ଚେନ୍ନାଇ: ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଥିଲା ଏକ ସ୍ବତନ୍ତ୍ର ଦିବସ। ଏହି ଦିନ ଏହି କିଂବଦନ୍ତି କ୍ରିକେଟର୍‌ ଆଇପିଏଲ୍‌ରେ ସିଏସ୍‌କେ ପାଇଁ ଅଧିନାୟକ ଭାବେ ୨୦୦ତମ ମ୍ୟାଚ୍‌ ଖେଳିଥିଲେ। ସ୍ଥାନୀୟ ଚେପକର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଧୋନି ଏହି ସ୍ବତନ୍ତ୍ର ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ଫ୍ରାଞ୍ଚାଇଜ୍‌ ପକ୍ଷରୁ ୨୦୦ ମ୍ୟାଚ୍‌ ଖେଳିବା ପୂର୍ବରୁ ବୁଧବାର ଧୋନିଙ୍କୁ ସିଏସ୍‌କେ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫ୍ରାଞ୍ଚାଇଜ ମାଲିକ ଏନ୍‌ ଶ୍ରୀନିବାସନ ତାଙ୍କୁ ଏକ ସ୍ମାରକୀ ଉପହାର ଦେଇଥିଲେ।

Advertisment

ଏହି ସମ୍ବର୍ଦ୍ଧନା ଉତ୍ସବରେ ଆଇସିସିର ପୂର୍ବତନ ଅଧ୍ୟକ୍ଷ, ବିସିସିଆଇ ଏବଂ ତାମିଲନାଡୁ କ୍ରିକେଟ୍‌ ସଂଘ (ଟିଏନ୍‌ସିଏ)ର ପୂର୍ବତନ ସଭାପତି ଶ୍ରୀନିବାସନଙ୍କ ବ୍ୟତୀତ ଚିତ୍ରା ଶ୍ରୀନିବାସନ ଏବଂ ରୂପା ଗୁରୁନାଥଙ୍କ ସହିତ ଧୋନିଙ୍କ ସିଏସ୍‌କେ ଦଳୀୟ ସାଥୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଧୋନି ୨୦୦୮ ଆଇପିଏଲ୍‌ ପ୍ରଥମ ସଂସ୍କରଣରୁ ସିଏସ୍‌କେର ନେତୃତ୍ବ ନେଇଆସୁଛନ୍ତି। ତେବେ ଏହି ଫ୍ରାଞ୍ଚାଇଜ ଦୁଇ ବର୍ଷ ନିଲମ୍ବିତ ହୋଇଥିବାରୁ ସେ ସିଏସ୍‌କେ ନେତୃତ୍ବରୁ ବଞ୍ଚିତ ରହିଥିଲେ। ଏହାସତ୍ତ୍ବେ ଗୋଟିଏ ଫ୍ରାଞ୍ଚାଇଜ୍‌ ପକ୍ଷରୁ ୨୦୦ ମ୍ୟାଚ୍‌ରେ ଅଧିନାୟକତ୍ବ କରିବା ଆଇପିଏଲ୍‌ ଇତିହାସରେ ଏକ କୀର୍ତ୍ତିମାନ।