ମନ ଜିତିଲା ଶାହରୁଖଙ୍କୁ ମୋର୍ଗାନଙ୍କ ଜନ୍ମଦିନ ଶୁଭେଚ୍ଛା

ଦୁବାଇ: ସୋମବାର ଥିଲା ବଲିଉଡ୍ ବାଦଶାହ ଶାହରୁଖ ଖାନ୍‌ଙ୍କ ୫୫ତମ ଜନ୍ମଦିବସ। ଏହି ଅବସରରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଦଳର ସମସ୍ତ ସଦସ୍ୟ ନିଜ ନିଜ ଶୈଳୀରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ତେବେ ଅଧିନାୟକ ଇଅନ ମୋର୍ଗାନ ଟ୍ବିଟ୍ କରିଥିବା ଶୁଭେଚ୍ଛା ବାର୍ତ୍ତା ସମସ୍ତଙ୍କ ମନ ଜିତି ନେଇଥିଲା। ଚଳିତ ଆଇପିଏଲ୍‌ ଋତୁର ମଧ୍ୟଭାଗରେ ଦୀନେଶ କାର୍ତ୍ତିକଙ୍କଠାରୁ ଅଧିନାୟକ ପଦ ଗ୍ରହଣ କରିଥିବା ମୋର୍ଗାନ କିଙ୍ଗ୍ ଖାନ୍ ଶାହରୁଖଙ୍କୁ ହଲିଉଡ୍ ଅଭିନେତା ଟମ୍ କ୍ରୁଜ୍‌ଙ୍କଠାରୁ ଅଧିକ ଆକର୍ଷଣୀୟ ବୋଲି ବର୍ଣ୍ଣନା କରିଥିଲେ। ‘‘ସମସ୍ତେ ତାଙ୍କୁ (ଶାହରୁଖଙ୍କୁ) ଭାରତର ଟମ୍ କ୍ରୁଜ୍ ବୋଲି କୁହନ୍ତି।

ପ୍ରକୃତରେ କିନ୍ତୁ ସେ କ୍ରୁଜ୍‌ଙ୍କଠାରୁ ଅଧିକ ଆକର୍ଷଣୀୟ’’ ବୋଲି ମୋର୍ଗାନ ଟ୍ବିଟ୍ କରିଥିଲେ। ସେପଟେ ଶାହରୁଖଙ୍କ ସହ କଟାଇଥିବା କିଛି ବି‌ଶେଷ ମୁହୂର୍ତକୁ ମନେ ପକାଇଥିଲେ କାର୍ତ୍ତିକ। ସେ କହିଥିଲେ ଯେ ଥରେ ଚାଲି ଗଲାବେଳେ ସେଠାକାର ଅଟୋ ଚାଳକ କେବଳ ଦୁଇଟି କଥା କହିଥିଲେ, ‘ଆପଣ ଭାରତରୁ ଆସିଛନ୍ତି, ଶାହରୁଖ ଖାନ୍, ପ୍ରତି ଜିଣ୍ଟା‌, ଭୀର-ଜାରା ନା’। ଏଣୁ ଆପଣ ଏଥିରୁ ଅନୁମାନ କରି ପାରୁଥିବେ ସେ ସାରା ବିଶ୍ବରେ କେତେ ‌ଲୋକପ୍ରିୟ। ଶାହରୁଖଙ୍କୁ ପ୍ରଥମ ଥର ଭେଟିବାର ଅଭିଜ୍ଞତାକୁ ମନେ ପକାଇଥି‌ଲେ ଅଲରାଉଣ୍ଡର ଆନ୍ଦ୍ରେ ରସେଲ। ସେ କହିଥିଲେ ‘‘ମୋ ପାଇଁ ଏହା ସ୍ବତନ୍ତ୍ର ମୁହୂର୍ତ ଥିଲା। ସେ ଅତ୍ୟନ୍ତ ନମ୍ର ଓ ଥଣ୍ଡା ମିଜାଜର। ଶାହରୁଖ ମୋ ପଛରେ ଠିଆ ହୋଇଥିଲେ ଏବଂ ମୋତେ ଜୋର୍‌ରେ ଆଲିଙ୍ଗନ କରିଥିଲେ। ମୁଁ ଜଣେ କଠୋର ବ୍ୟକ୍ତି ତଥାପି ମୁଁ ଲାଜ କରୁଥିଲି’’। ଅଲ୍ଲୀ ଖାନ୍, ଶିବମ ମାଭି, ରାହୁଲ ତ୍ରିପାଠୀ, ଲୋକି ଫର୍ଗୁସନ୍, କୁଲଦୀପ ଯାଦବ, କ୍ରିସ୍ ଗ୍ରିନ୍‌ଙ୍କ ଭଳି ଖେଳାଳି ମଧ୍ୟ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର