ଭୁବନେଶ୍ବର: ୨୮ତମ ଆଇଆଇଟିଏଫ୍‌-ଏଟିଟିୟୁ ଏସୀୟ ଟେବୁଲ ଟେନିସ (ଟିଟି) ଦଳଗତ ପ୍ରତିଯୋଗିତା ଲାଗି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଆଥ୍‌ଲେଟିକ୍‌ କେନ୍ଦ୍ର ପ୍ରସ୍ତୁତ। ଏହି ମହାଦେଶୀୟ ପ୍ରତିଯୋଗିତା ଶନିବାରଠୁ ଏଠାରେ ଖେଳାଯିବ। ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଆୟୋଜକ ଭାରତ ସହ ୨୨ ଦେଶର ୫୦୦ରୁ ଊର୍ଦ୍ଧ୍ବ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଭୁବନେଶ୍ବର ପହଞ୍ଚି ସାରିଲେଣି। ଖେଳାଳିମାନେ ମଧ୍ୟ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ଭାରତରେ ଚତୁର୍ଥ ଏବଂ ଓଡ଼ିଶାରେ ପ୍ରଥମ ଥର ଲାଗି ଆୟୋଜିତ ଏହି ୫ ଦିନିଆ ପ୍ରତିଯୋଗିତା ୨୦୨୬ରେ ଲଣ୍ଡନରେ ହେବାକୁ ଥିବା ଆଇଆଇଟିଏଫ୍‌ ବିଶ୍ବ ଟେବୁଲ ଟେନିସ୍‌ ଦଳଗତ ପ୍ରତିଯୋଗିତାର ଯୋଗ୍ୟତା ମାର୍ଗ। ଉଭୟ ପୁରୁଷ ଓ ମହିଳାରେ ଶୀର୍ଷ ୧୩ ଦଳ ଏହି ବିଶ୍ବ ପ୍ରତିଯୋଗିତା ଲାଗି ସ୍ଥାନ ପକ୍କା କରିନେବେ। ଗତ ଥର ଅପେକ୍ଷା ପୁରସ୍କାର ରାଶିର ୪ ଗୁଣା ବୃଦ୍ଧି ହୋଇ ୧ଲକ୍ଷ ଡଲାର (ପ୍ରାୟ ୮୮ ଲକ୍ଷ୬୫ ହଜାର ଟଙ୍କା)ରୁ ୪ଲକ୍ଷ ଡଲାର (ପ୍ରାୟ ୩କୋଟି ୫୦ଲକ୍ଷ ଟଙ୍କା)ରେ ପହଞ୍ଚିଛି। ଯାହା ‌ଖେଳାଳିଙ୍କୁ ଆକୃଷ୍ଟ କରିବ। ଭାରତରେ ୧୬ ବର୍ଷ ପରେ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଗତ ସଂସ୍କରଣରେ ଉଭୟ ପୁରୁଷ ଓ ମହିଳା ବର୍ଗରେ କାଂସ୍ୟ ଜିତିଥିବା ଭାରତ ଘରୋଇ ପଡ଼ିଆରେ ପଦକର ରଙ୍ଗ ବଦଳାଇବା ଆଶା ରଖିଛି। ପ୍ରତିଯୋଗିତା ଲାଗି ‘ବୁକ୍‌ମାଇଁସୋ’ ଆପ୍ଲିକେସନ୍‌ କିମ୍ବା ୱେବ୍‌ସାଇଟ୍‌‌ରେ ଟିକେଟ ବିକ୍ରି ଚାଲିଛି। ଟିକେଟ୍‌ର ମୂଲ୍ୟ ୧୦୦ ଓ ୩୦୦ ଟଙ୍କା ରହିଛି ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏହି ସମ୍ମିଳନୀରେ ଏସିଆ ଟେବୁଲ ଟେନିସ୍‌ ୟୁନିୟନ୍‌ର ରିଜିଓନାଲ ଉପସଭାପତି ଶେଖ୍ ହୟାତ୍ ଅଲ୍ ଖଲିଫା, ପ୍ରତିଯୋଗିତାର ବ୍ରାଣ୍ଡ୍ ଆମ୍ବାସଡର ଅଲିମ୍ପିଆନ୍‌ ତଥା ପଦ୍ମଶ୍ରୀ ଓ ଖେଳରତ୍ନ ଅଚନ୍ତ ଶରତ କମଲ ଏବଂ ଭାରତୀୟ ଟିଟି ମହାସଂଘ, ଓଡ଼ିଶା ଟିଟି ସଂଘ ଓ କ୍ରୀଡ଼ା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

ଏକକାଳୀନ ଦୁଇଟି ବଡ଼ ପ୍ରତିଯୋଗିତା ଆୟୋଜନ ଆମ ପାଇଁ ଗର୍ବର କଥା: ସୂର୍ଯ୍ୟବଂଶୀ 

ଆଜିଠୁ କଳିଙ୍ଗ ‌ଷ୍ଟାଡିୟମ୍‌ରେ ୪୦ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ କାଲିଠୁ ଖେଳାଯିବ ଏସୀୟ ଟିଟି ଦଳଗତ ପ୍ରତିଯୋଗିତା। ଏକାସାଙ୍ଗରେ ଦୁଇଟି (ଅନ୍ତର୍ଜାତୀୟ ଓ ଜାତୀୟ) ପ୍ରତିଯୋଗିତା ଆୟୋଜନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା। ଖାଲି ଏତିକି ନୁହେଁ ବିଗତ ଅଗଷ୍ଟ ମାସରେ ଭାରତର ପ୍ରଥମ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ୍‌ର ଆୟୋଜନ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍‌ରେ ସଫଳତାର ସହ କରାଯାଇଥିଲା। ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିଠାରୁ ନେଇ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ କରିବା ସହ ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ବିଭିନ୍ନ ଦେଶରୁ କ୍ରୀଡ଼ାବିତ୍‌ ଭୁବନେଶ୍ୱରରେ ପହଞ୍ଚି ନିଜର ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିକୁ ବିଭାଗ ପକ୍ଷରୁ ସୁନିଶ୍ଚିତ କରାଯାଇଛି। ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ମହାସଂଘ ଦ୍ୱାରା ସ୍ୱୀକୃତ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା, କ୍ରୀଡ଼ାବିତ୍‌ଙ୍କ ଆତିଥ୍ୟ, ରହଣି ଓ ସୁରକ୍ଷା ବ୍ୟବସ୍ଥା ଆଦିକୁ ସୁନିଶ୍ଚିତ କରାଯାଇଛି। ସୋମବାର ପ୍ରତିଯୋଗିତାର ଟ୍ରଫି ଅନାବରଣ କରାଯାଇଥିଲା। ଏହାପରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ମହାବିଦ୍ୟାଳୟ, ସପିଂ ମଲ୍ ଆଦିରେ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଲୋକମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ନେଇ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ପ୍ରତିଯୋଗିତା ସର୍ବଶ୍ରେଷ୍ଠ ହେବ, ଭାରତର ଭବିଷ୍ୟତ ଉଜ୍ଜ୍ବଳ: ଖଲିଫା
ଏଠାରେ ପହଞ୍ଚିବା ପରେ ବହୁତ ଖୁସି ଲାଗୁଛି। ଉତ୍କୃଷ୍ଟ ଆୟୋଜନ ଏବଂ ବିଶ୍ୱସ୍ତରୀୟ ବ୍ୟବସ୍ଥା ‌ମୋତେ ପ୍ରଭାବିତ କରିଛି। ଆୟୋଜକ କମିଟି ଦ୍ୱାରା ରହଣି, ପରିବହନ ଏବଂ ସମଗ୍ର ପ୍ରସ୍ତୁତି ପ୍ରକୃତରେ ଉଲ୍ଲେଖନୀୟ। ତେଣୁ ଏହି ପ୍ରତିଯୋଗିତା ସର୍ବଶ୍ରେଷ୍ଠ ହେବ ବୋଲି ଆଶା। ସଂପ୍ରତି ଭାରତୀୟ ଟେବୁଲ ଟେନିସ୍ ମହାସଂଘ ଓ କ୍ରୀଡ଼ା ମନ୍ତ୍ରଣାଳୟକୁ ଜାତୀୟ ଦଳ ପାଇଁ ଯେପରି କାମ କରୁଛନ୍ତି ଏହା ଦେଖି ଟିଟିରେ ଭାରତ ଭବିଷ୍ୟତ ଉଜ୍ଜ୍ବଳ ଥିବା ଜଣାପଡ଼ୁଛି। ଚୀନ୍ ଓ ଜାପାନ ଭଳି ଦଳକୁ ଟକ୍କର ଦେବା ଲାଗି ଭାରତ ପାଖରେ କ୍ଷମତା ରହିଛି। ଆମେ ସମଗ୍ର ଏସିଆରେ ଖେଳକୁ ଦୃଢ଼ କରିବା ପାଇଁ ସମସ୍ତ ସଦସ୍ୟ ସଂଘ ସହିତ ମିଶି କାର୍ଯ୍ୟ କରୁଛୁ। ଚଳିତ ବର୍ଷ ପୁରସ୍କାର ରାଶି ୪ଗୁଣ ବଢ଼ାଇଛୁ। ଯାହା ଖେଳାଳିଙ୍କୁ ଭଲ କରିବା ଲାଗି ଉତ୍ସାହିତ କରିବ ବୋଲି କହିଛନ୍ତି ଏସିଆ ଟେବୁଲ ଟେନିସ୍‌ ୟୁନିୟନ୍‌ର ଆଞ୍ଚଳିକ ଉପସଭାପତି ଶେଖ୍ ହୟାତ୍ ଅଲ୍ ଖଲିଫା। 

ଭାରତରେ ଓଡ଼ିଶା ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ: ଶରତ କମଲ
ଓଡ଼ିଶାକୁ ଫେରିବା ବହୁତ ଭଲ ଲାଗୁଛି। ଗତ ଥର ଖେଳାଳି ଭାବେ ଆସିଥିଲି। ୨୦୧୯ରେ ଏଠାରେ ବଡ଼ ଇଭେଣ୍ଟ୍‌ରେ ଭାଗ ନେଇଥିଲି। ଭୁବନେଶ୍ବର ଏସୀୟ ପ୍ରତିଯୋଗିତା ମୋ ପାଇଁ ସତରେ ସ୍ବତନ୍ତ୍ର ହୋଇଛି। କାରଣ ଏଥିରେ ମୁଁ ବ୍ରାଣ୍ଡ୍‌ ଆମ୍ବାସଡର ରହିଛି। ସଂପ୍ରତି ଭାରତ ଭଲ ପ୍ରଦର୍ଶନ କରୁଛି। ଗତ ଥର ଆମର ପୁରୁଷ ଓ ମହିଳା ଦଳ କାଂସ୍ୟ ପଦକ ଜିତିଥିଲା। ଚଳିତ ବର୍ଷ ସେମାନେ ଏହାର ରଙ୍ଗ ବଦଳାଇବାକୁ ସକ୍ଷମ ଅଛନ୍ତି। ଆମର ଖେଳାଳି ଭଲ ଫର୍ମରେ ଅଛନ୍ତି। ମାନବ ଠକ୍କର ପୁରୁଷ ଏକକ ବିଶ୍ବ ମାନ୍ୟତାରେ ୩୯ ଏବଂ ଯୁଗଳ ଓ ମିଶ୍ରିତ ଯୁଗଳରେ ଶୀର୍ଷ ୧୦ ମଧ୍ୟରେ ରହିଛନ୍ତି। ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥନ ନିଶ୍ଚିତ ଭାରତକୁ ଚମତ୍କାର ପ୍ରଦର୍ଶନ ଲାଗି ବଳ ଯୋଗାଇବ। ବିଶ୍ବସ୍ତରୀୟ ଆୟୋଜନ ହୋଇଛି। ଏହି ଷ୍ଟାଡିୟମ୍‌କୁ ମୁଁ ପ୍ରଥମ ଥର ପାଇଁ ଆସିଛି। ଏଠାକାର କ୍ରୀଡ଼ା କମ୍ପ୍ଲେକ୍ସ ଉଚ୍ଚସ୍ତରୀୟ। ଓଡ଼ିଶା ବିଭିନ୍ନ କ୍ରୀଡ଼ାର ପ୍ରତିଯୋଗିତା ଆୟୋଜନ କରିବାର କ୍ଷମତା ରଖିଛି। ଭବିଷ୍ୟତରେ ଭାରତରେ ଯେବେ ବଡ଼ ପ୍ରତିଯୋଗିତା ଆୟୋଜନ ହେବ ସେତେ‌ବେଳେ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି ଅଲିମ୍ପିଆନ୍‌ ତଥା ପଦ୍ମଶ୍ରୀ ଓ ଖେଳରତ୍ନ ଅଚନ୍ତ ଶରତ କମଲ।

ବିଜୟଧାରା ଜାରି ରଖିବା ଆଶା: ମାନବ 
ଭାରତର ତାରକା ଖେଳାଳି ମାନବ ଠକ୍କର କହିଛନ୍ତି, ଓଡ଼ିଶାକୁ ମୁଁ ତୃତୀୟ ଥର ଲାଗି ଆସିଛି। ପୂର୍ବରୁ ରାଜ୍ୟଗୋଷ୍ଠୀ ଓ ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଖେଳିବାକୁ ଆସିଥିଲି। ଉଭୟ ଥର ମୁଁ ପଦକ (କାଂସ୍ୟ ଓ ସ୍ବର୍ଣ୍ଣ) ଜିତିଛି। ଏହା ଏସୀୟ ପ୍ରତିଯୋଗିତାରେ ଜାରି ରହିବ ବୋଲି ବିଶ୍ବାସ ରଖିଛି। ପ୍ରତିଯୋଗିତା ଲାଗି ଆମ ଦଳ ପୂରା ପ୍ରସ୍ତୁତ ରହିଛି। ଭାରତୀୟ ପରିବେଶରେ ଖେଳିବାକୁ ଯାଉଥିବାରୁ ଆମକୁ ଆଗରେ ରଖିବ। ଘରୋଇ ସମର୍ଥନ ଆମର ମନୋବଳକୁ ବଢ଼ାଇବ। ଗତ ଏସୀୟ ପ୍ରତିଯୋଗିତାରେ କାଂସ୍ୟ ଜିତିଥିଲୁ। ଏଥର ମୋର ଇଛା ରଙ୍ଗ ବଦଳାଇବାକୁ। ବିଶ୍ବାସ ରହିଛି ଏହା ରୌପ୍ୟ କିମ୍ବା ସ୍ବର୍ଣ୍ଣ ପଦକ ହୋଇପାରେ।