ଟୋକିଓରେ ଓଡ଼ିଶା ଟେକ ରଖିବାକୁ ଶୁଭେଚ୍ଛା

ଭୁବନେଶ୍ବର, (ସୁରେଶ ସ୍ବାଇଁ): ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ୩୨ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଲାଗି ଭାରତୀୟ ହକି ଦଳ ଶନିବାର ଟୋକିଓ ଅଭିମୁଖେ ବାହାରିବ। ବେଙ୍ଗାଲୁରୁଠାରେ ଗତବର୍ଷଠାରୁ ପ୍ରସ୍ତୁତିରେ ଲାଗି ରହିଥିବା ଉଭୟ ପୁରୁଷ ଓ ମହିଳା ଦଳକୁ ଏବେ ବିଭିନ୍ନ କ୍ରୀଡ଼ା ସଂଗଠନ, କ୍ରୀଡ଼ା ପ୍ରଶାସକ, ପ୍ରଶିକ୍ଷକ, ସାଥୀ ଖେଳାଳି, ପରିବାର ବର୍ଗ ଏବଂ ପୂର୍ବତନ ଅଲିମ୍ପିଆନ୍‌ମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବାରେ ଲାଗିଛନ୍ତି। ଓଡ଼ିଶା ବି ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ। ଓଡ଼ିଶାରୁ ୪ ଜଣ ହକି ‌ଖେଳାଳି ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇଛନ୍ତି। ପୁରୁଷ ଦଳରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ମହିଳା ଦଳରେ ଦୀପ୍ ଗ୍ରେସ୍‌ ଏକ୍କା, ନମିତା ଟପ୍ପୋଙ୍କୁ ସୁଯୋଗ ମିଳିଛି। ସେହିଭଳି ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ ମଧ୍ୟ ୧୦୦ ଓ ୨୦୦ ମିଟର୍‌ ଲାଗି ଯୋଗ୍ୟତା ଅର୍ଜନ କରି ଲଗାତାର ଦ୍ବିତୀୟ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ଅମିତ ପ୍ରଥମ ଥର ଅଲିମ୍ପିକ୍ସରେ ଖେଳିବାକୁ ଯାଉଥିବା ବେଳେ ଅନ୍ୟ ୪ ଜଣ ଦ୍ବିତୀୟ ଥର ଏହି କ୍ରୀଡ଼ା ମହୋତ୍ସବରେ ସାମିଲ ହେବେ। ଏମାନଙ୍କ ବ୍ୟତୀତ ଟୋକିଓ ପାରାଅଲିମ୍ପିକ୍ସରେ ଓଡ଼ିଶାରୁ ଏକମାତ୍ର ଖେଳାଳି ପ୍ରମୋଦ ଭଗତ ମଧ୍ୟ ପ୍ରତିନିଧିତ୍ବ କରିବେ। ଅଫିସିଆଲ୍‌ ଭାବେ କର୍ଣ୍ଣଲ୍‌ ବିକେ ନାୟକ ଏଫଆଇଏଚ୍‌ ଡାକ୍ତରୀ ଦଳରେ ଏବଂ କିମ୍ସର ଡାକ୍ତର ସୁଦୀପ ଶତପଥୀ ଭାରତୀୟ ହକି ଦଳ ସହ ମଧ୍ୟ ଯୋଡ଼ିହେବା ଓଡ଼ିଆ ମାନଙ୍କୁ ଗୌରବାନ୍ବିତ କରିଛି। ଓଡ଼ିଆ ଭାବେ ଅଲିମ୍ପିକ୍ସରେ ସାମିଲ ହେବା ଏବଂ ଦେଶର ପ୍ରତିନିଧିତ୍ବ କରିବାକୁ ଯିବା ପୂର୍ବରୁ ଏମାନଙ୍କୁ ଦେଶର ପୂର୍ବତନ ଅଲିମ୍ପିଆନ୍‌ ତଥା ହକି ତାରକାମାନେ ବିଶେଷ ଭାବେ ଶୁଭଆଶୀର୍ବାଦ ଓ ଶୁଭକାମନା ଜଣାଇ ସମସ୍ତଙ୍କ ସଫଳତା କାମନା କରିଛନ୍ତି।

ଦିଲ୍ଲୀପ ତିର୍କି, ପୂର୍ବତନ ଅଲିମ୍ପିକ୍‌ ଅଧିନାୟକ
ଓଡ଼ିଶାରୁ ଏଥର ପୁଣି ୪ ଜଣ ଖେଳାଳି ଭାରତୀୟ ପୁରୁଷ ଓ ମହିଳା ଦଳରେ ସ୍ଥାନ ପାଇବା ନିଶ୍ଚିତ ଭାବେ ଖୁସି ଦେଇଛି। ଏଥର ପୁରୁଷ ଦଳ ପାଇଁ ପଦକ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି। ବୀରେନ୍ଦ୍ର ଲାକ୍ରା, ଅମିତ ରୋହିତଦାସ, ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋଙ୍କ ସହ ଉଭୟ ଦଳକୁ ମୁଁ ଶୁଭକାମନା ଜଣାଉଛି ଟୋକିଓରେ ସେମାନେ ଭଲ ପ୍ରଦର୍ଶନ କରନ୍ତୁ ଏବଂ ଭାରତର ବହୁ ପ୍ରତୀକ୍ଷିତ ପଦକ ସ୍ବପ୍ନର ଅନ୍ତ ଘଟୁ।

ଲାଜରୁସ୍ ବାର୍ଲା, ପୂର୍ବତନ ଅଲିମ୍ପିଆନ୍‌
ମନପ୍ରୀତ୍ ସିଂହ ଏବଂ ରାଣୀ ରାମପଲଙ୍କ ଦଳକୁ ମୋ ହୃଦୟର ଅନ୍ତଃକୋଣରୁ ବହୁତ ବହୁତ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଟୋକିଓରେ ସୁରକ୍ଷିତ ଭାବେ ରହି ସୁନ୍ଦର ପ୍ରଦର୍ଶନ ଜରିଆରେ ଭାରତକୁ ପଦକ ପର୍ଯ୍ୟନ୍ତ ପହଞ୍ଚାଇ ଦିଅନ୍ତୁ। ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିତଦାସ, ଦୀପଗ୍ରେସ୍‌ ଏକ୍କା, ନମିତା ଟପ୍ପୋ ରାଜ୍ୟ ପାଇଁ ଗୌରବ ବଢ଼ାଇବେ ବୋଲି ମୁଁ ଦୃଢ଼ ଆଶାବାଦୀ ରହିଛି।

ପ୍ରବୋଧ ତିର୍କି, ପୂର୍ବତନ ଭାରତୀୟ ଅଧିନାୟକ
ଓଡ଼ିଶାରୁ ଟୋକିଓ ଯାଉଥିବା ସମସ୍ତ ଖେଳାଳିମାନଙ୍କୁ ମୁଁ ‌ମୋ ହୃଦୟରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସମସ୍ତେ ଭଲ ପ୍ରଦର୍ଶନ କରନ୍ତୁ ବୋଲି ଆଶା କରୁଛି। ଅଧିକାଂଶ ଯୁବ ଖେଳାଳିଙ୍କୁ ନେଇ ଯାଉଥିବାରୁ ପୁରୁଷ ଦଳ ପାଇଁ ପଦକ ଜିତିବା ସମ୍ଭାବନା ରହିଛି। ଆମ ରକ୍ଷଣଭାଗ ଦୃଢ଼ ରହିଛି, କିନ୍ତୁ ଫରୱାର୍ଡରେ କିଛି ଅଭିଜ୍ଞ ଖେଳାଳିଙ୍କୁ ନେଇଥିଲେ ଭଲ ହୋଇଥାନ୍ତା। ମହିଳା ଦଳ ପାଇଁ ପଦକ ବିଜୟ ସମ୍ଭାବନା କମ୍‌ ରହିଛି, ତଥାପି‌ ସେମାନଙ୍କଠାରୁ କିଛି କରିସ୍ମା ଆଶା କରୁଛି।

ନିଶାନଜ୍ୟୋତି ମହାନ୍ତି, ଅନ୍ତର୍ଜାତୀୟ ହକି ଅଫିସିଆଲ୍‌
ଟୋକିଓ ଅଭିମୁଖେ ବାହାରିଥିବା ଓଡ଼ିଶା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଉଥିବା ହଜାର ହଜାର ହକି‌ ପ୍ରେମୀଙ୍କ ପାଇଁ ମୁଁ ଗର୍ବିତ। ବିଶ୍ବ ମାନ୍ୟତାରେ ଚତୁର୍ଥ ସ୍ଥାନରେ ଥିବାରୁ ୧୯୮୦ ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ଭାରତ ପଦକ ଜିତିବାର ସୁଯୋଗ ପାଇବ। ମହିଳା ଦଳ ସେମିଫାଇନାଲ୍ ପହଞ୍ଚିପାରିଲେ ମଧ୍ୟ ପଦକ ଆଡକୁ ଯିବାର ସମ୍ଭାବନା ଆସିବ। ଧାବିକା ଦୂତି ଚାନ୍ଦ ଏବଂ ପାରା ବ୍ୟା‌ଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତଙ୍କୁ ମଧ୍ୟ ଟୋକିଓରେ ଓଡ଼ିଶାର‌ ଗୌରବ ବଢ଼ାନ୍ତୁ‌ ବୋଲି ମୁଁ ଶୁଭକାମନା ଜଣାଉଛି।

