ଭୁବନେଶ୍ବର : ଉତ୍ତରାଖଣ୍ଡରେ ଏପ୍ରିଲ୍ ୧୪ ଓ ୧୫ ତାରିଖରେ ଅନୁଷ୍ଠିତ ଦ୍ବାଦଶ ଜାତୀୟ ଫେଡେରେସନ୍ କପ୍ ପୁରୁଷ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା ଖେଳାଳି ଗୋଟିଏ ସ୍ବର୍ଣ୍ଣ ସହ ମୋଟ ୫ ପଦକ ଜିତିଥିଲେ। ଏହା ମଧ୍ୟରେ ୨ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ସାମିଲ ଥିଲା। ସମସ୍ତ ପଦକ ବିଜେତାଙ୍କୁ ରବିବାର ଓଡ଼ିଶା ବଡି ବିଲ୍ଡିଂ ସଂଘ (ଓବିବିଏ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୭୦ କିଲୋଗ୍ରାମ ଓଜନ୍ ବର୍ଗରେ ଯାଜପୁର ଯୁବକ ଅମିତ କୁମାର ଭୂୟାଁ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ୫୫ କିଲୋଗ୍ରାମ ବର୍ଗରେ ସମ୍ବଲପୁରର ରାକେଶ କୁମାର ବାଗ ଏବଂ ୭୫ କିଲୋଗ୍ରାମରେ ଭୁବନେଶ୍ବରର ସୁପ୍ରଭାତ ମୁଣ୍ଡା ରୌପ୍ୟ ପଦକ ଜିତିଥିଲେ। ୬୫ କିଲୋଗ୍ରାମ ବର୍ଗରେ ପୁରୀର ଦେବକାନ୍ତ ସାହୁ ଏବଂ ୧୦୦ କିଲୋଗ୍ରାମରେ ଭୁବନେଶ୍ବରର ଛୁଟ୍କୁ ଦତ୍ତ କାଂସ୍ୟ ପଦକ ହାସଲ କରିଥିଲେ। ଦଳର ପ୍ରବଂଧକ ତଥା ପ୍ରଶିକ୍ଷକ ସୌମ୍ୟକାନ୍ତ ଥମ୍ବଙ୍କ ଅବଦାନ ପାଇଁ ଏହା ସମ୍ଭବ ହୋଇଥିଲା।
ରବିବାରର ସମ୍ବର୍ଧନା ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘ ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ବାବୁଲି ସ୍ବାଇଁ, ବିବେକାନନ୍ଦ ବାରିକ, ଭବାନୀ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଏସୀୟ ଏବଂ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଶିବିର ପାଇଁ ସମସ୍ତଙ୍କୁ ଅତିଥିମାନେ ଶୁଭକାମନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର୍ ଭିନିଲ କ୍ରିଷ୍ଣା ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଥିଲେ। ଆର୍ମିରେ ଯୋଗଦେବାକୁ ଆଗ୍ରହ ରଖି ପ୍ରସ୍ତୁତି ଚଳାଇବା ଅବସରରେ ମୁଁ ଜିମ୍ ଯାଇଥିଲି ଏବଂ ସେଠାରୁ ବଡି ବିଲ୍ଡିଂ ପ୍ରେମରେ ପଡ଼ି ଆଜି ସଫଳ ହୋଇଛି ବୋଲି ପ୍ରକାଶ କରିଥିଲେ ସ୍ବର୍ଣ୍ଣ ବିଜେତା ଅମିତ।