ଏସୀୟ ପାରା ବ୍ୟାଡମିଣ୍ଟନ୍‌ ଦଳକୁ ନେଇ ବିବାଦ

ଖେଳାଳି ତାଲିକାରେ ଜାଲିଆତି, ୨୩ ଜଣିଆ ୧୧କୁ ଖସିଲା

ପ୍ରଦୀପଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ୨୧ ଆନ୍ତର୍ଜାତିକ ଖେଳାଳି
କଟକ: ଭାରତୀୟ ବ୍ୟାଡମିଣ୍ଟନ୍‌ ସଂଘ (ବାଇ)ର ପାରା ସମିତି ଅଧ୍ୟକ୍ଷ ତଥା ଓଡ଼ିଶା ବ୍ୟାଡମିଣ୍ଟନ୍‌ ସଂଘ ସମ୍ପାଦକ ପ୍ରଦୀପ ମହାନ୍ତିଙ୍କ ବିରୋଧରେ ଆନ୍ତର୍ଜାତିକ ପାରା ବ୍ୟାଡମିଣ୍ଟନ ମହାସଂଘ ନିକଟରେ ଅଭିଯୋଗ ହୋଇଛି। ଅକ୍ଟୋବରରେ ଇଣ୍ଡୋନେସିଆରେ ହେବାକୁଥିବା ଏସୀୟ ପାରା ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ପାଇଁ ଘୋଷଣା ହୋଇଥିବା ଖେଳାଳି ତାଲିକାରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ୨୧ ଜଣ ଆନ୍ତର୍ଜାତିକ ଖେଳାଳି ପ୍ରଦୀପଙ୍କ ବିରୋଧରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କ ମଧ୍ୟରେ ଓଡ଼ିଶାର ପ୍ରମୋଦ ଭଗତ ମଧ୍ୟ ସାମିଲ ହୋଇଛନ୍ତି।
ଜୁଲାଇ ୯ ତାରିଖରେ ଏସୀୟ ପ୍ରତିଯୋଗିତା ପାଇଁ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରୁ ୨୩ଜଣିଆ ଖେଳାଳି ତାଲିକା ଓ ୭ଜଣିଆ ଅଧିକାରୀ ତାଲିକା ପ୍ରକାଶ ପାଇଥିଲା। ସେହି ଅନୁଯାୟୀ ଖେଳାଳିମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲେ। ହେଲେ ଏକ କୋର୍ଟ ମାମଲାରେ ଖେଳାଳି ତାଲିକା ଲୋଡାଯାଇଥିଲା ବେଳେ ସେଥିରୁ ଜାଲିଆତି ହୋଇଥିବା ଜଣାପଡ଼ିଥିଲା। ପ୍ରଦୀପ ପ୍ରଥମ ୨୩ଜଣିଆ ତାଲିକାରେ କିଛି ପରିବର୍ତ୍ତନ କରିବାକୁ ଭାରତୀୟ ପାରା ଅଲିମ୍ପିକ୍‌ କମିଟି (ପିସିଆଇ)କୁ ପ୍ରସ୍ତାବ ଦେଇଥିଲେ। ଯାହାଫଳରେ ୨୩ଜଣିଆ ତାଲିକା ୧୧ଜଣକୁ ଖସିଆସିଥିଲା। ପ୍ରଦୀପ ନିଜକୁ ଦଳର ପ୍ରବନ୍ଧକ ଭାବେ ସାମିଲ କରିବାକୁ ଯାଇ ଏଭଳି କରିଥିବା ଅଭିଯୋଗ ହୋଇଛି। ଯେଉଁ ଖେଳାଳିମାନଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି, ସେମାନେ ନିକଟ ଅତୀତରେ ଜାତୀୟ ବିଜେତା ହୋଇଥିଲାବେଳେ ଏକାଧିକ ଆନ୍ତର୍ଜାତିକ ପଦକ ମଧ୍ୟ ଜିତିଛନ୍ତି। କେବଳ ଏତିକି ନୁହେଁ ବର୍ତ୍ତମାନ ଖେଳାଳି ଭାବେ ରହିଥିବା କେ.ଗୋପିନାଥଙ୍କ ନାମ ଅଧିକାରୀ ତାଲିକାରେ ରହିଥିବା ଦେଖିବାକୁ ମିଳିଛି।
ଜୁଲାଇ ୩୧ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ଏସୀୟ ପାରା ଅଲିମ୍ପିକ୍‌ ସମିତି (ଏପିସି) ପାଖକୁ ପଠାଯିବାକୁ ଧାର୍ଯ୍ୟ ହୋଇଥିଲା। ହେଲେ ଖେଳାଳିମାନଙ୍କୁ ବୋକା ବନାଇବାକୁ ଯାଇ ପ୍ରଦୀପ ୨୩ ଜଣିଆ ତାଲିକା ଥିବା ଚୟନ ସମିତି ରିପୋର୍ଟକୁ ବାଇ େଓ୍ଵବସାଇଟ୍‌ରେ ଛାଡ଼ିଥିଲେ। ତେବେ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ ହେଉନଥିବା