ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ମାତ୍ର ଥରେ ଏମିତି କୀର୍ତ୍ତିମାନ କରିଛି। ଇଂଲଣ୍ଡ, ପାକିସ୍ତାନ, େଓ୍ଵଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ଦୁଇ ଥର ଲେଖାଏଁ ଏଭଳି ସଫଳତା ପାଇଛନ୍ତି। ଦକ୍ଷିଣ ଆଫ୍ରିକା ୫ ଏବଂ ଅଷ୍ଟ୍ରେଲିଆ ୬ଥର ଲଗାତାର ୧୦ ଦିନିକିଆରେ ବିଜୟ ଲାଭ କରିବାର କୀର୍ତ୍ତିମାନ କରିଛନ୍ତି। ଭାରତ ଭାଗ୍ୟରେ କିନ୍ତୁ ଏଭଳିି ସଫଳତା ଥରେ ହେଲେ ବି ଜୁଟିନି। ଏବେ ଅବଶ୍ୟ ଏହି ସଫଳତା ଲାଭ କରିବା ଦ୍ୱାର ଦେଶରେ ରହିଛି। ଲଗାତାର ୯ ଦିନିକିଆ ଜିତି ସାରିଥିଲା ବେଳେ ଦଶମ ପାଇଁ ବେଙ୍ଗାଲୁରୁରେ ସୁଯୋଗ ରହିଛି। ଏଠାରେ ଗୁରୁବାର ଖେଳା ଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆ ଜିତିଲେ ଭାରତ ପ୍ରଥମ ଥର ପାଇଁ ଲଗାତାର ୧୦ ଦିନିକିଆ ଜିତିବାର ନିଆରା ସଫଳତା ହାସଲ କରିବ। ସେପଟେ ଅଷ୍ଟ୍ରେଲିଆ ବିଦେଶ ମାଟିରେ ଖେଳିଥିବା ଗତ ୧୧ ଦିନିକିଆ ହାରିଛି। ବେଙ୍ଗାଲୁରୁରେ ହାରିଲେ କଙ୍ଗାରୁ ଦଳ ବିଦେଶ ପରାଜୟରେ ଏକ ଡଜନ ପୂରଣ କରିବ। ଶୃଙ୍ଖଳା ହାରି ସାରିଥିବାରୁ ଗୁରୁବାର ବିଜୟୀ ହେଲେ ଷ୍ଟିଭେନ୍ ସ୍ମିଥଙ୍କ ଦଳ ପାଇଁ ବଡ଼ ସାନ୍ତ୍ୱନା ହେବ। ଭାରତ ଆସନ୍ତାକାଲିର ମ୍ୟାଚ୍ ଜିତିଲେ ଆଉ ଏକ ମୂଳପୋଛ ବିଜୟର ନିକଟତର ହେବ।
ଦଳ: ଭାରତ ଭଲ କରୁଥିବାରୁ ଚୂଡ଼ାନ୍ତ ଏକାଦଶରେ ଅଦଳ ବଦଳ କରିବାର କୌଣସି ଆବଶ୍ୟକତା ନାହିଁ। ଅଧିନାୟକ ବିରାଟ କୋହଲି ମଧ୍ୟ ବେଙ୍ଗାଲୁରୁରେ ବିଜୟୀ ଦଳକୁ ବଦଳାଇବାର ସମ୍ଭାବନା ଏକବାର କମ୍। ସେପଟେ ଆଷ୍ଟନ ଆଗର ଶେଷ ଦୁଇ ଦିନିକିଆରୁ ବାଦ ପଡ଼ିବା ପରେ ଅଷ୍ଟ୍ରେଲିଆ ଅନ୍ୟୁନ ଗୋଟିଏ ପରିବର୍ତନ କରିବାକୁ ବାଧ୍ୟ ହୋଇଛି। ଆଦାମ ଜାମ୍ପା ତାଙ୍କ ସ୍ଥାନ ନେବେ। ସେହିଭଳି ଟେ୍ଵଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ କ୍ୟାଟ୍ କମିନ୍ସଙ୍କୁ ବିଶ୍ରାମ ଦେଇ ଅଲରାଉଣ୍ଡର ଜେମ୍ସ ଫକନରଙ୍କୁ ଅଷ୍ଟ୍ରେଲିଆ ଖେଳାଇପାରେ।
ପିଚ୍ ଓ ପାଗ : ବେଙ୍ଗାଲୁରୁ ପିଚ୍ ଟିକିଏ ବଦଳି ଯାଇଛି। ଏହି ପିଚ୍ରେ ବଲ୍ ଏବେ ତୁଳନାତ୍ମକ ଭାବେ ଧିମା ରହୁଛି। ଚାରି ବର୍ଷ ପରେ ଏଠାରେ ମଧ୍ୟ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳା ଯାଉଛି। ଶେଷ ଥର ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ଏଠାରେ ମୁହାଁମୁହିଁ ହୋଇଥିଲେ। ସେହି ମ୍ୟାଚ୍କୁ ଭାରତ ୫୭ ରନ୍ରେ ଜିତି ନେଇଥିଲା। ଗୁରୁବାର ମଧ୍ୟ ଏଠାରେ ବର୍ଷା ହେବାର ପୂର୍ବାନୁମାନ ରହିଛି।
ପରିସଂଖ୍ୟାନ : ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତୀୟ ଅଧିନାୟକ ବିରାଟ କୋହଲି ସେତେଟା ଭଲ ପ୍ରଦର୍ଶନ କରି ନାହାନ୍ତି। ସେ ଏଠାରେ ୪ ମ୍ୟାଚ୍ ଖେଳି ୧୦.୫୦ ହାରରେ ରନ୍ କରିଛନ୍ତି। ଗତ ଚାରିଟି ପାଳିରୁ ଦୁଇଟିରେ ସେ ଖାତା ଖୋଲି ପାରି ନାହାନ୍ତି। ସେହିଭଳି ଅନ୍ୟ ଦୁଇଟି ପାଳିରେ ୮ ଓ ୩୪ ରନ୍ କରିଛନ୍ତି। ଗୁରୁବାର ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ଵାର୍ନର ତାଙ୍କ ଶତକୀୟ ଦିନିକିଆ ଖେଳିବେ।
ଆଜି ଚତୁର୍ଥ ଦିନିକିଆ:ଲଗାତାର ୧୦ ଦ୍ୱାରରେ ଭାରତ
/sambad/media/post_attachments/wp-content/uploads/2017/09/BCCI-2.jpg)