ଭୁବନେଶ୍ବର: କେନ୍ଦୁଝରର ଧରଣୀଧର ମହାବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅନ୍ତଃବିଶ୍ବବିଦ୍ୟାଳୟ ହକି ପ୍ରତିଯୋଗିତାର ଫଳାଫଳକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ଫାଇନାଲ୍‌ରେ ତଞ୍ଚକତା କରି ଉତ୍କଳ ବିଶ୍ବବିଦ୍ୟାଳୟକୁ ହରାଇ ଦିଆଯାଇଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଏହି ଦଳର ପ୍ରବନ୍ଧକ ଚନ୍ଦ୍ରକାନ୍ତ ମଲ୍ଲିକ ଏକ ପ୍ରେସ୍ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି। ଏଣୁ ଅନ୍ତଃବିଶ୍ବବିଦ୍ୟାଳୟ ହକି ପ୍ରତିଯୋଗିତାର ବିଶ୍ବସନୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋ‌ଇଛି। ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ଆୟୋଜକମାନେ ଯୋଜନାବଦ୍ଧ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଫାଇନାଲ୍‌ରେ ହରାଇ ଦେଇଥିଲେ। ଅନ୍ୟପକ୍ଷରେ ଅନ୍ୟାୟ କରି ଏକତରଫା ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଜିତାଇ ଦେଇଥିଲେ। ଗତବର୍ଷ ରେଭେନ୍‌ସା ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ଅନ୍ତଃବିଶ୍ବବିଦ୍ୟାଳୟ ହକି ପ୍ରତିଯୋଗିତାର ଫାଇନାଲ୍‌ରେ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ହରାଇ ଉତ୍କଳ ବିଶ୍ବବିଦ୍ୟାଳୟ ବିଜେତା ହୋଇଥିବାରୁ ଏବର୍ଷ ତାର ପ୍ରତିଶୋଧ ନେବା ଲାଗି ଏଭଳି କରାଯାଇଥିଲା।

Advertisment

ଏହି ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଆୟୋଜକଙ୍କ ସହ ମିଶି ଉତ୍କଳ ବିଶ୍ବବିଦ୍ୟାଳୟକୁ ହରାଇବାର ମସୁଧା ପୂର୍ବରୁ କରିଥିଲେ। ସେଥିପାଇଁ ରେଫରି ଉତ୍କଳ ବିଶ୍ବବିଦ୍ୟାଳୟର ଦୁଇଟି ଗୋଲ୍‌କୁ ଫାଉଲ୍ ଦେଇ ନାକଚ କରି ଦେଇଥିଲେ। ଫଳରେ ଏହକୁ ନେଇ ପଡ଼ିଆ ଭିତରେ ଚୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାକୁ ଆଳ କରି ମ୍ୟାଚ୍ ପରିଚାଳନା ଦାୟିତ୍ବରେ ଥିବା କିଛି ଅଧିକାରୀ ଉତ୍କଳକୁ ତୃତୀୟ ସ୍ଥାନକୁ ଖସାଇ ଦେବାକୁ ତାଗିଦ କରି ଆମ ଖେଳାଳିଙ୍କ ମନୋବଳ ଭାଙ୍ଗି ଦେଇଥିଲେ। ଏପରିକି ଫାଇନାଲ୍‌‌ ଚାଲିଥିଲା ବେଳେ ଆମର କିଛି ଖେଳାଳିଙ୍କୁ ପଡ଼ିଆ ଭିତରେ ଧମକ ଚମକ ମଧ୍ୟ ଦିଆଯାଇଥିଲା। ଏଭଳି ଅନ୍ୟାୟକୁ ବିରୋଧ କରି ଉତ୍କଳ ବିଶ୍ବବିଦ୍ୟାଳୟ ଖେଳାଳିମାନେ ଆଉ ମ୍ୟାଚ୍ ଜାରି ରଖିବାକୁ ରାଜି ହୋଇ ନଥିଲେ। ଫଳରେ ତୃତୀୟ କ୍ବାର୍ଟରରେ ମ୍ୟାଚ୍ ବନ୍ଦ ହୋଇଯିବା ସହ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ବିଜେତା ଘୋଷିତ କରାଯାଇଥିଲା। ବିନା ଦୋଷରେ ଉତ୍କଳକୁ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ସମ୍ବଲପୁର ବିଶ୍ବବିଦ୍ୟାଳୟ ଫାଇନାଲ୍ ଖେଳୁଥିଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଫାଇନାଲ୍‌ ପରିଚାଳନା ଦାୟିତ୍ବରେ ଏହି ବିଶ୍ବବିଦ୍ୟାଳୟର ଅଧିକାଂଶ ଅଧିକାରୀ ରହିଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟ ହକି ଦଳର ପୃଷ୍ଠପୋଷକ ତଥା ଦଳର ପ୍ରବନ୍ଧକ, ପ୍ରଶିକ୍ଷକ ଏସ୍‌ ଏନ୍ ରାଉତଙ୍କୁ ପ୍ରତିଯୋଗିତାର ମୁଖ୍ୟ ବୈଷୟିକ ନିର୍ଦ୍ଦେଶକ କରାଯାଇଥିଲା।

ଏଥିନେଇ ଆମେ ରେଫରିଙ୍କ ନିକଟରେ ଆନୁଷ୍ଠାନିକ ପ୍ରତିବାଦ କରିଥିଲୁ। ହେଲେ ଏହାକୁ କୌଣସି ଗୁରୁତ୍ବ ଦିଆଯାଇ ନଥିଲା। ସେହିଭଳି ଫାଇନାଲ୍‌ ବେଳେ ନିୟମ ଅନୁସାରେ ଡିଡି ମହାବିଦ୍ୟାଳୟ କ୍ରୀଡ଼ା ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନଥିଲେ। ଏଣୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଯାହା ଚାହୁଥିଲେ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ମଲ୍ଲିକ। କେବଳ ସେତିକି ନୁହେଁ ଉତ୍କଳ ବିଶ୍ବବିଦ୍ୟାଳୟ ହକି ଦଳର ଖେଳାଳିଙ୍କୁ ଜଣେ  ଅଧିକାରୀ ଗତ ତିନି ବର୍ଷ ହେବ ହଇରାଣ କରି ଆସୁଛନ୍ତି। ସେମାନଙ୍କୁ ସର୍ବଭାରତୀୟ ପ୍ରତିଯୋଗିତାରେ ଖେଳିବାରୁ ଅଟକାଇବାରୁ ଏଭଳି କାମ କରୁଛନ୍ତି। ଏହି ପାତରଅନ୍ତର ଓ ମନମୁଖୀ କାର୍ଯ୍ୟର ତଦନ୍ତ ଦାବି କରିଛନ୍ତି ସେ। ଅନ୍ୟପକ୍ଷରେ ଡିଡି ବିଶ୍ବବିଦ୍ୟାଳୟର ଲୋକସଂପର୍କ ଅଧିକାରୀ ସୁମନ୍ତ ନାୟକ କହିଛନ୍ତି ଯେ ଫାଇନାଲ୍‌ରେ ବିବାଦ ସୃଷ୍ଟି ହୋଇଥିବା ବିଷୟ ମୁଁ ଜାଣିଛି। ମ୍ୟାଚ୍ ବେଳେ କିଛି କଥାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ଦଳ ଖେଳ ଜାରି ରଖିବାକୁ ରାଜି ହୋଇ ନଥିଲା। ସମ୍ବଲପୁର ବିଶ୍ବବିଦ୍ୟାଳୟ ସେତେବେଳେ ୧-୦ରେ ଆଗୁଆ ଥିବାରୁ ରେଫରି ସେମାନଙ୍କୁ ବିଜେତା ଘୋଷଣା କରିଥିଲେ। ଏହି ବିଷୟରେ କିନ୍ତୁ ମୁଁ ଅଧିକ କିଛି କହିପାରିବିନି। ବୁଝାବୁଝି କରିବା ପରେ ଯାଇ ଯାହା କିଛି କହିପାରିବି।