ଭୁବନେଶ୍ୱର: ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଏବଂ ଦୁଇ ଥର ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କୁ ସୋମବାର କିଟ୍ ଓ କିସ୍ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ଓ କସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୁରସ୍କାର ବାବଦରେ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ପରାଲିମ୍ପିକ୍ସ ଯିବା ପୂର୍ବରୁ ପ୍ରମୋଦ କିଟ୍ର ଇନ୍ଡୋର ଷ୍ଟାଡ଼ିୟମରେ ଦୀର୍ଘ ଦିନ ବ୍ୟାଡ୍ମିଣ୍ଟନ ଅଭ୍ୟାସ କରୁଥିଲେ। ସେହି ଷ୍ଟାଡିଅମକୁ ଖୁବଶୀଘ୍ର ‘ପ୍ରମୋଦ ଭଗତ ଇନ୍ଡୋର ଷ୍ଟାଡିୟମ୍’ ନାମରେ ନାମିତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଏହା ସହ ଓଡ଼ିଶାର ଗୌରବ ପ୍ରମୋଦଙ୍କୁ କିଟ୍ କିମ୍ବା କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତାବର୍ଷ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ।
ସେହିପରି ଭାରତର ଦୌଡ଼ରାଣୀ ତଥା କିଟ୍ ଛାତ୍ରୀ ଦୂତି ଚାନ୍ଦଙ୍କୁ ମଧ୍ୟ ୨୦୧୩ ମସିହାରୁ କିଟ୍ ଓ କିସ୍ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ସହ ଅନ୍ୟାନ୍ୟ ସମସ୍ତ ପ୍ରକାର ସହଯୋଗ ଦିଆଯାଉଛି। ସେ ଦୁଇ ଦୁଇ ଥର ଅଲମ୍ପିକ୍ ଟ୍ରାକ୍ରେ ଦୌଡ଼ିବାର ଗୌରବ ଅର୍ଜନ କରିଥିବା ବେଳେ ଏସିଆଡ୍, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଦି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରି ଭାରତ, ଓଡ଼ିଶା ତଥା କିଟ୍କୁ ଗୌରବାନ୍ୱିତ କରିଛନ୍ତି। ଦୂତିଙ୍କ ସଫଳତା ପାଇଁ ତାଙ୍କ ନାମରେ ମଧ୍ୟ କିଟ୍ର ସିନ୍ଥେଟିକ୍ ଆଥଲେଟିକ୍ ଷ୍ଟାଡିୟମକୁ ‘ଦୂତି ଚାନ୍ଦ ଷ୍ଟାଡିୟମ୍’ ନାମରେ ନାମିତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଏହା ସହିତ ଦୂତି ଚାନ୍ଦଙ୍କୁ ମଧ୍ୟ କିଟ୍ କିମ୍ବା କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯିବ। ଦୁଇ ଜଣ ଅଲିମ୍ପିଆନ୍ଙ୍କ ନାମରେ ଗୋଟିଏ ବିଶ୍ୱବିଦ୍ୟାଳୟର ଦୁଇ ଦୁଇଟି ଷ୍ଟାଡିୟମ ନାମିତ ହେବାରେ କିଟ୍ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ହେବ ବୋଲି କୁହାଯାଉଛି।
ଏହି ଅବସରରେ ହୁଇଲ୍ ଚେୟାର ଅସିଚାଳକ ରାଖାଲ୍ ସେଠୀଙ୍କୁ ୨.୭ ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା। ଏହି ଅର୍ଥରେ ସେ ଏକ ହୁଇଲ୍ ଚେୟାର କିଣି ଆସନ୍ତା ନଭେମ୍ବରରେ ଇଟାଲିର ପିସାଠାରେ ଅନୁଷ୍ଠିତ ହେବାକୁ ଥିବା ଦି ଲିନିଂ ଟାୱାର ବିଶ୍ୱକପ୍ରେ ଅଂଶଗ୍ରହଣ କରିପାରିବେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।