍ତି। ହେଲେ ତାଙ୍କ ସ୍ପଷ୍ଟୀକରଣକୁ ବହୁ କ୍ରିକେଟ୍ ବିଶେଷଜ୍ଞ ଗ୍ରହଣ କରି ନାହାନ୍ତି। ଏଣୁ ସୋମବାର ରାତିରେ ଏହି ଘଟଣା ପରେ ‘ମଙ୍କଡିଂ’ ଏବେ କ୍ରିକେଟ୍‌ ଜଗତର ମୁଖ୍ୟ ଚର୍ଚାର ବିଷୟ ହୋଇଛି। ଅଶ୍ବିନ-ବଟଲର ଅଧ୍ୟାୟ ପରେ ଖେଳୁଆଡ଼ ମନୋଭାବ ବା ସ୍ପିରିଟ୍ ଅଫ୍ ଗେମ୍ସକୁ ନେଇ ବି ପୁଣି ଥରେ ତର୍କ ବିତର୍କ ଆରମ୍ଭ ହୋଇ ଯାଇଛି।
ୱର୍ନ ଓ ପ୍ରସନ୍ନାଙ୍କ ସମା‌ଲୋଚନା
ସୋମବାର ରାତିରେ ବଟଲରଙ୍କୁ ଅଶ୍ବିନ ମଙ୍କଡିଂ କରିବା ରାଜସ୍ଥାନ ରୟାଲ୍ସ-କିଙ୍ଗ୍ସ ଏକାଦଶ ପଞ୍ଜାବ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ରାଜସ୍ଥାନ ପରାଜୟର ଏହା ଅନ୍ୟତମ କାରଣ ଥିଲା ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ପୋଷଣ କରିଥିଲେ। ବିଜୟ ପାଇଁ ଅଶ୍ବିନ କରିଥିବା ଏହି କାର୍ଯ୍ୟକୁ କିନ୍ତୁ ରାଜସ୍ଥାନ ଅଧିନାୟକ ଅଜିଙ୍କ୍ୟ ରାହାଣେ, ପ୍ରଶିକ୍ଷକ ପ୍ୟାଡି ଉପ୍ଟନ ଓ ବ୍ରାଣ୍ଡ ଆମ୍ବାସାଡାର ସେନ୍ ୱର୍ନ ତୀବ୍ର ସମାଲୋଚନା କରିଛନ୍ତି। ଭାରତୀୟ ସ୍ପିନ୍ କିମ୍ବଦନ୍ତୀ ଏରାପଲ୍ଲୀ ପ୍ରସନ୍ନା ମଧ୍ୟ ଏଥିନେଇ ଅସନ୍ତୋଷ ଜାହିର କରିଛନ୍ତି। ଅଶ୍ବିନ ଦୋଷୀ, ସେ ମିଛ କହୁଛନ୍ତି ବୋଲି ପ୍ରସନ୍ନା ଅଭିଯୋଗ କରିଛନ୍ତି। ୱର୍ନ ଟ୍ବିଟ୍ କରି ଅଶ୍ବିନଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ବିଶ୍ବକପରେ ବିରାଟ କୋହଲିଙ୍କୁ ଯଦି ବେନ୍ ଷ୍ଟୋକ୍ସ ଏଭଳି ଭାବେ ଆଉଟ୍ କରିବେ, ତାହାଲେ କ’ଣ ସେ ଏହାକୁ ସମର୍ଥନ କରି ଥାଆନ୍ତେ ବ‌ୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରସନ୍ନା କହିଛନ୍ତି ଯେ ଅଶ୍ବିନ ମାମଲା ଉପରେ ପରଦା ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ସେ ସତ କହୁ ନାହାନ୍ତି। କିଛି କରିବା ପୂର୍ବରୁ ବଟଲରଙ୍କୁ ତାଙ୍କୁ ଚେତାବନୀ ଦେବାର ଥିଲା। କ୍ରିକେଟ୍ ଭଦ୍ର ଲୋକଙ୍କ ଖେଳ। ଡିଆରଏସ୍ ପୂର୍ବରୁ ଅନେକ ଖେଳାଳି ବାଉନ୍ସ କ୍ୟାଚ୍ ନେବା ପରେ ଅମ୍ପାୟାରଙ୍କୁ ଏହି ବିଷୟରେ ଅବଗତ କରାଇବାର ଉଦାହରଣ ରହିଛି। ଯଦିଓ ଅମ୍ପାୟାର ଏହାକୁ ଦେଖି ନଥାଆନ୍ତି। ଅଶ୍ବିନଙ୍କୁ ସେଥିରୁ କିଛି ଶିଖିବାର ଥିଲା।
ବିସିସିଆଇ ବିଭାଜିତ
ଅଶ୍ବିନ-ବଟଲର ମଙ୍କଡିଂ ମାମଲାରେ ବିସିସିଆଇ ଦୁଇଫାଳ ହୋଇଛି। ବୋର୍ଡର ବହୁ କର୍ମକର୍ତା ଏଥିନେଇ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି। ଅଶ୍ବିନ ଶାଳୀନତା ରକ୍ଷା କରିବା କଥା‌। ମ୍ୟାଚ୍ ଅଧିକାରୀମାନେ ମଧ୍ୟ ଏହି ମାମଲାକୁ ପରିଚାଳନା କରିବାରେ ବିଫଳ ହେଲେ। ବ୍ୟାଟ୍ସମ୍ୟାନ୍ ଯଦି ଅହେତୁକ ଫାଇଦା ନେଉଛନ୍ତି, ତାହାଲେ ତାଙ୍କୁ ଜଣେ ଭଦ୍ର ଲୋକ ଭଳି ଏକଥା ବୁଝାଇ ଦିଅ। ପ୍ରତିଦ୍ବନ୍ଦ୍ବିତା ଭଲ, ଏହା କିନ୍ତୁ ଶାଳିନତା ଭିତରେ ରହିବା ଦରକାର ବୋଲି ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏହି ବିଷୟରେ ଅଶ୍ବିନଙ୍କୁ ଭାଷଣ ଦେବା ସପକ୍ଷରେ ବୋର୍ଡ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ। ଅଶ୍ବିନ କିନ୍ତୁ କ୍ରିକେଟ୍ ନିୟମ ଅନୁସାରେ କାର୍ଯ୍ୟ କରିଛନ୍ତି, ତାଙ୍କୁ ଏଭଳି ଭାବେ ସମାଲୋଚନା କରିବା ଠିକ୍ ନୁହେଁ ବୋଲି ଆଉ ଜଣେ ଅଧିକାରୀ କହିଛନ୍ତି। ସେପଟେ ଆଇପିଏଲ୍ ମୁଖ୍ୟ ରାଜୀବ ଶୁକ୍ଳା ଟ୍ବିଟ୍ କରି ଆଇପିଏଲରେ ମଙ୍କଡିଂ ନ କରିବାକୁ ନିଷ୍ପତ୍ତି ହୋଇଥିଲା ବୋଲି କହିଛନ୍ତି। ସେ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି ଯେ ଅଧିନାୟକ ଏବଂ ରେଫରିଙ୍କୁ ନେଇ ହୋଇଥିବା ଏକ ବୈଠକରେ ନନ୍ ଷ୍ଟ୍ରାଇକର ପଟ ବ୍ୟାଟ୍ସମ୍ୟାନ୍ ଯଦି ବଲ୍ ପଡ଼ିବା ପୂର୍ବରୁ କ୍ରିଜ୍ ବାହାରକୁ ଚାଲିଯାଏ ତାହାଲେ ତାଙ୍କୁ ବୋଲର ଆଉଟ୍ ନକରିବାକୁ ନିଷ୍ପତ୍ତି ହୋଇଥିଲା। ବଟଲରଙ୍କୁ ଅଶ୍ବିନ ଆଉଟ୍ କରିବା ଆଇପିଏଲ୍ ଇତିହାସର ପ୍ରଥମ ‘ମଙ୍କଡିଂ’ ଅଧ୍ୟାୟ ହୋଇଛି।

ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସର ପ୍ରଥମ ‘ମଙ୍କଡିଂ’ ୧୯୪୭ ମସିହାରେ ‌ଦେଖିବାକୁ ମିଳିଥିଲା। ସେହିବର୍ଷ ସିଡନି କ୍ରିକେଟ୍ ପଡ଼ିଆରେ ଖେଳା ଯାଇଥିବା ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଅବସରରେ ଭାରତୀୟ ବୋଲର ବିନୁ ମଙ୍କଡ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ବିଲି ବ୍ରାଉନଙ୍କୁ ସେ ନନଷ୍ଟ୍ରାଇକର ପଟ କ୍ରିଜ୍ ବାହାରେ ଥିଲା ବେଳେ ରନ୍ ଆଉଟ୍ କରି ଦେଇଥିଲେ। ବ୍ରାଉନଙ୍କୁ ରନ୍ ଆଉଟ୍ କରିବା ପୂର୍ବରୁ ମଙ୍କଡ କିନ୍ତୁ ତାଙ୍କୁ ଚେତାବନୀ ଦେଇଥିଲେ। ହେଲେ ବ୍ରାଉନ୍ ତାଙ୍କୁ ବେଖାତିର କରିଥିଲେ। ଏହା ଦୁଇ ସପ୍ତାହ ପୂର୍ବରୁ ଖେଳା ଯାଇଥିବା ଏକ ପ୍ରଥମ ‌ଶ୍ରେଣୀ ମ୍ୟାଚ୍‌ରେ ମଧ୍ୟ ବ୍ରାଉନଙ୍କୁ ମଙ୍କଡ ଅନୁରୂପ ଭାବେ ଆଉଟ୍ କରି ଦେଇଥିଲେ। ହେଲେ ସିଡନି ଟେଷ୍ଟ ବେଳେ ଏହା ଅଧିକ ବିବାଦୀୟ ହୋଇଯାଇଥିଲା। ପୂର୍ବ ଭଳି କ୍ରିଜ୍ ବାହାରେ ବୁଲୁଥିଲା ବେଳେ ମଙ୍କଡ ତାଙ୍କୁ ରନ୍ ଆଉଟ୍ କରି ପ୍ୟାଭଲିୟନ ଫେରାଇ ଦେଇଥିଲେ। ବ୍ରାଉନଙ୍କୁ ମଙ୍କଡ ଏଭଳି ଭାବେ ଆଉଟ୍ କରିବାକୁ କିନ୍ତୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ଏବଂ ସେଠାକାର କିଛି କ୍ରିକେଟ୍ ପ୍ରେମୀ ସହଜରେ ଗ୍ରହଣ କରି ନଥିଲେ। ମଙ୍କଡଙ୍କୁ ତୀବ୍ର ସମାଲୋଚନା କରିବା ସହ ଅଷ୍ଟ୍ରେଲୀୟ ଗଣମାଧ୍ୟମ ଏଭଳି ଭାବେ ଆଉଟ୍‌କୁ ମଙ୍କଡେଡ୍ ବା ମଙ୍କଡ଼ିଂର ଆଖ୍ୟା ଦେଇଥିଲା। ସେବେ‌ଠାରୁ ଏଭଳି ରନ୍‌ ଆଉଟ୍‌କୁ ମଙ୍କଡିଂ ଆଖ୍ୟା ଦିଆଯାଇ ଆସୁଛି।

କ୍ରିକେଟ୍‌ରେ ମଙ୍କଡିଂ: ୭୨ ବର୍ଷର ଧାରା
ବିଲି ବ୍ରାଉନ୍-ବିନୁ ମଙ୍କଡ ୧୯୪୭, ଭାରତ ବନାମ ଅଷ୍ଟ୍ରେଲିଆ, ସିଡନି
ଇଆନ୍ ରେଡପାଥ୍-ଚାର୍ଲି ଗ୍ରିପିଥ ୧୯୬୮, ୱେଷ୍ଟଇଣ୍ଡିଜ୍ ବନାମ ଅଷ୍ଟ୍ରେଲିଆ, ଆଡିଲେଡ୍‌
‌ଡେରିକ୍ ରାଣ୍ଡେଲ-ଇୱିନ ଚାର୍ଟଫିଲ୍ଡ, ୧୯୭୭, ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ, ଖ୍ରୀଷ୍ଟଚର୍ଚ
ସିକନ୍ଦର ବକ୍ତ-ଆଲାନ ହର୍ଷ୍ଟ. ୧୯୭୮, ପାକିସ୍ତାନ ବନାମ ଅଷ୍ଟ୍ରେଲିଆ, ପର୍ଥ
ବ୍ରାଏନ ଲକହର୍ଷ୍ଟ-ଗ୍ରେଗ୍ ଚାପେଲ, ୧୯୭୪, ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ, ମେଲବର୍ନ
ଗ୍ରାଣ୍ଟ ଫ୍ଲାୱାର-ଦୀପକ ପଟେଲ, ୧୯୯୨, ଜିମ୍ବାୱେ ବନାମ ନ୍ୟୁଜିଲାଣ୍ଡ, ହରାରେ
ପିଟର କର୍ଷ୍ଟନ-କପିଳ ଦେବ, ୧୯୯୨, ଭାରତ ବନାମ ଦକ୍ଷିଣ ଆଫ୍ରିକା, ପୋର୍ଟ ଏଲିଜାବେଥ୍
ଜୋସ୍ ବଟଲର-ସଚିତ୍ର ସେନାନାୟକ, ୨୦୧୪, ଇଂଲଣ୍ଡ ବନାମ ଶ୍ରୀଲଙ୍କା, ବର୍ମିଂହାମ
ମାର୍କ ଚାପମ୍ୟାନ୍-ଅମିର ଖଲିମ, ୨୦୧୬, ହଂକଂ ବନାମ ଓମାନ, ଫତୁଲା
ଜୋସ୍ ବଟଲର-ଆର ଅଶ୍ବିନ, ୨୦୧୯, ରାଜସ୍ଥାନ ରୟାଲ୍ସ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ, ଜୟପୁର

ସମ୍ବନ୍ଧିତ ଖବର