ଯୋଗୁଁ ମାମଲା କୋର୍ଟରେ ପହଞ୍ଚିଥିଲା। ଏବେ ଉକ୍ତ ବିବାଦ ସବୁ ସୀମା ପାର୍‌ ହୋଇଯାଇଛି। କୋର୍ଟଙ୍କୁ ଦିଆଯାଇଥିବା ତଥ୍ୟରେ ଖେଳାଳି ତାଲିକା ୨୩ ପରିବର୍ତ୍ତେ ୧୧ ଦର୍ଶାଯାଇଛି। ବାଇର କିଛି ଅଧିକାରୀ ଓ କର୍ମକର୍ତ୍ତମାନେ ସରକାରୀ ଖର୍ଚ୍ଚରେ ବିଦେଶ ଭ୍ରମଣ କରିବାକୁ ଚାହୁଁଥିବାରୁ ସେଥିପାଇଁ ଖେଳାଳିମାନଙ୍କୁ ବେଆଇନ୍‌ ଭାବେ ତାଲିକାରୁ ବାଦ୍‌ ଦିଆଯାଇଛି। ତାଲିକାରୁ ଏସ୍‌ୟୁ୫ କାଟାଗୋରୀର ସମସ୍ତ ଖେଳାଳିଙ୍କୁ ବାଦ୍‌ ଦିଆଯାଇଥିବାରୁ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟର କିଛି ନିଶ୍ଚିତ ପଦକ ହାତଛଡ଼ା ହେବା ଅଶଙ୍କା ଦେଖାଦେଇଥିବା ଅଭିଯୋଗ ହୋଇଛି। ପ୍ରଦୀପ ନିଜକୁ ଦଳର ପ୍ରବନ୍ଧକ ଭାବେ ତାଲିକାରେ ସାମିଲ କରିବାକୁ ଆଗ୍ରହ ଦେଖାଇଥିବା ପିସିଆଇ ମହାସଚିବ ଜେ.ଚନ୍ଦ୍ରଶେଖର କହିଛନ୍ତି। ଏପରିକି ପ୍ରଦୀପ ନିଜେ ଦଳ ଚୟନ ନ କରି ତୃତୀୟ ପକ୍ଷ ଜରିଆରେ ଏହି କାର୍ଯ୍ୟ ସଂପାଦନ କରିଥିବା ଚନ୍ଦ୍ରଶେଖର ପାଲଟା ଅଭିଯୋଗ କରିଛନ୍ତି।
ଚନ୍ଦ୍ରଶେଖରଙ୍କୁ ଦୋଷ ଦେଲେ ପ୍ରଦୀପ
ଖେଳାଳିଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଘଟଣାକୁ ନେଇ ପ୍ରଦୀପ ଆଶ୍ଚର୍ଯ୍ୟ ହେବା ସହ ଏସଂକ୍ରାନ୍ତରେ ପିସିଆଇ ଓ ସାଇ ମହାନିର୍ଦ୍ଦେଶକଙ୍କ ନିକଟରେ ଆପତ୍ତି ଉଠାଇଥିବା କହିଛନ୍ତି। ହେଲେ ବିଶ୍ୱ ମହାସଂଘ ପାଖରେ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ କିଛି ଜାଣିନଥିବା ପ୍ରତିକ୍ରିୟା ଦେଇଛନ୍ତି। ଏସବୁ ଜାଲିଆତି ପାଇଁ ସେ ସିଧାସଳଖ ପିସିଆଇ ମହାସଚିବ ଜେ. ଚନ୍ଦ୍ରଶେଖରଙ୍କୁ ଦାୟୀ କରିଛନ୍ତି। ନିୟମ ଅନୁସାରେ ଚୟନ ହୋଇଛି। ହେଲେ ଚୟନ ସମିତି ବୈଠକକୁ ଚନ୍ଦ୍ରଶେଖରଙ୍କୁ ଡକାଯାଇଥିଲେ ବି ସେ ଆସିନଥିଲେ। ୨୩ ଜଣିଆ ଖେଳାଳି ତାଲିକା ଓ ୭ଜଣିଆ ଅଫିସିଆଲ୍‌ ତାଲିକା ଏପିସିକୁ ପଠାଯିବା ପରେ ତାହା କିପରି ୧୧ଜଣକୁ ଖସିଲା ତାହା ସେ ଜାଣିନାହାନ୍ତି। ଏସୀୟ ପ୍ରତିଯୋଗିତାକୁ ପାରା ବ୍ୟାଡମିଣ୍ଟନ ଅଧ୍ୟକ୍ଷ ଭାବେ ଯିବାରେ ତାଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ତାଲିକାରେ ନାଁ ରହିବା ଆବଶ୍ୟକ ନାହିଁ। ହେଲେ ଚନ୍ଦ୍ରଶେଖର ନିଜର କିଛି ଖେଳାଳି ଓ ଅଫିସିଆଲ୍‌ଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିବାରୁ ସେ ଏପରି ଜାଲିଆତି କରାଇଥିବା ପ୍ରଦୀପ ସିଧାସଳଖ ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ସେ ପିସିଆଇ ଓ ସାଇ ମହାନିର୍ଦ୍ଦେଶକଙ୍କୁ ଜଣାଇଛନ୍ତି। ଅଯଥାରେ ତାଙ୍କୁ ବଦ୍‌ନାମ କରିବାକୁ ଚନ୍ଦ୍ରଶେଖର ଚକ୍ରାନ୍ତ କରୁଥିବା ପ୍ରଦୀପ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର