କ୍ୟାମ୍ପହରଙ୍କ ଲଗାତାର ଅର୍ଧଶତକ

ସାଉଥମ୍ପଟନ୍: କୋଭିଡ୍-୧୯ କଟକଣା ତଥା ଜୈବ ସୁରକ୍ଷିତ ପରିବେଶରେ ଖେଳା ଯାଉଥିବା ଇଂଲଣ୍ଡ-ଆୟର୍ଲାଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ସମ୍ମୁଖରେ ଆୟର୍ଲାଣ୍ଡ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ଏକଦା ୯୧ ରନ୍‌ରେ ୬ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ତେବେ ସପ୍ତମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା କର୍ଟିସ୍ କ୍ୟାମ୍ପହରଙ୍କ ଲଢ଼ୁଆ ୬୮ ରନ୍ ବଳରେ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୧୨ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା।

କ୍ୟାମ୍ପହର ଓ ସିମି ସିଂହ (୨୫)ଙ୍କ ମଧ୍ୟରେ ହୋଇଥିବା ୬୦ ରନ୍‌ର ସପ୍ତମ ୱିକେଟ୍ ଭାଗୀଦାରି ଏବଂ ଅଷ୍ଟମ ୱିକେଟ୍‌ରେ କ୍ୟାମ୍ପହର ଓ ଆଣ୍ଡି ମ୍ୟାକବ୍ରିନ (୨୪)ଙ୍କ ମଧ୍ୟରେ ହୋଇଥିବା ୫୬ ରନ୍‌ର ଭାଗୀଦାରି ବଳରେ ହିଁ ଆୟର୍ଲାଣ୍ଡ ୨୦୦ ରନ୍ ଟପିଯାଇଥିଲା। ଏମାନଙ୍କ ଛଡ଼ା ହେରି ଟେକ୍ଟର ୨୮ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ୨୧ ବର୍ଷୀୟ କ୍ୟାମ୍ପହର ଗତ ଗୁରୁବାର ଖେଳିଥିବା‌ ନିଜ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ ୫୯* ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଶନିବାର ୬୮ ରନ୍ କରିବା ପରେ ଦୁଇଟି ମ୍ୟାଚ୍‌ରୁ ସେ ଲଗାତାର ଦୁଇଟି ଅର୍ଧଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ସେପଟେ ପ୍ରଥମ ମୁକାବିଲାରେ ଜୀବନର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିବା ଇଂଲଣ୍ଡ ଦ୍ରୁତ ବୋଲର ଡେଭିଡ୍ ୱିଲି ଆଜି ୪୮ ରନ୍ ଦେଇ ୨ ୱିକେଟ୍ ନେଇଛନ୍ତି। ସ୍ପିନର ଆଦିଲ ରସିଦ ୩୪ ରନ୍ ଦେଇ ୩ ଏବଂ ସାକିବ ମେହମ୍ମୁଦ ୪୫ ରନ୍ ବିନିମୟରେ ୨ ୱିକେଟ୍ କରାୟତ କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ମ୍ୟାଚ୍‌କୁ ସହଜରେ ଜିତି ଇଂଲଣ୍ଡ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।

ସମ୍ବନ୍ଧିତ ଖବର