କଲମ୍ବୋ: ଶୁବମନ ଗିଲ୍ଙ୍କ ଲଢୁଆ ଶତକୀୟ ପାଳି ସତ୍ତ୍ବେ ବାଂଲାଦେଶ ବିପକ୍ଷ ଏସିଆ କପ୍ ସୁପର-୪ ମ୍ୟାଚ୍କୁ ଭାରତ ଜିତିପାରିନାହିଁ। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୨୬୬ ରନ୍ର ଲକ୍ଷ୍ୟକୁ ପିଛା କରି ଭାରତ ଗୋଟିଏ ବଲ୍ ପୂର୍ବରୁ ୨୫୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏହାଫଳରେ ଲଗାତର ଦୁଇଟି ମ୍ୟାଚ୍ ହାରିଥିବା ବାଂଲାଦେଶ ସାନ୍ତ୍ବନାମୂଳକ ବିଜୟ ପାଇଁ ଏସିଆ କପ୍ ଅଭିଯାନ ଶେଷ କରିଛି। ଭାରତ ଏହି ମ୍ୟାଚ୍ରେ ପରାସ୍ତ ହୋଇଥିଲେ ମଧ୍ୟ ରବିବାର ଶ୍ରୀଲଙ୍କା ସହିତ ଫାଇନାଲ୍ ଖେଳିବ।
ଗୁରୁତ୍ବହୀନ ଏହି ମ୍ୟାଚ୍ରେ ଭାରତ ୫ ପରିବର୍ତ୍ତନ କରି ଖେଳିଥିଲେ ବି ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଆରମ୍ଭରୁ ଝୁଣ୍ଟିଥିଲା। ପାଳିର ଦ୍ବିତୀୟ ବଲ୍ରେ ପ୍ରଥମ ଦିନିକିଆ ଖେଳୁଥିବା ତାଂଜିମ ହାସନ ସାକିବ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ବୋଲ୍ଡ କରିଦେଇଥିଲେ। ପଦାର୍ପଣକାରୀ ତିଳକ ବର୍ମା ମଧ୍ୟ ନିରାଶ କରି ମାତ୍ର ୫ ରନ୍ରେ ତାଂଜିମଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଶୁବମନ ଗିଲ୍ (୧୨୧ ରନ୍, ୧୩୩ ବଲ୍, ୮ଚୌକା, ୫ଛକା) ଗୋଟିଏ ପଟରୁ ପାଳି ସମ୍ଭାଳୁଥିଲେ ମଧ୍ୟ ତାଙ୍କୁ କେହି ଉଚିତ ସହଯୋଗ ଦେଇ ନଥିଲେ। ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଯଦିଓ ଗିଲ୍ଙ୍କ ସହ ମିଶି ଦଳୀୟ ସ୍କୋରରେ ୪୫ ରନ୍ ଯୋଡ଼ିଥିଲେ, ହେଲେ ଏହି ଯୋଡ଼ି ଅଧିକ ସମୟ ରହି ପାରି ନଥିଲା। ସୂର୍ଯ୍ୟ (୨୬)ଙ୍କୁ ସାକିବ ଅଲ୍ ହାସନ ବୋଲ୍ଡ କରିଥିଲେ। ଅନ୍ୟମାନେ ଦାୟିତ୍ବହୀନ ବ୍ୟାଟିଂ କରିଥିଲେ ମଧ୍ୟ ଅକ୍ଷର ପଟେଲ୍ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ୪୨ ରନ୍ରେ ଆଉଟ୍ ହୋଇଥିଲେ।
ଏଥିପୂର୍ବରୁ ରୋହିତ ଶର୍ମା ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ଯୁବ ଅଲରାଉଣ୍ଡର ତିଳକ ବର୍ମା ଏହି ମ୍ୟାଚ୍ ଜରିଆରେ ଆନ୍ତର୍ଜାତିକ ଦିନିକିଆ ପଦାର୍ପଣ କରିଥିଲେ। ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସାମି ୬ ଓଭର ମଧ୍ୟରେ ବାଂଲାଦେଶର ଶୀର୍ଷ ୩ ଜଣଙ୍କୁ ଆଉଟ୍ କରିଥିଲା ବେଳେ ୫୯ ରନ୍ ମଧ୍ୟରେ ଦଳ ୪ ୱିକେଟ୍ ହରାଇ ସାରିଥିଲା। କିନ୍ତୁ ଅଧିନାୟକ ସାକିବ ଅଲ୍ ହାସନ ଓ ତୋହିଦ ହ୍ରିଦୟ ପଞ୍ଚମ ୱିକେଟ୍ରେ ୧୦୧ ରନ୍ର ରନ୍ର ଭାଗୀଦାରି କରି ଦଳକୁ ପୁରି ମଜବୁତ୍ କରାଇଥିଲେ। ସାକିବ୍ଙ୍କୁ ଶାର୍ଦ୍ଦୁଳ ଠାକୁର ବୋଲ୍ଡ କରି ଯୋଡ଼ି ଭାଙ୍ଗିବା ସହ ଅର୍ଦ୍ଧଶତକ ହାସଲ କରିଥିବା ତୋହିଦ୍ଙ୍କୁ ମହମ୍ମଦ ସାମି ପାଭିଲିଅନ୍ ଫେରାଇଥିଲେ। ଏହାସତ୍ତ୍ବେ ଅଷ୍ଟମ ସ୍ଥାନରେ ବ୍ୟାଟିଂକୁ ଆସିଥିବା ନସୁମ ଅହମଦ, ମେହିଦି ହାସନ ଓ ପଦାର୍ପଣକାରୀ ତାଂଜିମ ହାସନ ସାକିବ୍ ସ୍ଲଗ୍ ଓଭରରେ ଦ୍ରୁତ ରନ୍ ବାହାର କରି ଦଳକୁ ଲଢୁଆ ସ୍କୋରରେ ପହଞ୍ଚାଇଥିଲେ।
ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୫୦ ଓଭରରେ ୨୬୫/୮ (ସାକିବ ଅଲ୍ ହାସନ-୮୦, ତେହିଦ୍ ହ୍ରିଦୟ-୫୪, ନସୁମ ଅହମଦ-୪୪, ଶାର୍ଦ୍ଦୁଳ ଠାକୁର-୩/୬୫, ମହମ୍ମଦ ସାମି-୨/୩୨, ପ୍ରସିଦ୍ଧ କୃଷ୍ଣ-୧/୪୩)। ଭାରତ ୪୯.୫ ଓଭରରେ ୨୫୯/୧୦ (ଶୁବମନ ଗିଲ୍-୧୨୧, ଅକ୍ଷର ପଟେଲ-୪୨, ସୂର୍ଯ୍ୟ କୁମାର ଯାଦବ-୨୬, କେଏଲ୍ ରାହୁଲ-୧୯, ମୁସ୍ତାଫିଜୁର ରେହମାନ-୩/୫୦, ତାଂଜିମ ହାସନ ସାକିବ-୨/୩୨)।
ଭରାତୀୟ ତାରକା ବ୍ୟାଟର୍ ବିରାଟ କୋହଲି ବ୍ୟାଟ୍ରେ ଯେମିତି ରନ୍ କରନ୍ତି ପ୍ରଶଂସକଙ୍କ ମନୋରଂଜନ ମଧ୍ୟ ସେମିତି କରିଥାନ୍ତି। ପଡ଼ିଆ ଭିତରେ ହେଉ କି ବାହାରେ କୋହଲି ଦର୍ଶକଙ୍କୁ ଭରପୂର ମନୋରଂଜନର ଖୋରାକ ଯୋଗାଉଛନ୍ତି। ଶୁକ୍ରବାର ଏସିଆ କପ୍ ସୁପର ୪ ମୁକାବିଲାର ଗୁରୁତ୍ବହୀନ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ତେଣୁ ସେ ପଡ଼ିଆ ଭିତରକୁ ଜଣେ ୱାଟରବଏ ଭୂମିକାରେ ଆସିଥିଲେ। ଡ୍ରିଙ୍କ୍ସ ବିରତି ସମୟରେ ଆନିମେସନ୍ ଭିଡିଓରେ ଯେପରି ଚରିତ୍ର ମାନେ ମଜାଳିଆ ଢଙ୍ଗରେ ଡେଇଁ ଡେଇଁ ଦୌଡ଼ନ୍ତି, ଠିକ୍ ସେହିପରି କୋହଲି କୌତୁକିଆ ଢଙ୍ଗରେ ପଡ଼ିଆକୁ ପାଣି ଧରି ଦୌଡ଼ୁଥିବା କ୍ୟାମେରାରେ କଏଦ୍ ହୋଇଥିଲା। ମ୍ୟାଚ୍ରେ ଖେଳୁନଥିବାରୁ କୋହଲିଙ୍କ ପ୍ରଶଂସକ ସାମାନ୍ୟ ନିରାଶ ହୋଇଥିଲେ ସୁଦ୍ଧା ତାଙ୍କୁ ପଡ଼ିଆ ଭିତରକୁ ଆସୁଥିବା ଦେଖି ଅନେକ ଆଶ୍ବସ୍ତି ହୋଇଥିଲେ। ପ୍ରଶଂସକଙ୍କୁ ମଧ୍ୟ ସେ ନିରାଶ ନକରି ସେମାନଙ୍କ ମୁହଁରେ ହସ ଆଣିବାକୁ ପ୍ରୟାସ କରିଥିଲେ।
ଜାଦେଜାଙ୍କୁ ୨୦୦ ଦିନିକିଆ ୱିକେଟ୍
ବାଂଲାଦେଶ ବିପକ୍ଷ ଏସିଆ କପ୍ ସୁପର-୪ ମୁକାବିଲାରେ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଦେଜା ୨୦୦ ଦିନିକିଆ ୱିକେଟ୍ ଅକ୍ତିଆର କରିଛନ୍ତି। ସମିମ୍ ହୋସେନ୍ଙ୍କୁ ଆଉଟ୍ କରିବା ପରେ ସେ ଏହି ମାଇଲ୍ଖୁଣ୍ଟରେ ପହଞ୍ଚିଥିଲେ। ଜାଦେଜାଙ୍କୁ ଏହି ମାଇଲ୍ଖୁଣ୍ଟରେ ପହଞ୍ଚିବାକୁ ୧୭୫ ପାଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି। ପୂର୍ବରୁ ଏହି ତାଲିକାରେ ଅନୀଲ କୁମ୍ବଲେ (୩୩୪), ଜାଭାଗଲ ଶ୍ରୀନାଥ (୩୧୫), ଅଜିତ ଅଗରକର (୨୮୮), ଜାହିର ଖାନ୍ (୨୬୯) ହରଭଜନ ସିଂହ (୨୬୫) ଓ କପିଳ ଦେବ (୨୫୩) ରହିଛନ୍ତି। ଜାଦେଜା ପାକିସ୍ତାନ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟରେ ବୋଲିଂ କରିବାକୁ ସୁଯୋଗ ପାଇନଥିଲେ ମଧ୍ୟ ନେପାଳ ବିପକ୍ଷରେ ୩ ୱିକେଟ୍ ନେଇଥିଲେ। ପରେ ସୁପର-୪ରେ ପାକିସ୍ତାନ ବିପକ୍ଷରେ ସେ କୌଣସି ୱିକେଟ୍ ପାଇନଥିଲେ। କିନ୍ତୁ ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ସେ ଧନଞ୍ଜୟ ଡି’ସିଲ୍ଭା ଓ ଦାସୁନ ଶଣକାଙ୍କ ୱିକେଟ୍ ନେଇ ଭାରତକୁ ଜିତାଇବରେ ଅନ୍ୟତମ ଭୂମିକା ନେଇଥିଲେ।