ଭୁବନେଶ୍ୱର: ଭାରତୀୟ ମହିଳା ଭଲିବଲ୍ ଦଳକୁ ଶନିବାର ଭାରତୀୟ ଭଲିବଲ୍ ସଂଘର ସଭାପତି, କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଛନ୍ତି। ଥାଇଲାଣ୍ଡରେ ଜୁନ୍ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୮ ବର୍ଷରୁ କମ୍ ୧୪ତମ ଏସିଆ ମହିଳା ଚାମ୍ପିଅନ୍ସିପରେ ଏହି ଦଳ ଅଂଶଗ୍ରହଣ କରିବ। ଭାରତୀୟ ଦଳ ଆଜି ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିଛି। କିଟ୍ ଗ୍ରାଉଣ୍ଡରେ ଏହି ଖେଳାଳିମାନେ ଅଭ୍ୟାସ ଜାରି ରଖିଥିଲେ। ସୂଚନାଯୋଗ୍ୟ, ଭାରତୀୟ ଭଲିବଲ୍ ସଂଘ କିଟରେ ୧୮ବର୍ଷରୁ କମ୍ ଭାରତୀୟ ମହିଳା ଭଲିବଲ୍ ଦଳର ଚୟନ ଦାୟିତ୍ୱ ଓଡ଼ିଶା ଭଲିବଲ୍ ସଂଘକୁ ପ୍ରଦାନ କରିଥିଲେ। ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ୨୦ ଜଣଙ୍କ ମଧ୍ୟରୁ ଭାରତୀୟ ଦଳ ପାଇଁ ୧୨ ଜଣ ଖେଳାଳି ଓ ୪ ଜଣ ଅଫିସିଆଲ୍ଙ୍କୁ ମନୋନୀତ କରାଯାଇଥିଲା। ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଆ ଖେଳାଳି ଲାସ୍ୟମୟୀ ମହନ୍ତ। ସେହିପରି ଓଡ଼ିଶାରୁ ପ୍ରଶିକ୍ଷକ ଭାବେ ଲୋତକବିନ୍ଦୁ ଦାଶ ଓ ଫିଜିଓ ଭାବେ ଅମ୍ରିନ୍ ହୟାତ ମଧ୍ୟ ଏହି ଦଳରେ ସାମିଲ ଅଛନ୍ତି।
ଭାରତୀୟ ଭଲିବଲ୍ ସଂଘର ସଭାପତି ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ଜର୍ସି ଉପହାର ପ୍ରଦାନ କରିଥିଲେ। କିଟ୍ର ଭିତ୍ତିଭୂମି ଓ ଖେଳାଳିଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଇଥିବାରୁ ଖେଳାଳିମାନେ ଥାଇଲାଣ୍ଡରେ ଭଲ ପ୍ରଦର୍ଶନ କରିବା ନେଇ ଶ୍ରୀ ସାମନ୍ତ ଆଶାବାଦୀ ଅଛନ୍ତି। ଲାସ୍ୟମୟୀ ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଭାରତୀୟ ୧୮ ବର୍ଷରୁ କମ୍ ମହିଳା ଭଲିବଲ୍ ଦଳରେ ସାମିଲ ହୋଇଛନ୍ତି। ଏହି ସଫଳତା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିବାରୁ ଲାସ୍ୟମୟୀ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷରେ ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ୩ ଜଣ ସାମିଲ ହୋଇଥିବାରୁ ଓଡ଼ିଶାର ଗୁରୁତ୍ୱ ବୃଦ୍ଧି ପାଇଛି ବୋଲି ଓଡ଼ିଶା ଭଲିବଲ୍ ସଂଘ ସାଧାରଣ ସମ୍ପାଦକ ଗଗନେନ୍ଦୁ ଦାଶ କହିଛନ୍ତି। ଭାରତୀୟ ମହିଳା ଭଲିବଲ୍ ଦଳରେ ରାଜସ୍ଥାନରୁ କବିତା (ଅଧିନାୟିକା), ମହାରାଷ୍ଟ୍ରରୁ ଭି ରକ୍ଷା ଖେନୱାର ଓ ବେଦିକା ସିନ୍ଧେ, ପଶ୍ଚିମବଙ୍ଗରୁ ରାଜନନ୍ଦିନୀ ମିତ୍ର, ଲିସା ଘୋଷ ଓ ବିଦିଶା ବଳ, ହରିଆଣାରୁ ତନୁ ରଥୀ, ତାମିଲନାଡୁରୁ ବିଷ୍ଣୁଶ୍ରୀ ଅରାସୁ ଓ ସ୍ୱାଥିକା ଜି ଏ, କେରଳରୁ ଭି ଅଞ୍ଜନା ଓ ତେଲେଙ୍ଗାନାରୁ କୁମାରୀ କେ ଶାନ୍ଥା ପ୍ରମୁଖ ସ୍ଥାନ ପାଇଛନ୍ତି। ସେହିପରି ଜୈସମ୍ମା ମୁଥେଡମ୍ ଦଳର ପ୍ରବନ୍ଧକ ଥିବା ବେଳେ ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି ବିରାଳ ସାହା, ସହକାରୀ କୋଚ ଲୋତକ ବିନ୍ଦୁ ଦାସ ଓ ବିଶ୍ୱଜିତ ଘୋଷ, ରେଫେରି ଅଛନ୍ତି ସଞ୍ଜୟ କୁମାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/6s5465sf465h4sfh65fsh.jpg)