ସୁନୀତା ଲାକ୍ରା, ପୂର୍ବତନ ଭାରତୀୟ ଅଧିନାୟିକା
ରିଓ ଅଲିମ୍ପିକ୍ସ ତୁଳନାରେ ଏଥର ଭାରତୀୟ ଦଳ ଭଲ ରହିଛି ଏବଂ ଉଭୟ ପୁରୁଷ ଓ ମହିଳା ଦଳ ଫାଇନାଲ୍‌ ଖେଳିବାର ସମ୍ଭାବନା ରହିଛି। ମନପ୍ରୀତ୍ ଓ ରାଣୀଙ୍କ ଦଳରେ ଥିବା ବୀରେନ୍ଦ୍ର, ଅମିତ, ଦୀପଗ୍ରେସ୍‌ ଓ ନମିତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ସାମ୍ପ୍ରତିକ ସମୟରେ ଭାରତୀୟ ମହିଳା ଦଳ ଢେର ଉନ୍ନତି କରିଛି ଏବଂ ପୁରୁଷ ଦଳ ଉଚ୍ଚସ୍ତରର ହକି ‌ଖେଳୁଥିବାରୁ ମୁଁ ଢେର ଆଶାବାଦୀ ରହିଛି। ଗତ ଥରର ଅବସୋସକୁ ଏମା‌ନେ ଦୂର କରି ପଦକ ଜିତିବେ‌ ବୋଲି ମୁଁ ବିଶ୍ବାସ ରଖିଛି। ବିନା ଚାପରେ ଖେଳିବାକୁ ମୁଁ ପରାମର୍ଶ ଦେଉଛି।

ରୋଶନ ମିଞ୍ଜ୍‌, ପୂର୍ବତନ ଭାରତୀୟ ଖେଳାଳି
ଭାରତୀୟ ପୁରୁଷ ଓ ମହିଳା ଦଳରେ ଓଡ଼ିଶାରୁ ୨ ଜଣ ଲେଖାଏଁ ଖେଳାଳି ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିବାକୁ ଯାଉଥିବାରୁ ମୋତେ ଖୁସି ଲାଗୁଛି। ପୁରୁଷ ଦଳର ପ୍ରସ୍ତୁତି ଓ ପ୍ରଦର୍ଶନକୁ ଦେଖି ବିଶ୍ବାସ ଲାଗୁଛି ସେମା‌ନେ ପଦକ ପର୍ଯ୍ୟନ୍ତ ପହଞ୍ଚିପାରିବେ। ଦଳର ରକ୍ଷଣଭାଗ ଭଲ ରହିଛି ଏବଂ ସେମିଫାଇନାଲ୍ ପହଞ୍ଚିଯିବାର ସମ୍ଭାବନା ଉଜ୍ବଳ ଲାଗୁଛି। ମନପ୍ରୀତ୍ ସିଂହ ଏବଂ ରାଣୀ ରାମପାଲଙ୍କ ଦଳକୁ ମୁଁ ‘ବେଷ୍ଟ୍‌ ଅଫ୍‌ ଲକ୍’ ଜଣାଉଛି। ଭଲ ପ୍ରସ୍ତୁତି କରିଥିବାରୁ ଉଭୟ ଦଳର ପ୍ରଦର୍ଶନ ଭଲ ହେବ ବୋଲି ଆଶା ରଖିଛି।

ବିଶ୍ବରଂଜନ ଷଡ଼ଙ୍ଗୀ, ଅନ୍ତର୍ଜାତୀୟ ହକି ଅମ୍ପାୟାର୍‌
ସମସ୍ତ ଭାରତୀୟ କ୍ରୀଡ଼ାବିତ୍‌ ବିଶେଷ କରି ହକି ଖେଳାଳିମାନଙ୍କୁ ମୁଁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।‌ କୌଣସି ଚାପରେ ନ ପଡ଼ି କଳିଙ୍ଗ ୱାରିୟରମାନେ ଆମକୁ ଗୌରବାନ୍ବିତ କରିବେ ବୋଲି ଆଶା ରଖିଛୁ। ବୀରେନ୍ଦ୍ର ଲାକ୍ରା ଏବଂ ଦୀପ୍ ଗ୍ରେସ୍‌ ଏକ୍କା ଯଥାକ୍ରମେ ପୁରୁଷ ଓ ମହିଳା ଦଳର ଭାଇସ୍‌ କ୍ୟାପଟେନ୍‌ ନିଯୁକ୍ତ ହୋଇଥିବାରୁ ବ୍ୟକ୍ତିଗତ ଭାବେ ଏହା ସେମାନଙ୍କ ମନୋବଳ ବଢ଼ାଇବ।

ସମ୍ବନ୍ଧିତ ଖବର