ଅନ୍ତଃଜୋନ୍‌ ମହିଳା ଟ୍ବେଣ୍ଟି-୨୦ରେ ପୂର୍ବାଞ୍ଚଳକୁ ସାନ୍ତ୍ବନା

ମାଧୁରୀଙ୍କ ଅର୍ଦ୍ଧଶତକ; ପୂର୍ବାଞ୍ଚଳର ଅଗ୍ରଣୀ ରନ୍‌ ସ୍କୋରର୍‌

ଭୁବନେଶ୍ବର: ଲକ୍ଷ୍ନୌରେ ଚାଲିଥିବା ଅନ୍ତଃଜୋନ୍‌ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସୋମବାର ଉତ୍ତର-ପୂର୍ବାଞ୍ଚଳକୁ ୮୬ ରନ୍‌ରେ ହରାଇ ପୂର୍ବାଞ୍ଚଳ ସାନ୍ତ୍ବନାମୂଳକ ବିଜୟ ପାଇଛି। ମୋଟ୍‌ ୫ ମ୍ୟାଚ୍‌ରୁ କେବଳ ଏକମାତ୍ର ବିଜୟ ସହ ଅଭିଯାନ ଶେଷ କରିଛି। ସୋମବାର ମାଧୁରୀ ମେହେଟା ଟସ୍‌ ଜିତି ବ୍ୟାଟିଂ କରିଥିଲା ‌ବେଳେ ପୂର୍ବାଞ୍ଚଳ ୫ ୱିକେଟ୍‌ ବିନିମୟରେ ୧୪୮ ରନ୍‌ ସଂଗ୍ରହ କରିଥିଲା। ଶେଷ ମ୍ୟାଚ୍‌ରେ ପ୍ରଥମ ଥର ମାଧୁରୀଙ୍କ ବ୍ୟାଟ୍‌ରୁ ଅର୍ଦ୍ଧଶତକ (୫୮) ଆସିଥିଲା। ସେ ୫୧ ବଲ୍‌ରୁ ୭ ଚୌକା ସହାୟତାରେ ଏହି ରନ୍‌ ସଂଗ୍ରହ କରିପାରିଥିଲେ। ତୃତୀୟ ୱିକେଟ୍‌ରେ ରଶ୍ମୀ ଦେ’ (୩୬) ଙ୍କ ସହିତ ମିଶି ମାଧୁରୀ ୮୩ ରନ୍‌ର ଭାଗୀଦାରି କରିବା ଯୋଗୁଁ ଦଳ ମଜବୁତ୍‌ ସ୍ଥିତିରେ ପହଞ୍ଚିଥିଲା।

ଅନ୍ୟମାନଙ୍କ ମଧ୍ୟରେ ଝୁମ୍‌କୀ ଦେବନାଥ ୨୬, ଅଶ୍ବିନୀ କୁମାରୀ ୧୩ ରନ୍‌ର ଯୋଗଦାନ କରିଥିଲେ। ୧୪୯ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଉତ୍ତର-ପୂର୍ବାଞ୍ଚଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆରମ୍ଭରୁ ଅଶ୍ବିନୀ (୧/୩), ଦେବଯାନୀ (୩/୭), ରଶ୍ମୀ (୧/୪), ଅନୁଜା ପାଟିଲ୍‌ (୧/୧) ଅଧା ‌ବ୍ୟାଟର୍‌ଙ୍କୁ ଆଉଟ୍‌ କରିବାରୁ ନିୟମିତ ଭାବେ ଉତ୍ତର-ପୂର୍ବାଞ୍ଚଳ ୱିକେଟ୍‌ ହରାଇଥିଲା। ବିଭିନ୍ନ କାରଣ ପାଇଁ ବାରମ୍ବାର ମ୍ୟାଚ୍‌ ବନ୍ଦ ରହୁଥିବାରୁ ଭିଜେଡି ପଦ୍ଧତି ଆଧାରରେ ଉତ୍ତର ପୂର୍ବାଞ୍ଚଳ ସମ୍ମୁଖରେ ୧୬ ଓଭରରେ ୧୨୪ ରନ୍‌ର ପରିବର୍ତ୍ତିତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ଦଳ ଧାର୍ଯ୍ୟ ଓଭର ବେଳକୁ ୩୭/୮ ସ୍କୋର କରିପାରିଥିଲା। ଏହି ପ୍ରତିଯୋଗିତାରେ ମାଧୁରୀ ପୂର୍ବାଞ୍ଚଳ ପାଇଁ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇପାରିଛନ୍ତି। ସେ ୫ ମ୍ୟାଚ୍‌ରୁ ୧ ଅର୍ଦ୍ଧଶତକ ସହ ମୋଟ୍‌ ୧୫୨ ରନ୍‌ ସଂଗ୍ରହ କରି ପଞ୍ଚମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର