ସୋହିନୀ ଓ ଦେବାଶିଷଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଓଡ଼ିଶା ଟେନିସ୍ ସଂଘ ବୁଧବାର ରାଜ୍ୟର ଦୁଇ ପ୍ରତିଭାବାନ ଟେନିସ୍ ତାରକାଙ୍କୁ ସମ୍ବର୍ଦ୍ଧିତ କରିଛି। ସେମାନେ ‌ହେଲେ ଦେବାଶିଷ ସାହୁ ଓ ସୋହିନୀ ସଞ୍ଜୟ ମହାନ୍ତି। ଦେବାଶିଷ ପ୍ରଥମ ଓଡ଼ିଆ ଭାବେ ‘ରୋଡ୍ ଟୁ ୱିମ୍ବଲଡନ୍ ମାଷ୍ଟର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା’ ଖେଳିଛନ୍ତି। ୧୬ ଓ ୧୮ ବର୍ଷରୁ କମ୍ ବାଳକରେ ସେ ହେଉଛନ୍ତି ରାଜ୍ୟର ଏକ ନମ୍ବର ଖେଳାଳି। ସେହିଭଳି ସୋହିନୀ ହେଉଛନ୍ତି ୧୪ ବର୍ଷରୁ କମ୍ ବାଳିକାରେ ରାଜ୍ୟର ଏକନମ୍ବର ଟେନିସ୍ ଖେଳାଳି। ସେ ମଧ୍ୟ ଅନେକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ନିଜ ଯାଦୁ ଦେଖାଇ ସାରିଛନ୍ତି। ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ‌ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଓଡ଼ିଶା ଟେନିସ୍ ଏକାଡେମିର ମୋବାଇଲ୍ ଆପ୍ ଉନ୍ମୋଚିତ ହେବା ସହ ଓଡ଼ିଶା ଟେନିସ୍ ସଂଘର ନୂଆ କର୍ଯ୍ୟାଳୟ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଏହି ଅବସରରେ କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା, ଓଡ଼ିଶା ଟେନିସ୍ ସଂଘର ସଭାପତି ଅସିତ ତ୍ରିପାଠୀ, ସଂପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମ ସଂପାଦକ ସଂଜୀବ ପଣ୍ଡା, ବ୍ରହ୍ମାନନ୍ଦ ମିଶ୍ର, ଅସିତ ପ୍ରଧାନ, ଡିକେ ଟୁଙ୍ଗା, ବିବେକ ପଟ୍ଟନାୟକ, ବିନୋଦ ସେଠ୍ ଏବଂ ସଂଘର ବହୁ କର୍ମକର୍ତ୍ତା ତଥା କ୍ରୀଡ଼ା ବିଭାଗର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର