ନୂଆଦିଲ୍ଲୀ: ‘‘ଭାରତୀୟ କ୍ରୀଡ଼ାର ସ୍ବର୍ଣ୍ଣିମ ଯୁଗ କବାଟ ଠକ୍ ଠକ୍ କରୁଛି।’’ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିବା ଭାରତୀୟ କ୍ରୀଡ଼ାବିତ୍ଙ୍କ ସହ ଶନିବାର ନିଜ ବାସଭବନରେ ଉତ୍ସବ ପାଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି ଉତ୍ସବରେ ୬୧ ପଦକ (୨୨ ସ୍ବର୍ଣ୍ଣ, ୧୬ ରୌପ୍ୟ ଓ ୨୩ କାଂସ୍ୟ) ଜିତିଥିବା ସମସ୍ତ ଭାରତୀୟ କ୍ରୀଡ଼ା ତାରକା ଏବଂ ସେମାନଙ୍କ ପ୍ରଶିକ୍ଷକମାନେ ଯୋଗଦେଇଥିଲେ। ଏହି ଅବସରରେ ସ୍ବର୍ଣ୍ଣ ପଦକ ବିଜୟିନୀ ମହିଳା ମୁଷ୍ଟିଯୋଦ୍ଧା ନିଖତ ଜରିନ ନିଜ ଗ୍ଲୋଭ୍ସରେ ପ୍ରଧାନମନ୍ତ୍ରୀଙ୍କ ଦସ୍ତଖତ ସଂଗ୍ରହ କରିଥିଲେ। ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇ ମୋଦୀ ନିଜ ଭାଷଣରେ ଆହୁରି କହିଥିଲେ ଯେ କେବଳ ପଦକ ଆମ କ୍ରୀଡ଼ାବିତ୍ଙ୍କ ପ୍ରଦର୍ଶନର ମାପକାଠି ହୋଇନପାରେ। କାରଣ ସଂଖ୍ୟା କେବେ ପୂରା କାହାଣୀ ଉପସ୍ଥାପିତ କରିପାରେ ନାହିଁ।
/sambad/media/post_attachments/wp-content/uploads/2022/08/fs654h5sf4h65sf4fh564f65hhffhf.jpg)
ଆମ ଖେଳାଳିମାନେ ପ୍ରତିପକ୍ଷଙ୍କୁ କଡ଼ା ଟକ୍କର ଦେଇଥିଲେ। ସେମାନଙ୍କ ପ୍ରଦର୍ଶନରେ ହୁଏତ ୧ ସେକେଣ୍ଡ କିମ୍ବା ୧ ସେଣ୍ଟିମିଟର ପାର୍ଥକ୍ୟ ରହିଥାଇପାରେ, ହେଲେ ଆଗାମୀ ସମୟରେ ଆମେ ଏହାକୁ ଭରଣା କରିନେବା ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ଏହା କେବଳ ଆରମ୍ଭ ମାତ୍ର। ଏଭଳି ସଫଳତା ପରେ ଆମେ ଆଉ ନିରବର ସହ ବସି ରହିପାରିବାନି। ଭାରତୀୟ କ୍ରୀଡ଼ାର ସ୍ବର୍ଣ୍ଣିମ ଯୁଗ ଆମ ଦ୍ବାର ଦେଶରେ ପହଞ୍ଚି ଯାଇଛି। ଭାରତର କ୍ରୀଡ଼ା ପ୍ରଣାଳୀକୁ ବିଶ୍ବର ସର୍ବଶ୍ରେଷ୍ଠ ସ୍ତରରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ବ। ଏଭଳି ଏକ କ୍ରୀଡ଼ା ବାତାବରଣ ସୃଷ୍ଟିହେଉ ଯାହା ବିବିଧ, ସାମଗ୍ରିକ ଓ ଗତିଶୀଳ ହେଉ। ପ୍ରତିଟି କ୍ରୀଡ଼ା ପ୍ରତିଭା ହେଉଛନ୍ତି ଆମ ଦେଶର ସମ୍ପତ୍ତି। ଏଣୁ କୌଣସି ଜଣେ ହେଲେ ବି ମେଧାବୀ ଓ ପ୍ରତିଭାବାନ ଖେଳାଳି ଯେମିତି ଆମ ଗୌରବମୟ ଯାତ୍ରାରୁ ବଞ୍ଚିତ ନହୁଅନ୍ତି, ସେ ଦିଗରେ ବିଶେଷ ଯତ୍ନବାନ ହେବାକୁ ପଡ଼ିବ। ଏଥର ଆମେ ଚାରିଟି ନୂଆ ଖେଳରୁ ପଦକ ଜିତିଛେ। ଆମ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ହୋଇଛି। ଯୁବ ପିଢ଼ିକୁ ଏହି ପ୍ରଦର୍ଶନ ନିଶ୍ଚିତ ଭାବେ ଅନୁପ୍ରେରିତ କରିବ। ଅବଶ୍ୟ ଆମକୁ ନୂଆ ନୂଆ ଖେଳରେ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।
/sambad/media/post_attachments/wp-content/uploads/2022/08/sf654h65sfh4f65h4fhs4hf65.jpg)
ଭାରତରେ ପ୍ରଥମ ଥର ଆୟୋଜିତ ହୋଇଥିବା ଚେସ୍ ଅଲିମ୍ପିଆଡ୍ରେ ପଦକ ଜିତିଥିବା ଭାରତୀୟ କ୍ରୀଡ଼ା ତାରକାମାନଙ୍କୁ ମୋଦୀ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ। ଗତ ଚାରି ସପ୍ତାହ ଭିତରେ ଭାରତ କିଭଳି ଭାବେ ଦୁଇଟି ପ୍ରମୁଖ ସଫଳତା ହାସଲ କରିଛି ଅର୍ଥାତ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଐତିହାସିକ ପ୍ରଦର୍ଶନ ସହ ଚେସ୍ ଅଲିମ୍ପିଆଡ୍କୁ ପ୍ରଥମ ଥର ଆୟୋଜନ କରିଛି, ତା’ ଉପରେ ଆଲୋକପାତ କରିଥିଲେ। ସେହିଭଳି ଆଗାମୀ ଏସୀୟ କ୍ରୀଡ଼ା ଓ ଅଲିମ୍ପିକ୍ସ ଲାଗି ଭଲ ଭାବରେ ପ୍ରସ୍ତୁତି କରିବାକୁ ପରମର୍ଶ ଦେଇଥିଲେ। ଏହି ଅବସରରେ କ୍ରୀଡ଼ା ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏବଂ କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରମାଣିକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/fsh54sf65h4sfh654sfh65.jpg)