ଟୋକିଓରେ ଭାରତୀୟ ହକି ଦଳର ବିଜୟ; ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କଲେ ନବୀନ

ଭୁବନେଶ୍ବର: ଟୋକିଓରେ ଭାରତର ଟେକ ରଖିଛି ପୁରୁଷ ହକି ଦଳ। ଏହି ଐତିହାସିକ ମୁହୂର୍ତ୍ତରେ ସାକ୍ଷୀ ପାଲଟିଛି ସାରା ଦେଶ। ଟିଭି ଆଗରେ ବସି ଖେଳ ଦେଖୁଥିବା ଦର୍ଶକଙ୍କଠାରୁ ଆରମ୍ଭ କରି ହକିକୁ ଭଲ ପାଉଥିବା କ୍ରୀଡାପ୍ରେମୀଙ୍କୁ ଏହି ସଫଳତା ବେଶ ଆନନ୍ଦ ଆଣିଦେଇଛି । ଆପଣ ଜାଣିଛନ୍ତି ସ୍କୁଲ ଟିମରେ ଗୋଲ୍ କିପର ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମ୍ବେଦନଶୀଳ ସମୟରେ ଭାରତୀୟ ହକିର ହାତ ଧରିଥିଲେ ।

ସାହାରା ଯେତେବେଳେ ହକିର ପ୍ରାୟୋଜକରୁ ଓହରି ଯାଇଥିଲା ଠିକ୍ ସେହି ସମୟରେ ୫ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ପାଲଟିଥିଲା ଓଡ଼ିଶା । ତେଣୁ ଭାରତୀୟ ପୁରୁଷ ହକି ଦଳ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପାଇଥିବା ସଫଳତା ସବୁଠାରୁ ବେଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନନ୍ଦିତ କରିଛି । ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ ପରେ ଭିଡିଓ କନଫରେସିଂ ଜରିଆରେ ଖେଳାଳିମାନଙ୍କ ସହିତ କଥା ହୋଇଛନ୍ତି ନବୀନ ପଟ୍ଟନାୟକ । ଚିତାକର୍ଷକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ୧୬ ତାରିଖରେ ବିଜୟୀ ଦଳ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି ନବୀନ ।

ସେପଟେ, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଟିମର ବିଜୟ ପରେ ଚାରିଆଡ଼େ ଉତ୍ସବର ମାହୋଲ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହକି ଖେଳାଳିମାନେ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି । ୪୧ ବର୍ଷ ପରେ ଭାରତର ଐତିହାସିକ ବିଜୟକୁ ନେଇ ସମସ୍ତେ ଖୁସି ମନାଉଛନ୍ତି । ୪୧ବର୍ଷ ପରେ ଭାରତୀୟ ହକି ଦଳର ଏହି ଚିତାକର୍ଷକ ବିଜୟକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାରତର ବିଜୟ ପରେ ହକି ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି । ଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ସହ ମୁଖ୍ୟ କୋଚ ଓ ସହଯୋଗୀ କୋଚଙ୍କ ସହ କଥା ହୋଇଛନ୍ତି । ପ୍ରାୟ ଅଢେଇ ମିନିଟ ଧରି ମୋଦୀ କଥା ହୋଇଥିବା ବେଳେ ଭାରତକୁ ବ୍ରୋଂଜ ମେଡାଲ ଆଣି ଦେଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର